ମୁମ୍ବାଇ: ବୟସ ମାତ୍ର 19 । ହେଲେ ଦୃଢ ଇଚ୍ଛାଶକ୍ତି ଏବଂ ମା'ଙ୍କର ସହଯୋଗ ଯୋଗୁଁ ସେ ଆଜି ନିଜ କାମ ନିଜେ କରିବା ପାଇଁ ସକ୍ଷମ ହୋଇଛନ୍ତି । ଆମେ କହୁଛୁ ମୁମ୍ବାଇର ଯୁବକ ଚୟଙ୍କଙ୍କ କଥା। ଯିଏ ବର୍ଷେ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ସଂପୂର୍ଣ୍ଣ ଭାଙ୍ଗିପଡିଥିଲେ। ଆଉ ଏବେ ସେ ଏକଦମ ସୁସ୍ଥ ।
ଆଜକୁ ବର୍ଷେ ତଳେ ଏପ୍ରିଲ 10 ତାରିଖରେ ଘଟିଥିଲା ଦୁର୍ଘଟଣା। ଚୟଙ୍କ ତରବର ଭାବେ ରେଳ ଷ୍ଟେସନରେ ଯାଇ ଟ୍ରେନରେ ଚଢିବା ସମୟରେ ଟ୍ରେନଟି ଛାଡିଦେଇଥିଲା। ଆଉ ଚୟଙ୍କ ତଳେ ପଡିଯାଇଥିଲେ। ଚକା ତଳେ ରହିଯାଇଥିଲା ତାଙ୍କର ହାତ। ଫଳରେ ତାଙ୍କର ବାମ ହାତଟି ଦୁଇ ଫାଳ ହୋଇଯାଇଥିଲା।
ସେଇ କଟା ହାତକୁ ଧରି ସେ ସ୍ଥାନୀୟ ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ମା'ଙ୍କୁ ଫୋନ କରି ଦୁର୍ଘଟଣା ବିଷୟରେ ଜଣାଇଥିଲେ। ଚିକିତ୍ସା ପରେ ଡାକ୍ତର ଅସ୍ତ୍ରୋପ୍ରଚାର କରିବା ପାଇଁ କହିଥିଲେ। ଡାକ୍ତରୀ ଟିମ ଦୀର୍ଘ 8 ଘଣ୍ଟା ଧରି ତାଙ୍କର ଅସ୍ତ୍ରୋପ୍ରଚାର କରି କଟା ହାତ ଯୋଡିବାରେ ସଫଳ ହୋଇଥିଲେ। କିଛି ଦିନ ପର୍ଯ୍ୟନ୍ତ ହାତ କୌଣସି କାମ କରିବାରେ ସକ୍ଷମ ହୋଇପାରିନଥିଲା। କିନ୍ତୁ ବର୍ତ୍ତମାନ ଅସ୍ତ୍ରୋପ୍ରଚାର ହୋଇଥିବା ହାତ କାମ କରିବା ସହ ନିଜ କାମ ସେ ନିଜେ କରିପାରୁଛନ୍ତି ।