ନୂଆଦିଲ୍ଲୀ: ସବୁ କ୍ଷେତ୍ରରେ ଲେଡିଜ ଫାଷ୍ଟ। ଏହି ଉକ୍ତିକୁ ପ୍ରମାଣିତ କରିବା ସହ ମହିଳାଙ୍କୁ ପୁରୁଷଙ୍କ ସହ ସମକକ୍ଷ କରିବା ପାଇଁ ଆରମ୍ଭ ହେବ ମହିଳାଙ୍କ ନାଇଟ ସିଫ୍ଟ । ଏବେ ବିଭିନ୍ନ କର୍ମ ସଂସ୍ଥାରେ ପୁରୁଷଙ୍କ ପରି ମହିଳାମାନେ ମଧ୍ୟ ରାତିରେ କାମ କରିପାରିବେ ବୋଲି ନିଷ୍ପତି ନେଇଛନ୍ତି ଗୋଆ ସରକାର ।
ଖବର ଅନୁଯାୟୀ, ଗୋଆ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯିବା ସହ ଫ୍ୟାକ୍ଟ୍ରି ଆକ୍ଟର ସଂଶୋଧନକୁ ବୁଧବାର କ୍ୟାବିନେଟରେ ମଞ୍ଜୁରୀ କରାଯାଇଛି । ଏହି ସଂଶୋଧିତ ବିଲ୍ ଆଗାମୀ ମୌସୁମୀ ଅଧିବେଶନରେ ବିଧାନସଭାରେ ଆଗତ କରାଯିବ । ଆଉ ବିଧାନସଭାରେ ଏହି ବିଲ୍ ପାରିତ ହେଲା ପରେ ମହିଳାମାନେ ସନ୍ଧ୍ୟା 7ରୁ ସକାଳ 6ଟା ପର୍ଯ୍ୟନ୍ତ ବିଭିନ୍ନ କର୍ମକ୍ଷେତ୍ରରେ କାର୍ଯ୍ୟ କରିପାରିବେ ।
ତେବେ ମହିଳାମାନେ ରାତିରେ କାମ କରିପାରିବାର ନିଷ୍ପତ୍ତି ସଂସ୍ଥାର ମୁଖ୍ୟଙ୍କ ଉପରେ ନିର୍ଭର କରେ । ସେ ରାଜି ହେଲେ, ମହିଳାମାନେ ରାତିରେ କାମ କରିପାରିବେ ବୋଲି ଗୋଆ ଉପମୁଖ୍ୟମନ୍ତ୍ରୀ ସରଦେଶାଇ କହିଛନ୍ତି । ଏହାସହ ଆମେ ମାନେ ମେକ ଇନ ଇଣ୍ଡିଆ କଥା କହୁଛେ । ଯଦି ଭାରତକୁ ଅଗ୍ରଗତି ଓ ସୁଦୃଢ କରିବାକୁ ଚାହୁଁଛେ ତେବେ କମ୍ପାନୀମାନେ ବେଶ ଗୁରୁତ୍ବ ବହନ କରନ୍ତି । ଏନେଇ ଉଭୟ ପୁରୁଷ ଓ ମହିଳା ସହଭାଗିତାରେ କାମ କରିବା ନିହାତି ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।