ମୋହନ ଦାସ କରମଚାନ୍ଦ ଗାନ୍ଧୀ । ଜଣେ ଉତ୍ତମ ମାର୍ଗଦର୍ଶକ, ପଥପ୍ରଦର୍ଶକ ଏବଂ ଶ୍ରେଷ୍ଠ ଯୋଗଯୋଗକାରୀ । ନିଜର ବଳିଷ୍ଠ ବାଣୀ ଏବଂ ରୁଦ୍ଧିମନ୍ତ ଲେଖା ପାଇଁ ସେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ନିକଟତର ହୋଇପାରୁଥିଲେ । ହେଲେ ଆପଣ ଜାଣିଲେ ଆଶ୍ଟର୍ଯ୍ୟ ହେବେ ପ୍ରାଥମିକ ଶିକ୍ଷା ସମୟରେ ସେ ଜଣେ ଭଲ ବିଦ୍ୟାର୍ଥୀ ନଥିଲେ ଏବଂ ଯୋଗଯୋଗକାରୀ ନଥିଲେ । ଲୋକଙ୍କ ସହିତ କମ୍ ମିଶାମିଶି କରୁଥିଲେ । ପରବର୍ତ୍ତୀ ସମୟରେ ସେ ନିଜକୁ ଏପରି ଭାବେ ଗଢି ତୋଳିଥିଲେ ଯେ ସେ ଜଣେ ଭୟଭୀତହୀନ ଯୋଗାଯୋଗକାରୀ ଭାବେ ଖ୍ୟାତି ଅର୍ଜନ କରିଥିଲେ ।
ଲଣ୍ଡନରେ ଆଇନ ପାଠ ପଢୁଥିବା ସମୟରେ 21 ବର୍ଷ ବୟସରେ ସେ 9ଟି ପ୍ରବନ୍ଧ ଲେଖିଥିଲେ । ଯାହାକି ‘ଦ ଭେଜିଟେରିଆନ’ ନାମକ ଏକ ଇଂରାଜୀ ସାପ୍ତାହିକରେ ପ୍ରକାଶିତ ହୋଇଥିଲା । ଏଥିରେ ସେ ଭାରତୀୟ ଖାଦ୍ୟ, ବସ୍ତ୍ର ଓ ପର୍ବପର୍ବାଣୀ ସମ୍ପର୍କରେ ଉଲ୍ଲେଖ କରିଥିଲେ । ତେବେ ତାଙ୍କର ଏହି ପ୍ରଥମ ଲେଖାରେ ହିଁ ତାଙ୍କର ଲେଖାଶୈଳୀ ଜଣାପଡିଥିଲା । ସରଳ ଓ ବୋଧଗମ୍ୟ ଭାଷାରେ ସାଧାରଣ ଲୋକଙ୍କ ପାଇଁ ତାଙ୍କ ଲେଖା ଥିବା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଥିଲା ।
ଦକ୍ଷିଣ ଆଫ୍ରିକା ଗସ୍ତର ତୃତୀୟ ଦିନରେ ହିଁ ତାଙ୍କୁ କୋର୍ଟରେ ଅପମାନିତ କରାଯାଇଥିଲା । ଯାହାକୁ ସେ ଏକ ଆଞ୍ଚଳିକ ଖବରକାଗଜରେ ପ୍ରକାଶିତ କରିଥିଲେ । ଫଳରେ ରାତାରାତି ସେ ଲୋକପ୍ରିୟ ହୋଇଥିଲେ । ପରେ 1893 ମସିହାରେ ଯେତେବେଳେ ଗାନ୍ଧୀଜୀ ସେଠାକାର ରାଜନୀତିରେ ପାଦ ଦେଲେ ସେତେବେଳେ ସେ ଦକ୍ଷିଣ ଆଫ୍ରିକାର ଖବରକାଗଜ ସମ୍ପାଦକ ଓ କିଛି ଭାରତୀୟ ସମ୍ପାଦକଙ୍କୁ ପତ୍ରଲେଖି ଜଣାଇଥିଲେ । ଯାହା ସମ୍ପାଦକଙ୍କ ସହିତ ତାଙ୍କର ସମ୍ପର୍କକୁ ମଜବୁତ କରିଥିଲା ।
ତେବେ ଦକ୍ଷିଣ ଆଫ୍ରିକାରେ କିଛି ମାସ ରହିବା ପରେ ସେ ବୁଝିଥିଲେ ଯେ ଜଣେ ସାମ୍ବାଦିକ ହେବାକୁ ହେଲେ ଭାରତୀୟଙ୍କ ଅଧିକାର ପାଇଁ ଲଢେଇ କରିବାକୁ ପଡିବ । ଏହା ପରେ ସେ ସାହସ ଦେଖାଇ ଏସବୁ ଦିଗରେ କାମ ଆରମ୍ଭ କଲେ । ଯାହା ସେ ସମୟରେ ଖବରକାଗଜରେ ପ୍ରକାଶିତ ହେଉଥିଲା । ତେବେ ତାଙ୍କର ଦକ୍ଷିଣ ଆଫ୍ରିକାରେ ଭାରତୀୟଙ୍କ ପାଇଁ ଲଢେଇର ଏକ ନମୂନା ସେ 1894 ମସିହାରେ ଏକ ଖବରକାଗଜକୁ ଲେଖିଥିବା ପତ୍ରରେ ଦେଖିବାକୁ ମିଳିଛି ।
ତେବେ ଏସବୁ ଗାନ୍ଧୀବାଦୀ ନୀତି ତାଙ୍କର ଅହିଂସା ହିଁ ପରମ ଧର୍ମ ବୋଲି ସୂଚାଉଛି । ଯାହାକୁ ନେଲସନ ମାଣ୍ଡେଲା ଭଳି ବ୍ୟକ୍ତିତ୍ବ ଗ୍ରହଣ କରିଥିଲେ । ମାଣ୍ଡେଲା ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନରେ ଅନୁପ୍ରାଣିତ ହୋଇ ଦକ୍ଷିଣ ଆଫ୍ରିକାରେ ଚାଲିଥିବା ବର୍ଣ୍ଣବୈଷମ୍ୟ ବିରୋଧରେ ଅହିଂସା ଉପାୟରେ ସଂଘର୍ଷ ଆରମ୍ଭ କରିଥିଲେ ମାଣ୍ଡେଲା । ଯାହାକି ଗାନ୍ଧୀବାଦର ଉଦାହରଣ । ଯାହା ଆମକୁ ଶିକ୍ଷା ଦିଏ ଅହିଂସାରେ ହିଁ ଆମେ ସବୁକିଛି ହାସଲ କରିପାରିବା ।
କେବଳ ଜଣେ ରାଜନେତା ହିସାବରେ ନୁହେଁ ବଂର ଜଣେ ସାମ୍ବାଦିକ ହିସାବରେ ବି 1903ରୁ ନେଇ 1948 ମସିହା ଯାଏ ଯଦି ନଜରକୁ ଅଣାଯାଏ ତେବେ 300 ମିଲିଅନ ଲୋକଙ୍କ ଆଶା ଭରସା ପାଲଟିଥିଲେ ସେ । ଗାନ୍ଧୀଙ୍କ ସାମ୍ନାରେ ତାଙ୍କୁ ସମ୍ମାନ ଜଣାଇ ନତମସ୍ତକ କଲେ ଚଳିବନି ବଂର ସମାଜକୁ ତାଙ୍କ ଅବଦାନ ଓ ପରାମର୍ଶ ମଧ୍ୟ ବୁଝିବା ଆବଶ୍ୟକ । ଏହାହିଁ ତାଙ୍କ 150 ତମ ଜନ୍ମବାର୍ଷିକୀରେ ଗାନ୍ଧୀଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ ।