ମୁମ୍ବାଇ: ପ୍ରାୟ ଏକ ମାସର ମହାଭାରତ ପରେ ନିକଟରେ ଶେଷ ହୋଇଛି ମହାରାଷ୍ଟ୍ରର ମହାନାଟକ । ବିଜେପି-ଶିବସେନା ମେଣ୍ଟ ଭାଙ୍ଗିବା ପରେ ମହାରାଷ୍ଟ୍ରରେ ଗଠନ ହୋଇଛି ଶିବସେନା-ଏନସିପି-କଂଗ୍ରେସର ମେଣ୍ଟ ସରକାର। ମେଣ୍ଟର ନେତା ଭାବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ମେଣ୍ଟରୁ 6ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।
ଏହାସହ ମେଣ୍ଟ ବହୁମତ ସାବ୍ୟସ୍ତ କରି ବାଚସ୍ପତି ନିର୍ବାଚନ ମଧ୍ୟ ଶେଷ ହୋଇଛି । ଏବଂ ରାଜ୍ୟପାଳ ବିଧାନସଭା ଓ ବିଧାନ ପରିଷଦକୁ ସମ୍ବୋଧନ କରିଛନ୍ତି । ରାଜ୍ୟପାଳଙ୍କ ସମ୍ବୋଧନ ପରେ ଉଭୟ ଗୃହକୁ ଚଳିତ ମାସ 16 ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ଅନ୍ୟପଟେ ବିରୋଧୀ ଦଳନେତା ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଚୟନ ହୋଇଛନ୍ତି।
ତେବେ ରାଜ୍ୟପାଳଙ୍କ ମିଳିତ ଅଧିବେଶନକୁ ସମ୍ବୋଧନ ପରେ ଗୃହରେ ହୋଇଥିବା ଚର୍ଚ୍ଚାକୁ ନେଇ ଏବେ ସବୁଠି ଲାଗି ରହିଛି ଆଲୋଚନା ପର୍ଯ୍ୟାଲୋଚନା । ଗୃହର ନେତା ଭାବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସମ୍ବୋଧନ କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଛଳନାପୂର୍ଣ୍ଣ ଢଙ୍ଗରେ ପ୍ରଶଂସା କରିଥିଲେ । ମେଣ୍ଟ ଭାଙ୍ଗିଥିଲେ ମଧ୍ୟ ଉଭୟଙ୍କର ବନ୍ଧୁତା ବଜାୟ ରହିବ ବୋଲି କହିଥିଲେ । ଖାଲି ଏତିକି ନୁହେଁ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଁ କେବେ ବିରୋଧୀ ଦଳ ନେତା ଭାବେ ଗ୍ରହଣ କରିପାରିବି ନାହିଁ । ବଂର ସେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବବାନ ନେତା ଭାବେ ତାଙ୍କୁ ଗ୍ରହଣ କରିବି ବୋଲି କହିଥିଲେ ।
ଏହାପରେ ପାଳି ପଡିଥିଲେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସଙ୍କ । ଫଡନାଭିସ ମଧ୍ୟ ଉଦ୍ଧବଙ୍କୁ ବ୍ୟଙ୍ଗାତ୍ମକ ଢଙ୍ଗରେ ଉତ୍ତର ଦେବା ସହ କିଛି ସାୟରୀ ଶୁଣାଇଥିଲେ । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଦେବେନ୍ଦ୍ର କହିଥିଲେ ଆମେ ନୂତନ ସରକାରଙ୍କୁ ଶୁଭେଛା ଦେଉଛୁ । ବିରୋଧୀ ଦଳ ଭାବେ ସରକାରଙ୍କୁ ବିକାଶ ମୂଳକ କାମରେ ପୂର୍ଣ୍ଣମାତ୍ରାରେ ସହଯୋଗ କରିବୁ । କିନ୍ତୁ ଜନତାଙ୍କ ରାୟକୁ ଭୁଲିବୁ ନାହିଁ । ଜନତା ଆମକୁ ସମର୍ଥନ ଦେଇଥିଲେ, ଆମେ 105 ସିଟରେ ବିଜୟ ହୋଇଛୁ । କିନ୍ତୁ ଶିବସେନା ସହ ମତଭେଦ ଯୋଗୁଁ ସରକାର ଗଠନ ହୋଇପାରିଲା ନାହିଁ । ତଥାପି ଜନତାଙ୍କୁ ଦେଇଥିବା ପ୍ରତିଶୃତିକୁ ମୁଁ ପୁଣି ଥରେ କହୁଛି କହିଥିଲେ ଦେବେନ୍ଦ୍ର । ଦେବେନ୍ଦ୍ର ଅଟଳ ବିହାରୀ ବାଜପେୟୀଙ୍କ ଭଳି ନିଆରା ଶାୟରୀରେ କହିଥିଲେ ‘ମେରା ପାନି ଉତ୍ତରତା ଦେଖ୍ ମେରେ କିନାରେ ପର ଘର୍ ମତ୍ ବସା ଲେନା... ମେଁ ସମୁନ୍ଦର ହୁଁ ଲୋଟକର ଫିର୍ ଆଉଙ୍ଗା .... ଫଡନାଭିସଙ୍କ ଏହି ଶାୟରୀକୁ ନେଇ ଏବେ ସବୁଠି ଚର୍ଚ୍ଚା।