ଗାନ୍ଧୀନଗର: ଗୁଜୁରାଟର 4ଟି ସହରର ଡାକ୍ତରଖାନା ଗୁଡିକ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ‘ସଲିଡିଟାରୀ’ ଆନ୍ତର୍ଜାତୀୟ କ୍ଲିନିକାଲ ଟ୍ରାଏଲରେ ଅଂଶଗ୍ରହଣ କରିବେ ଏବଂ COVID-19 ପାଇଁ ଏକ ପ୍ରଭାବଶାଳୀ ଚିକିତ୍ସା ଖୋଜିବାରେ ସାହାଯ୍ୟ କରିବେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଅହମ୍ମଦାବାଦ, ଭଦୋଦରା, ସୁରଟ ଓ ରାଜକୋଟରେ ଥିବା ଡାକ୍ତରଖାନା ଗୁଡିକରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ବାରା ହେବାକୁ ଥିବା ଏହି ପରୀକ୍ଷଣରେ କୋରୋନା ଭାଇରସ ରୋଗୀଙ୍କ ଉପରେ 4ଟି ଔଷଧର ପ୍ରଭାବ ଓ ମାନକ ଚିକିତ୍ସାର ତୁଳନା କରାଯିବ ବୋଲି ମୁଖ୍ୟ ସ୍ବାସ୍ଥ୍ୟ ସଚିବ ଜୟନ୍ତୀ ରବି ଗଣମାଧ୍ୟମକୁ କହିଛନ୍ତି ।
ରୋଗୀମାନଙ୍କ ଉପରେ ପରୀକ୍ଷା ହେବାକୁ ଥିବା 4ଟି ଔଷଧ ହେଉଛି - ରେମଡେସିଭର୍, ଲୋପିନାଭିର, ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ କିମ୍ବା କ୍ଲୋରୋକ୍ବିନ୍ ଏବଂ ଇଣ୍ଟରଫେରନ୍। ଏହାସହ ରୋଗୀମାନଙ୍କ ମଧ୍ୟରେ ମୂଲ୍ୟାଙ୍କନ କରାଯିବାକୁ ଥିବା ଅନ୍ୟ ଦିଗଗୁଡିକ ହେଉଛି ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି, ମୃତ୍ୟୁ ହାର, ଭେଣ୍ଟିଲେଟର ସହାୟତା ଏବଂ ଔଷଧର ତୀବ୍ର ପ୍ରତିକ୍ରିୟା।
ଅହମ୍ମଦାବାଦର ବିଜେ ମେଡିକାଲ କଲେଜ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ହସ୍ପିଟାଲ, ଭଡୋଦରାର ଗୁଜୁରାଟ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ ସୋସାଇଟି (ଜିଏମଇଆରଏସ) ମେଡିକାଲ କଲେଜ, ସୁରାଟର ନୂତନ ସିଭିଲ ହସ୍ପିଟାଲ ଏବଂ ରାଜକୋଟରେ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ମେଡିକାଲ କଲେଜ ଏଥିରେ ଭାଗ ନେବେ ବୋଲି ଅଧିକାରୀ କହିଛନ୍ତି। ଏହି ଅବସରରେ ବିଶ୍ବରର ପ୍ରାୟ 100 ଟି ଦେଶ ଅଂଶଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି।