ଭୋପାଳ: ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସ୍ଆଇଠାରୁ ବିଜେପି ଓ ବଜରଙ୍ଗ ଦଳ ଟଙ୍କା ନେଇ ଗୁପ୍ତଚର ବୃତ୍ତି କରୁଥିବା ବୟାନ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ସଭା ସଦସ୍ୟ ଦିଗ୍ବିଜୟ ସିଂ । ଏହି ବୟାନ ପରେ ମଧ୍ୟପ୍ରଦେଶ ବିଧାନସଭାରେ ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ ଦିଗ୍ବିଜୟଙ୍କୁ ପ୍ରତିଆକ୍ରମଣ କରିଛନ୍ତି । ଦିଗବିଜୟ୍ଙ୍କ ଭାଷା ଓ ପାକିସ୍ତାନ ଭାଷା ଏକ ପ୍ରକାରର । ଭାର୍ଗବ ଦିଗବିଜୟଙ୍କୁ ପାକିସ୍ତାନ ପ୍ରେମୀ କହିବା ସହ ପାକିସ୍ତାନରେ ଯାଇ ସେଠାରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।
ଏତିକିରେ ଗୋପାଳ ଭାର୍ଗବ ଅଟକି ନାହାଁନ୍ତି । ଲାଇମ୍ ଲାଇଟରେ ରହିବା ପାଇଁ ଦେଶର ଶହୀଦ ଯବାନଙ୍କୁ ଅପମାନ କରିବା ହେଉ ଅଥବା ସେନାର କାର୍ଯ୍ୟ ପ୍ରତି ଅଙ୍ଗୁଳି ଉଠାଇବା ହେଉ ସବୁଥିରେ ଦିଗ୍ବିଜୟଙ୍କ ବୟାନ ଅତ୍ୟନ୍ତ ଲଜ୍ୟାଜନକ ବୋଲି ସେ କହିଛନ୍ତି । ଏଭଳି ବୟାନବାଜି ପାଇଁ ଦିନେ 44 ସିଟ୍ ଜିତିଥିବା କଂଗ୍ରେସ 4କୁ ଖସିଯିବା କହି କଟାକ୍ଷ କରିଛନ୍ତି ଗୋପାଳ । ସେ ଆହୁରି ମଧ୍ୟ ଦିଗବିଜ୍ୟଙ୍କୁ ମାନସିକ ଭାବରେ ଦେବାଳିଆ ବ୍ୟକ୍ତି ବୋଲି କହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦିଗବିଜ୍ୟ କହିଥିଲେ ଯେ ଦେଶରେ ମୁସଲମାନଙ୍କ ଅପେକ୍ଷା ଅଣମୁସଲମାନ ଟଙ୍କା ନେଇ ଆଇଏସ୍ଆଇ ପାଇଁ ଗୁଇନ୍ଦାଗିରି କରୁଛନ୍ତି । ଏହାସହ ସେ ଆହୁରି କହିଥିଲେ ଯେ ଏହି ଗୁପ୍ତଚର ବୃତ୍ତି କରିବା ଅଭିଯୋଗରେ ବଜରଙ୍ଗ ଦଳ କର୍ମୀ ଏବଂ ବିଜେପି ଆଇଟି ସେଲ୍ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟପ୍ରଦେଶ ପୋଲିସ ଗିରଫ କରିଥିଲା ।