ନୂଆଦିଲ୍ଲୀ: ପାକିସ୍ତାନରୁ ଏକ ପାରା ଭାରତକୁ ଉଡିଆସିଥିବା ଘଟଣା । ପାରାକୁ ଫେରସ୍ତ ପାଇଁ ତାର ମାଲିକ ହବିବୁଲ୍ଲା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଫେରାଇଦେବାକୁ ଅନୁରୋଧ କରିଛନ୍ତି । ସେ ଏକ ଭିଡିଓ ଜାରି କରି କହିଛନ୍ତି, "ମୋଦି ସାର, ଦୟାକରି ମୋ ପାରାଟିକୁ ମୋ ପାଖକୁ ଫେରାଇ ଦିଅନ୍ତୁ । ମୁଁ ତାଙ୍କୁ ବହୁତ ଭଲ ପାଏ। ସେ ମୋ ପରିବାରର ଜଣେ ସଦସ୍ୟ। ଏହା ମୋର ଜୀବନ। ମୁଁ ଏହାକୁ ବହୁତ ଭଲ ପାଏ।
ତେବେ କିଛି ଦିନ ହେବ ପାକିସ୍ତାନରୁ ଭାରତ ସୀମାକୁ ଏକ ପାରା ଉଡିଆସିଥିଲା। କଶ୍ମୀରର କାଠୁଆ ଜିଲ୍ଲାର ମନାୟାରି ଗାଁର ଜଣଙ୍କ ଘରେ ଏହି ପାରାଟିକୁ ଦେଖିବାକୁ ମିଳିଥିଲା। ଉକ୍ତ ଘରେ ରହୁଥିବା ମହିଳା ପାରାଟିର ପାଦରେ ଏକ ରିଙ୍ଗ ବନ୍ଧା ହୋଇଥିବା ଦେଖିବାକୁ ପାଇଥିଲେ, ଯେଉଁଥିରେ ଏକ କୋଡ ଲେଖାଯାଇଥିଲା । ଏହାପରେ ଖବରପାଇ ସ୍ଥାନୀୟ ଅଧିକାରୀମାନେ ସେଠାରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଅଭିଯୋଗ ହୋଇଛି ଯେ ଏହି ପାରାଟିକୁ ଭାରତକୁ ଗୁପ୍ତଚର ପାଇଁ ପଠାଯାଇଛି ।
ତେବେ ଏହି ପାରାଟି ସୀମାର ଅପର ପାର୍ଶ୍ୱରେ ଥିବା ବାଗ୍ଗା-ଶାକରଗଢରେ ରହୁଥିବା ହବିବୁଲ୍ଲାର ଅଟେ । ହବିବୁଲ୍ଲା କହିଛନ୍ତି ଯେ, ସେ ଦୁଇଟି ପାରା ରଖିଛନ୍ତି ସେଥିରୁ ଗୋଟେ ସୀମା ପାର ହୋଇ ଉଡ଼ିଗଲା । ହେଲେ "ଏହା ମୋର ପାରା ଅଟେ । ଏହା ଆତଙ୍କବାଦୀ କିମ୍ବା ଗୁପ୍ତଚର ନୁହେଁ" ।
ଏହା ପ୍ରଥମ ଘଟଣା ନୁହେଁ ଯେ, ପାକିସ୍ତାନରୁ ଗୋଟିଏ ପାରା ଭାରତ ସୀମାକୁ ଆସିଛି । ଏହାପୂର୍ବରୁ ମେ 2015 ଓ 2016 ଅକ୍ଟୋବରରେ ମଧ୍ୟ 2ଟି ପାରା ଧରାଯାଇଥିଲା। ଏହି ପାରା ମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକ ଦିଆଯାଇଥିଲା।