କାବୁଲ: ଗୁରୁବାର ଆଫଗାନିସ୍ତାନର କାନ୍ଦାହାର ପ୍ରଦେଶରେ ଏକ ରାସ୍ତାରେ ଖଣି ବିସ୍ଫୋରଣରେ 4 ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ 6 ଜଣ ଆହତ ହୋଇଛନ୍ତି। ତେବେ ପଞ୍ଜୱାଇ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ଗାଡ଼ି ରାସ୍ତା କଡ଼ରେ ଥିବା ଖଣି ସହ ଘକ୍କା ହେବା ପରେ ଏହି ବିସ୍ଫୋରଣ ଘଟିଥିଲା ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଏହି ବିସ୍ଫୋରଣରେ ତିନିଜଣ ମହିଳା ଏବଂ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଶିଶୁ, ଜଣେ ମହିଳା ଏବଂ ଜଣେ ପୁରୁଷ ଆହତ ହୋଇଛନ୍ତି ବୋଲି ବିବୃତ୍ତିରେ କୁହାଯାଇଛି।
ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ତେବେ ବିସ୍ଫୋରଣ ପାଇଁ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ଦାୟୀ କରିନାହାଁନ୍ତି। ପ୍ରକାଶ ଥାଉକି, ଅଗଷ୍ଟ 9 ରେ, କାନ୍ଦାହାର ପ୍ରଦେଶର ଆର୍ଗିସ୍ତାନ ଜିଲ୍ଲାର ଏକ ରାସ୍ତା କଡ଼ରେ ଖଣି ବିସ୍ଫୋରଣରେ ଅତି କମରେ ଆଠ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ।