ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2020-21 ଆର୍ଥିକ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଆର୍ଥିକ ମାନ୍ଦାବସ୍ଥା ତଥା କମ୍ ବିକାଶ ହାରକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଏବେ ବଜେଟ୍ରେ କେଉଁ ବିଭାଗକୁ କେତେ ଅର୍ଥ ଆବଣ୍ଟନ କରାଯାଇଛି ତାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି । ଭାରତର ସାମରିକ ପ୍ରତିରକ୍ଷା ବାବଦ ଖର୍ଚ୍ଚ ଏ ଭିତରୁ ଗୋଟିଏ ।
ଅନ୍ୟ କେଉଁ ବିଭାଗରେ କ’ଣ ହୋଇଛି ତାହାକୁ ଆଲୋଚନା କରିବା ପୂର୍ବରୁ ଯେ କେହି ଭାରତର ସାମରିକ ପ୍ରତିରକ୍ଷା ପାଇଁ ହୋଇଥିବା ବଜେଟ୍ ଆବଣ୍ଟନକୁ ଦେଖିଲେ ଏହା ନିଶ୍ଚିତ ହୋଇଯିବ ଯେ, ଚଳିତ ବଜେଟ୍ରେ ଦିନକୁ ଦିନ ବଢ଼ୁଥିବା ପ୍ରତିରକ୍ଷା ଆହ୍ବାନକୁ ମୁକାବିଲା କରିବା ଲାଗି ସରକାର ତତ୍ପର ହୋଇନାହାଁନ୍ତି।
ଏ ବିଷୟକୁ ବିଶ୍ଳେଷଣ କରିବା ପୂର୍ବରୁ ଗୋଟିଏ ବର୍ଷ ତଳର ଏକ ଘଟଣାକୁ ମନେ ପକାଇବା । 2019 ମସିହା, ଫେବୃୟାରୀ 27 ତାରିଖ । ସବୁ ଭାରତୀୟ ସେଦିନ ଆବାକ୍ ହୋଇଯାଇଥିଲେ ଯେତେବେଳେ ପାକିସ୍ତାନର ଏଫ୍-16 ଯୁଦ୍ଧ ବିମାନ ଆକ୍ରମଣର ଜବାବ ଦେବାକୁ ଯାଇ ମିଗ୍-21 ଭାରତୀୟ ଯୁଦ୍ଧ ଯାହାଜ ଖସିପଡିଥିଲା । ଏହାର ପାଇଲଟ୍ ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକ୍ ସେନା ଯୁଦ୍ଧବନ୍ଦୀ କରିଥିଲା । ପାକିସ୍ତାନର ଏହି କାର୍ଯ୍ୟକଳାପ ଭିଏନା ଚୁକ୍ତିର ବିରୋଧାଚରଣ କରୁଥିବା ଅଭିଯୋଗ କରି ଭାରତ ଅନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିଥିଲା । ଭାରତର ଏହି ଯୁକ୍ତି ଆଗରେ ପାକ୍ ହାର୍ ମାନି ଶେଷରେ ଅଭିନନ୍ଦନଙ୍କୁ ମୁକ୍ତ କରିଥିଲା।
କିନ୍ତୁ ଏସବୁ ସତ୍ବେ ଆମକୁ ସ୍ଵୀକାର କରିବାକୁ ହେବ ଯେ, ଯେଉଁ ବିମାନ ଆକ୍ରମଣର ଜବାବ ଦେବାକୁ ଆମେ ସେଦିନ ଚାହିଁଥିଲୁ ସେତିକିବେଳେ ଶତ୍ରୁ ପକ୍ଷ ବ୍ୟବହାର କରୁଥିବା ଆମେରୀକୀୟ ଏଫ୍-16 ଯୁଦ୍ଧ ବିମାନ ଆଗରେ ଆମେ ବ୍ୟବହାର କରୁଥିବା ଋଷ ନିର୍ମିତ ପୁରୁଣା ମିଗ୍-21ର ଟେକ୍ନୋଲୋଜିରେ ଆକାଶ-ପାତାଳ ଫରକ ଥିଲା। ଏ ବିଷୟରେ ଘଟଣା ପରେ ଯେଉଁ ପ୍ରକାର ଆଲୋଚନା, ପର୍ଯ୍ୟାଲୋଚନା ହୋଇଥିଲା, ତାହାକୁ ଦେଖିଲେ ଲାଗୁଥିଲା ଯେମିତି ଭାରତ ସରକାର ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ନୂଆ ଯୁଦ୍ଧ ଜାହାଜ କିଣିବାକୁ ପ୍ରୟାସ କରିବେ । କିନ୍ତୁ ଶନିବାର ଘୋଷଣା ହୋଇଥିବା ବଜେଟ୍ ଏ ସ୍ଵପ୍ନକୁ ଧୂଳିସାତ କରିଦେଇଛି।
ଅପରପକ୍ଷେ, ଭାରତୀୟ ବାୟୁସେନା ଅସ୍ତ୍ରଶସ୍ତ୍ର କିଣିବା ତଥା ନିଜର ଅସ୍ତ୍ରଶସ୍ତ୍ର ପ୍ଲାଟ୍ଫର୍ମକୁ ଅଧିକ ମଜବୁତ କରିବା ଲାଗି ପୂର୍ବବର୍ଷ ଅପେକ୍ଷା ଆସନ୍ତା ଆର୍ଥକ ବର୍ଷରେ (ଯାହା ଏପ୍ରିଲରୁ ଆରମ୍ଭ ହେବ) କମ୍ ଅର୍ଥ ପ୍ରାପ୍ତ କରିବାକୁ ଯାଉଛି । ଆସନ୍ତା ଆର୍ଥିକ ବର୍ଷରେ ସରକାର 43280 କୋଟି ଟଙ୍କା ବାୟୁସେନାକୁ ପ୍ରଦାନ ଲାଗି ସ୍ଥିର କରିଛନ୍ତି । ଏହା ଚଳିତ ବଜେଟ୍ ଆକଳନ ଅପେକ୍ଷା 1588 କୋଟି ଟଙ୍କା କମ ।
ଖାଲି ସେତିକି ନୁହେଁ, ଭାରତୀୟ ବାୟୁସେନା ପାଖରେ ବର୍ତ୍ତମାନ ଯୁଦ୍ଧ ପାଇଁ ମାତ୍ର 31 ସ୍କ୍ବାର୍ଡନ ରହିଛି । କିନ୍ତୁ ଯେତେବଳେ ଆପଣଙ୍କୁ ଦୁଇଟି ଯୁଦ୍ଧ ଲଢିବାକୁ ହେବ ସେତେବେଳେ, ସର୍ବନିମ୍ନ 43 ସ୍କ୍ବାର୍ଡନ ଆବଶ୍ୟକ ପଡିଥାଏ । କାରଣ ଆମର ପଶ୍ଚିମ ଓ ଉତ୍ତରପୂର୍ବ ସୀମାର ସୁରକ୍ଷା ଲାଗି ବାୟୁସେନାର ଯଥେଷ୍ଟ ଆବଶ୍ୟକ ପଡିଥାଏ।
ଏବେ 2020-21 ବଜେଟ୍ରେ ଆବଣ୍ଟନକୁ ତୁଳନା କରିବା । 2019-20 ଆର୍ଥିକ ବର୍ଷରେ ପ୍ରତିରକ୍ଷା ବାହିନୀଗୁଡିକ ପାଇଁ ସରକାର 3.18 ଲକ୍ଷ କୋଟି ଟଙ୍କା ଆବଣ୍ଟନ କରିଥିଲେ । 2018-19 ଆର୍ଥିକ ବର୍ଷରେ ଏହି ପରିମାଣ ଥିଲା 2,95 ଲକ୍ଷ କୋଟି । ଅର୍ଥମନ୍ତ୍ରୀ ଏଥର ବଜେଟ୍ରେ 3.37 ଲକ୍ଷ କୋଟି ଟଙ୍କା ସମୁଦାୟ ପ୍ରତିରକ୍ଷା ଖର୍ଚ୍ଚ ପାଇଁ ଆବଣ୍ଟନ କରିଛନ୍ତି। ପୂର୍ବବର୍ଷକୁ ତୁଳନା କଲେ ଏବର୍ଷ 5.97 ପ୍ରତିଶତ ଅଭିବୃଦ୍ଧି ହୋଇଛି । ଏଥିରେ ଅସ୍ତ୍ରଶସ୍ତ୍ର କିଣାଠୁ ଆରମ୍ଭ କରି ସେନା ବାହିନୀର ଆଧୁନିକୀକରଣ ଅନ୍ତର୍ଭୁକ୍ତ । ତାହା ପୁଣି ଶତ୍ରୁଦେଶ ପାକିସ୍ତାନ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ଚୀନକୁ ମୁକାବିଲା କରିବା ଲାଗି ।
ଯେତେବଳେ ଏଭଳି ଶତ୍ରୁକୁ ମୁକାବିଲା କରିବା ପାଇଁ ସେନା ବାହିନୀ ଫ୍ୟୁଚର ଇନ୍ଫ୍ୟାଣ୍ଟ୍ରୀ କମ୍ବାଣ୍ଟ ଭେହିକିଲ୍ (ଏଫ୍ଆଇସିଭି) ଏବଂ ଅଧିକ ହାୱିଜର ଦରକାର କରୁଛି, ବାୟୁସେନା ପାଇଁ ଫାଇଟରର ଆବଶ୍ୟକତା ଥିବାବେଳେ ନୌସେନା ଅଧିକରୁ ଅଧିକ ସବ୍ମେରାଇନ, ମାଇସ୍ଵିଇପିଂ ଭେସେଲ୍ସ ଏବଂ ହେଲିକପ୍ଟର ଆବଶ୍ୟକ କରୁଛି ସେତେବଳେ ସମୁଦାୟ ସେନା ବାହିନୀକୁ ବଜେଟ୍ରେ ଏହିପରି ଅସ୍ତ୍ରଶସ୍ତ୍ର କିଣିବା ପାଇଁ ମାତ୍ର 10 ହଜାର କୋଟି ଟଙ୍କା ଆବଣ୍ଟନ ଅତ୍ୟନ୍ତ ନଗଣ୍ୟ ବୋଲି ବିଚାର କରାଯାଏ ।
ଏବେ ଆମେ ଅଧିକ ରାଡାର ତଥା ଯୋଗାଯୋଗ ବ୍ୟବସ୍ଥା ଆବଶ୍ୟକ କରୁଛୁ। କିନ୍ତୁ ବଜେଟ୍ 2020ରେ ନୂଆ ଅସ୍ତ୍ରଶସ୍ତ୍ର ତଥା ବ୍ୟବସ୍ଥା ତିଆରି ପାଇଁ ଯେଉଁଭଳି ଅତି ନଗଣ୍ୟ ଅର୍ଥ ଆବଣ୍ଟନ କରାଯାଇଛି ତାହା ପ୍ରଭାବିତ ହେବା ଆଶଙ୍କା ରହିଛି।
ଅବଶ୍ୟ ଏହା ଠିକ୍ ଯେ, ଆବଶ୍ୟକତାର ଚିଠାରେ କେବେ ପୂର୍ଣ୍ଣଛେଦ ଲାଗେ ନାହିଁ, କିନ୍ତୁ ସୈନିକମାନଙ୍କୁ ମନୋବଳ ବଢାଇବା ଲାଗି ଇଙ୍ଗିତ ତ ପଠାଯାଇପାରି ଥାଆନ୍ତା। ଏହିପରି ଏକ ଇଚ୍ଛାଶକ୍ତିର ଅଭାବ ଏଇ ବଜେଟ୍ରେ ପରିଲକ୍ଷିତ ହୋଇଛି।
ଏହି ପ୍ରକାର ପାଣ୍ଠିର ଅଭାବ ସଦ୍ୟ ସୃଷ୍ଟି ହୋଇଥିବା ସାମରିକ ତଥା ପ୍ରତିରକ୍ଷା ସଂସ୍ଥା ଯେମିତି ପ୍ରତିରକ୍ଷା ମହାକାଶ ଏଜେନ୍ସୀ ( ଡିସ୍ଏ) ପ୍ରତିରକ୍ଷା ସାଇବର ଏଜେନ୍ସୀ( ଡିସିଏ)ର କାର୍ଯ୍ୟକାରୀତାରେ ସମସ୍ୟା ସୃଷ୍ଟି କରିଥାଏ। ଏହି ପରିପ୍ରେକ୍ଷୀରେ ପ୍ରତିରକ୍ଷା ଗବେଷଣା ଓ ବିକାଶ କଥା ନକହିଲେ ଭଲ।
ଅନ୍ୟପକ୍ଷରେ ଆମ ଦେଶ 2025 ସୁଦ୍ଧା ଏକ ବିଶାଳ ଅର୍ଥନୀତିରେ ପରିଣତ ହେବ ବୋଲି ଆଶା ରଖାଯାଇଛି। ସରକାରଙ୍କ ପ୍ରସ୍ତାବ ଓ ଆଶା ଅନୁସାରେ ଆମେ ବିଶ୍ଵର ତୃତୀୟ ସର୍ବବୃହତ୍ (5 ଟ୍ରିଲିୟନ) ଅର୍ଥନୀତି ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଦେଶର ସୁରକ୍ଷା ଲାଗି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଗୁପ୍ତ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ରହିଛି । ଏଣୁ ଡ୍ରୋନ୍, ହାଇପରସୋନିକ ଅସ୍ତ୍ର, ଇଲେକ୍ଟ୍ରୋମ୍ୟାଗ୍ନେଟିକ ଅସ୍ତ୍ରଶସ୍ତ୍ର, ରେଲ୍ ଗନ୍ସ ପ୍ରଭୃତି ଦେଶ ପାଖରେ ରହିବା ନିହାତି ଆବଶ୍ୟକ । କିନ୍ତୁ ବ୍ୟବସ୍ଥାରେ ଅର୍ଥ ଅଭାବ ଏପରି ଅତ୍ୟାଧୁନିକ ଜ୍ଞାନ କୌଶଳରେ ପ୍ରତିରକ୍ଷାରୁ ଆମକୁ ବଞ୍ଚିତ କରାଇବ।
କିନ୍ତୁ ସରକାରୀ କ୍ଷେତ୍ରକୁ ଦେଖିବାକୁ ଗଲେ, ଯେଉଁଭଳି ସ୍ଥିତିରେ ଆମ ଅର୍ଥନୀତି ବର୍ତ୍ତମାନ ଗତି କରୁଛି, ସେଠାରେ ସରକାରଙ୍କ ପ୍ରଥମ କାର୍ଯ୍ୟ ହେଉଛି ବିକାଶ, ପ୍ରତିରକ୍ଷା ଭିତରେ ସମନ୍ବୟ ରକ୍ଷା କରିବେ। ଏଭଳି ଏକ ମୁହୂର୍ତ୍ତରେ ପ୍ରତିରକ୍ଷା କ୍ଷେତ୍ରର ଏହି ଅପରିହାର୍ଯ୍ୟ ଆବଶ୍ୟକତାକୁ ପୂରଣ କରିବା ବି ଏକ କଷ୍ଟକର ପାଠ। ଏଣୁ ସାମରିକ ପ୍ରତିରକ୍ଷା ପାଖରେ ସୁଯୋଗ ଅତି ନଗଣ୍ୟ । ଏପରି କ୍ଷେତ୍ରରେ ଆମକୁ ନିଜର ଦକ୍ଷତା ବୃଦ୍ଧି କରିବାକୁ ପଡିବ। ଆମେ କିପରି କମ୍ ଅର୍ଥ ବିନିଯୋଗରେ ଅଧିକ ଲାଭବାନ ହୋଇପାରୁଛୁ ସେ ବିଷୟକୁ ଧ୍ୟାନ ଦେବାକୁ ହେବ। ଆତ୍ମବିଶ୍ଵାସ ବୃଦ୍ଧି ସହ ଘରୋଇ କ୍ଷେତ୍ରର ସହଭାଗୀତାକୁ ଅଗ୍ରାଧିକାର ଦେବାକୁ ହେବ।
ସଞ୍ଜୟ କେ.ବରୁଆ, ବରିଷ୍ଠ ସାମ୍ବାଦିକ