ହାଇଦ୍ରାବାଦ: ଗତ ସପ୍ତାହରେ ଟ୍ବିଟର ପକ୍ଷରୁ ଏକ ବଡ ଘଟଣାର ଖୁଲାସା କରାଯାଇଥିଲା । ଏଥିରେ ସୂଚନା ଦିଆଯଆଇଥିଲା ଯେ ହାଇପ୍ରୋଫାଇଲଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଛି । ଏହାକୁ ନେଇ ସାରା ବିଶ୍ବରେ ଚହଳ ପଡିଥିଲା । କାରଣ ଏମାନଙ୍କ ଭିତରେ ଥିଲେ ବିଭିନ୍ନ କମ୍ପାନୀର ସିଇଓ ଏବଂ ରାଜନେତା । ତେବେ ନିକଟରେ ଏହା ଆଉ ଏକ ଖବର ସମ୍ପର୍କରେ ଖୁଲାସା କରିଛି ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ୟୁଜର୍ସ ।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଯେଉଁ ହ୍ୟାକରମାନେ ଟ୍ବିଟରର ସୁରକ୍ଷା ଭାଙ୍ଗି ହ୍ୟାକ୍ କରିଥିଲେ ସେମାନେ 36ଟି ଆକାଉଣ୍ଟର ସମସ୍ତ ମେସେଜ ପଢିଦେଇଛନ୍ତି । ଏଥିରୁ ଗୋଟିଏ ଆକାଉଣ୍ଟ ନେଦରଲାଣ୍ଡର ଜଣେ ରାଜନେତାଙ୍କ ବୋଲି ଜଣାପଡିଛି । ତେବେ ଅନ୍ୟ ଆକାଉଣ୍ଟ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ ଟ୍ବିଟର । ଏହି 36ଟି ଆକାଉଣ୍ଟ ଦ୍ବାରା ପଠାଯାଇଥିବା ଏବଂ ଏଠାକୁ ଆସିଥିବା ସମସ୍ତ ମେସେଜ ପଢି ନେଇଛନ୍ତି ହ୍ୟାକର । ଏସମ୍ପର୍କରେ ଏକ ବ୍ଲଗ୍ ପୋଷ୍ଟ ଦ୍ବାରା କମ୍ପାନୀ ସୂଚନା ଦେଇଛି ।
ପୂର୍ବରୁ ଟ୍ବିଟର କହିଥିଲା ଯେ ହ୍ୟାକରମାନେ 45ଟି ଭ୍ୟାରିଫାଏଡ ଆକାଉଣ୍ଟକୁ ହ୍ୟାକ୍ କରି ଏଥିରୁ ଟ୍ବିଟ୍ କରିଥିଲେ । ଏମାନଙ୍କ ମଧ୍ୟରେ ଏଲୋନ ମୁସ୍କ, ବିଲ ଗେଟ୍ସ, ଜୋଏ ବିଡେନ ପ୍ରମୁଖ ରହିଛନ୍ତି । ତେବେ ଯେଉଁ 36ଟି ଆକାଉଣ୍ଟର ମେସେଜ ହ୍ୟାକର୍ସମାନେ ପଢିଛନ୍ତି ସେଥିମଧ୍ୟରେ କୌଣସି ଭ୍ୟାରିଫାଏଡ ଆକାଉଣ୍ଟ ଅଛି କି ନାହିଁ ଟ୍ବିଟର ତାହା ସ୍ପଷ୍ଟ କରିନି ।
ସାଧାରଣତଃ କୌଣସି ମେସେଜ ଡିଲିଟ୍ ନ ହୋଇଥିଲେ ଏହାକୁ ସମସ୍ତେ ପଢିପାରିବେ । ହେଲେ ପ୍ରାଇଭେଟ୍ ମେସେଜ ପଢିବା ସାଧାରଣ ହ୍ୟାକର ପକ୍ଷରେ ସମ୍ଭବ ନୁହେଁ । ତେବେ ଏହି ହ୍ୟାକର୍ସମାନେ କୌଣସି ଅତ୍ୟାଧୁନିକ ବ୍ୟବସ୍ଥା ଆପଣାଇଛନ୍ତି ଅବା ସେମାନଙ୍କୁ ଟ୍ବିଟରର କୌଣସି କର୍ମଚାରୀ ସାହାଯ୍ୟ କରିଛନ୍ତି ଏହା ଉପରେ ତଦନ୍ତ ଚାଲିଛି । ସାନ ଫ୍ରାନସିସ୍କୋ ଅଫିସରୁ ଏଫବିଆଇ ଏହାର ତଦନ୍ତ ଜାରି ରଖିଛି ।