ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ ଆନ୍ଦୋଳନରତ ଚାଷୀମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ରବିବାର ଅପରାହ୍ନ 4ଟାରେ ସାମ୍ବାଦିକ ସମ୍ମିଳନୀ କରି ନିଜର ବାର୍ତ୍ତା ରଖିବେ ଚାଷୀ ନେତା । ତେବେ ଚାଷୀମାନଙ୍କ ଏହି ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି ।
ଚାଷୀ ନେତାଙ୍କ ବୈଠକରେ ସାମିଲ ସ୍ବରାଜ ପାର୍ଟିର ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି, ରବିବାର ସକାଳେ ପଞ୍ଜାବର 30ଟି କୃଷକ ସଂଗଠନର ବୈଠକ ହୋଇଛି । ତେବେ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ପରେ ଗୃହ ସଚିବଙ୍କ ପକ୍ଷରୁ ପଠାଯାଇଥିବା ଚିଠିରେ କୃଷି ଆଇନ ଉପରେ ଆଲୋଚନା ପାଇଁ ରାସ୍ତା ଛାଡି ବୁରାଡି ଆସିବାର ସର୍ତ୍ତକୁ ଚାଷୀମାନେ ନାମଞ୍ଜୁର କରିଦେଇଥିବା କହିଛନ୍ତି ଯାଦବ ।
ଯୋଗେନ୍ଦ୍ର କହିଛନ୍ତି, ଆମର ଲକ୍ଷ୍ୟ ରାସ୍ତା ଅବରୋଧ କରି ଜନସାଧାରଣଙ୍କୁ ଅସୁବିଧା ପକାଇବା ନୁହେଁ । ଚାଷୀମାନେ ଦୀର୍ଘ 2 ମାସରୁ ଏହି ଆନ୍ଦୋଳନ ଚଳାଇଛନ୍ତି । ଏପରିସ୍ଥିତିରେ ସରକାରଙ୍କ ସର୍ତ୍ତ କପରି ମାନିନେବୁ ବୋଲି ପ୍ରଶ୍ନ କରିଛନ୍ତି ଯାଦବ ।
ଯୋଗେନ୍ଦ୍ର ଯାଦବ ଆହୁରି ମଧ୍ୟ କହିଛନ୍ତି, ଏହି ସମାସ୍ୟା ଉପରେ ପବିବାର ଅପରାହ୍ନ 4ଟାରେ କୃଷକ ସଂଗଠନ ଗୁଡିକର ପ୍ରତିନିଧିଙ୍କ ସାମ୍ବାଦିକ ସମ୍ମିଳନୀ ରହିଛନ୍ତି । ନଭେମ୍ବର 26ରେ 'ଦିଲ୍ଲୀ ଚାଲ'ର ଡାକରା ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିଲା । ମିଳିତ କୃଷକ ମୋର୍ଚ୍ଚାରେ ଦେଶର 450 କୃଷକ ସଂଗଠନ ସାମିଲ ରହିଛନ୍ତି । ଏମାନେ ସମସ୍ତେ 7 ସଦସ୍ୟ କମିଟି ଗଠନ କରିଛନ୍ତି । ଏହି 7 ସଦସ୍ୟଙ୍କ ମଧ୍ୟରୁ ଯୋଗେନ୍ଦ୍ର ଯାଦବ ଜଣେ ।
ଶନିବାର ଚାଷୀମାନଙ୍କୁ ଆନ୍ଦୋଳର ରାସ୍ତା ଛାଡି ଆଲୋଚନା ପାଇଁ ଆସିବାକୁ ସନ୍ଦେଶ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଗୃହମନ୍ତ୍ରୀ କହିଥିଲେ, ଚାଷୀଙ୍କ ପ୍ରତ୍ୟେକ ସମସ୍ୟା ଓ ଦାବି ଉପରେ ବିଚାର କରିବା ପାଇଁ ସରକାର ତତ୍କାଳ ପ୍ରସ୍ତୁତ । ପଞ୍ଜାବ ସୀମାରୁ ନେଇ ଦିଲ୍ଲୀ, ହରିୟାଣା ସୀମାରେ ଯେଉଁ ଚାଷୀ ଭାଇମାନେ ଆନ୍ଦୋଳନ କରୁଛନ୍ତି ସେମାନଙ୍କୁ ମୁଁ ଅପିଲ କରୁଛି କି, ଭାରତ ସରକାର ଆପଣଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ରହିଛି । ଯଦି ଚାଷୀମାନେ ଚାହୁଁଛନ୍ତି ଡିସେମ୍ବର 3 ପୂର୍ବରୁ ଶୀଘ୍ର ଆଲୋଚନା ହେଉ, ତେବେ ମୁଁ ଆପଣଙ୍କୁ ସୁନିଶ୍ଚିତ କରୁଛି ଯେ ଆପଣ ନିର୍ଦ୍ଧାରିତ ସ୍ଥାନକୁ ଯିବା ମାତ୍ରେ ସରକାର ଆପଣଙ୍କ ସମସ୍ୟାର ସମାଧାନ କରିବେ ।