ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟ୍ରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ଭାରତର ସ୍ବଳ୍ପ ମୂଲ୍ୟର ବିମାନ GoAir ଏହାର ବରିଷ୍ଠ ପାଇଲଟଙ୍କୁ ଶନିବାର ସେବାରୁ ନିଲମ୍ବିତ କରିଛି । ବିମାନ କମ୍ପାନୀ ଏହି ସମ୍ପର୍କରେ ଖବର ପାଇବା ପରେ ପାଇଲଟଙ୍କ ଟ୍ବିଟରୁ ନିଜକୁ ଅଲଗା କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଏହି ସମ୍ପର୍କରେ ବିମାନ କମ୍ପାନୀର ମୁଖପାତ୍ର କହିଛନ୍ତି ଯେ GoAirର ଏକ ଶୂନ୍ୟ-ସହନଶୀଳତା ନୀତି ରହିଛି ଏବଂ ସୋସିଆଲ ମିଡିଆ ଆଚରଣ ସମେତ କମ୍ପାନୀର ନିଯୁକ୍ତି ନିୟମ, ନିୟମାବଳୀ ଏବଂ ନୀତି ପାଳନ କରିବା ବାଧ୍ୟତାମୂଳକ ଅଟେ। ଏହି ବିମାନ କମ୍ପାନୀ କୌଣସି ବ୍ୟକ୍ତି କିମ୍ବା କର୍ମଚାରୀଙ୍କ ଦ୍ବାରା ପ୍ରକାଶିତ ବ୍ୟକ୍ତିଗତ ମତ ସହିତ ଜଡିତ ନୁହେଁ ବୋଲି ସେ କହିଛନ୍ତି । ତେବେ ଏହି ସମ୍ପର୍କରେ GoAir କମ୍ପାନୀ ତୁରନ୍ତ ପ୍ରତିକ୍ରିୟା ଦେଖାଇ କ୍ୟାପଟେନଙ୍କୁ ଚାକିରୀରୁ ନିଲମ୍ବିତ କରିଛି ।
ସେପଟେ ନିଲମ୍ବିତ ହୋଇଥିବା କ୍ୟାପଟେନ ଏହି ସମ୍ପର୍କରେ ପୁଣି ଟ୍ବିଟ କରି କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଲେଖିଛନ୍ତି, " ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କରିଥିବା ଟ୍ବିଟ ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି । ତେବେ GoAir ବିମାନ କମ୍ପାନୀ ମୋର କୌଣସି ବ୍ୟକ୍ତିଗତ ମନ୍ତବ୍ୟ ସହିତ ଜଡ଼ିତ ନୁହେଁ । ଏଥିପାଇଁ ମୁଁ ସମ୍ପୂର୍ଣ୍ଣ ରୂପେ ଦାୟୀ ଏବଂ ମୋର ଭୁଲକୁ ମୁଁ ସ୍ବୀକାର କରୁଛି । " ବୋଲି ସେ ଟ୍ବିଟରେ ଲେଖିଛନ୍ତି । ସେ ଗତ ଜାନୁଆରୀ 7 ତାରିଖରେ ଏହି ମନ୍ତବ୍ୟ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ