ନୂଆଦିଲ୍ଲୀ: କୋରୋନାଠୁ ଶରୀରକୁ ରକ୍ଷା କରିବା ପାଇଁ ବଜାରକୁ ଆସିଛି କୋରୋନା ଆଣ୍ଟି-ଜର୍ମ କୋଟ୍ । ଏହାକୁ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ତ୍ରିପାଠୀ ଲଞ୍ଚ କରିବା ସହିତ କ୍ଲବ୍ ଅନ୍ ଏୟାର(ଏକ ଘରୋଇ ଚାର୍ଟାଡ ବିମାନ କମ୍ପାନୀ) ସହିତ ସହଯୋଗ ସ୍ଥାପନ କରିଥିବା ଜଣାପଡିଛି ।
ବର୍ତ୍ତମାନ ସମୟରେ କୋରୋନା ପାଇଁ ଧୀରେ ଧୀରେ ଲୋକଙ୍କ ମନରେ ଭୟ କମିବାରେ ଲାଗିଛି । ହେଲେ ଏହି ମହାମାରୀ ପାଇଁ ସତର୍କତା ନିହାତି ଆବଶ୍ୟକ । କିନ୍ତୁ ଅଧିକ ସମୟ ପିପିଇ କିଟ୍ ପିନ୍ଧିବା ସମ୍ଭବ ନୁହେଁ । ଏହାକୁ ନଜରରେ ରଖି ଡିଜାଇନର୍ ମନୀଷ ତ୍ରିପାଠୀ ଏହି କୋରୋନା ଆଣ୍ଟି-ଜର୍ମ କୋଟ୍କୁ ଡିଜାଇନ୍ କରିଥିବା ଜଣାପଡିଛି ।
ଏହି କୋଟ୍ଟି ଦେଖିବାକୁ ସୁନ୍ଦର ହେବା ସହିତ ପିନ୍ଧିବାକୁ ଆରାମ ଲାଗିଥାଏ । ବିଭିନ୍ନ ରଙ୍ଗରେ ଏହି କୋଟ୍ଟି ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବା ସହିତ ନିଜ ଘରେ ସହଜରେ ଉପଭୋକ୍ତା ଏହାକୁ ସଫା କରିପାରିବେ । 7ଥର ସଫା କରିବା ପରେ ମଧ୍ୟ ଏହି କୋଟ୍ଟି କୋରୋନାକୁ ମାରିବାର କ୍ଷମତା ରଖିଥାଏ । ଏହାକୁ ମନୀଷ ତ୍ରିପାଠୀଙ୍କ ୱେବ୍ସାଇଟ୍ କିମ୍ବା ଆମାଜନ୍ରୁ ମଧ୍ୟ ଗ୍ରାହକ କିଣି ପାରିବେ ବୋଲି ମନୀଷ ତ୍ରିପାଠୀ ସୂଚନା ଦେଇଛନ୍ତି ।
ଗୁରୁବାର ଏକ ପଞ୍ଚତାରକା ହୋଟେଲରେ ଏହି କୋଟ୍କୁ ଲଞ୍ଚ କରାଯାଇ କ୍ଲବ ଅନ୍ ଏୟାର କମ୍ପାନୀ ସହିତ ସହଯୋଗ ସ୍ଥାପନ କରାଯାଇଥିଲା । ବିମାନର କ୍ରୁ ମେମ୍ବର ଓ ପାଇଲଟ ଏହି ଆଣ୍ଟି-ଜର୍ମ କୋଟ୍କୁ ବିମାନରେ ପିନ୍ଧିବେ । ଏହି କାର୍ଯ୍ୟକ୍ରମରେ କ୍ଲବ ଅନ ଏୟାରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗ ରାଜନ ମେହେରା ଦେଇ କହିଛନ୍ତି," ବିମାନର କ୍ରୁ ମେମ୍ବରମାନେ ପିପିଇ କିଟ୍ ପିନ୍ଧି କାର୍ଯ୍ୟ କରିବା ଅତ୍ୟନ୍ତ କଷ୍ଟଦାୟକ ହୋଇପଡୁଥିଲା । କିନ୍ତୁ ମନୀଷ ତ୍ରିପାଠୀଙ୍କ ଏହି ଆଣ୍ଟି-ଜର୍ମ କୋଟ କୋରୋନା ଜୀବାଣୁକୁ ମାରିବାରେ ସହାୟକ ହେବା ସହିତ ପିନ୍ଧିବାକୁ ମଧ୍ୟ ଆରାମଦାୟକ । ଏଣୁ ମୁଁ ମନୀଷଙ୍କ ସହିତ ସହଯୋଗ ସ୍ଥାପନ କରିଥିଲି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ