ନୂଆଦିଲ୍ଲୀ: ବ୍ରିଟେନରେ କୋରୋନାର ନୂଆ ଷ୍ଟ୍ରେନ୍ । ତେବେ ବ୍ରିଟେନରେ କୋରୋନା ଭାଇରସର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ ଭୂତାଣୁ ସମ୍ପର୍କରେ ବିସ୍ତୃତ ଆଲୋଚନା ଲାଗି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ସୋମବାର ଜରୁରି ଜଏଣ୍ଟ ମନିଟରିଂ ଗ୍ରୁପ (ଜେଏମଜି)ର ଏକ ଜରୁରୀ ବୈଠକ ଡାକିଛନ୍ତି । ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚଏସ୍)ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବାକୁ ଥିବା ବେଳେ ଜେଏମଜି ସଦସ୍ୟ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ଙ୍କ ପ୍ରତିନିଧି ଡ. ରୋଡେରିକୋ ଏଚ୍ ଅଫ୍ରିନ୍ ଏଥିରେ ଯୋଗଦେଇ ପାରନ୍ତି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ, ବିଶ୍ବ / ଭାରତୀୟ ସ୍ଥିତିର ନିୟମିତ ସମୀକ୍ଷା କରିବା ଏବଂ ମନ୍ତ୍ରଣାଳୟକୁ ବୈଷୟିକ ବିଷୟ ଉପରେ ସୁପାରିଶ କରିବା ପାଇଁ ଜେଏମଜି ଗଠନ କରାଯାଇଛି । ଏହା କୋରୋନା ପ୍ରକୋପର ସ୍ଥିତି ଉପରେ ମଧ୍ୟ ନଜର ରଖିବ | କୁହାଯାଉଛି କୋରୋନା ଭାଇରସର ନୂଆ ଷ୍ଟ୍ରେନ୍ ବ୍ରିଟେନରେ ଦ୍ରୁତ ସଂକ୍ରମଣ କରୁଛି । ଦେଶରେ ସଂକ୍ରମଣ ଅନିୟନ୍ତ୍ରିତ ହେଉଥିବା ସରକାର ସତର୍କ କରିବା ପରେ ଅନେକ ଦେଶ ବ୍ରିଟେନକୁ ବିମାନ ସେବା ରୋକି ଦେଇଛନ୍ତି ।
ସେପଟେ ବ୍ରିଟେନ ମଧ୍ୟ ରବିବାର ଦେଶରେ କଡାକଡି ଲକଡାଉନ ଜାରି କରିଛି । ଏବେ ଜର୍ମାନ, ନେଦର ଲ୍ୟାଣ୍ଡ ଓ ବେଲଜିୟମ ଆଦି ଦେଶ ବ୍ରିଟେନକୁ ସେମାନଙ୍କ ବିମାନ ଉଡାଣ ବନ୍ଦ କରିଛନ୍ତି। ଅଷ୍ଟ୍ରିଆ ଓ ଇଟାଲୀ ବ୍ରିଟେନରୁ ଆସୁଥିବା ବିମାନ ଉପରେ ରୋକ ଲଗାଇବାକୁ ବିଚାର କରୁଥିବା ବେଳେ ଇଟାଲୀ ନିଜ ନାଗରିକଙ୍କ ସୁରକ୍ଷା ଲାଗି ପଦକ୍ଷେପ ନେଉଥିବାର ସୂଚନା ଦେଇଛି ।