କୃଷିଭିତ୍ତିକ ଶ୍ରମିକଙ୍କୁ ସେମାନଙ୍କ ଗାଁରେ ବର୍ଷକୁ ଅତି କମ୍ରେ ୧୦୦ ଦିନର କାମ ନିଶ୍ଚିତ କରିବା ଲାଗି ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ସାରା ଦେଶରେ ଜାରି ରହିଛି । ଏହି ଯୋଜନାକୁ ୧୪ ବର୍ଷ ହେଲାଣି । ଏବେ କିନ୍ତୁ ଏ ଯୋଜନାର ବିଶେଷ ପ୍ରସଙ୍ଗିକତା ଅନୁଭୂତ ହୋଇଛି । କାରଣ କୋରୋନା ଭୁତାଣୁ ଭୟ ଏବଂ ଦେଶବ୍ୟାପୀ ଲକ୍ଡାଉନ ହେତୁ ସହର ଛାଡ଼ି ନିଜ ଗାଁକୁ ଫେରିଥିବା ଦାଦନ ଶ୍ରମିକଟି ପାଇଁ ଏବେ ଜୀବନ ଜୀବୀକାର ଏହା ଏକମାତ୍ର ଆଶା ଓ ଭରସା ହୋଇଛି ।
ଗାଁକୁ ଫେରିଥିବା ଏହି ଶ୍ରମିକଙ୍କ ଭିତରୁ ଅନେକ ଶୂନ୍ୟହସ୍ତା ହୋଇ ଫେରିଛନ୍ତି । ଏକ ସର୍ବେକ୍ଷଣ ଅନୁସାରେ ଏହି ପ୍ରବାସୀ ତଥା ଦାଦନ ଶ୍ରମିକଙ୍କ ଭିତରୁ ପ୍ରାୟ ୬୪ ପ୍ରତିଶତ ଶ୍ରମିକ ଫେରିବା ବେଳେ ତାଙ୍କ ହାତରେ ୧୦୦ ଟଙ୍କା ବି ସମ୍ବଳ ନଥିଲା । ଲକ୍ଡାଉନ୍ ଘୋଷଣା ହେବା ପୂର୍ବରୁ ସେମାନେ ଯେଉଁ କାମ କରିଥିଲେ ସେ ବାବଦ ପ୍ରାପ୍ୟ ବି ପାଇ ନଥିଲେ । ପ୍ରାୟ ୯୦ ପ୍ରତିଶତ ଶ୍ରମିକ ସମ୍ପୃକ୍ତ ମାସର ମଜୁରି ନପାଇ ଜୀବୀକା ଶୂନ୍ୟ ହୋଇଥିଲେ। ଏହା ତାଙ୍କ ପାଇଁ ସବୁଠାରୁ ବଡ଼ ଦୁର୍ଦଶା ଆଣିଥିଲା।
ଆଉ ଏପରି ମୁହୂର୍ତ୍ତରେ ଅନେକ ସଂଖ୍ୟାରେ ଫେରନ୍ତା ଏହି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଏକ ନୂଆ ଆରମ୍ଭ କରିବାକୁ ଚିନ୍ତା କରିଛନ୍ତି । ଆଉ ଏହିପରି ଧାରଣରେ ଥିବା ଶ୍ରମିକଙ୍କ ସଂଖ୍ୟାଦିନକୁ ଦିନ ବଢ଼ିବାରେ ଲାଗିଛି । ଏମିତି ପରିସ୍ଥିତିରେ ଦେଶରେ ୯ କୋଟି ଲୋକ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ କାମ ପାଇଁ ଅପେକ୍ଷା କରିଥିବାବେଳେ କେନ୍ଦ୍ର ସରକାର ମାତ୍ର ସାଢ଼େ ୭ କୋଟି ଲୋକଙ୍କୁ କାମ ଦେଇପାରିବେ ବୋଲି କହିଛନ୍ତି । ଏହା ପୁଣି ବର୍ଷକୁ ୧୦୦ ଦିନ ନୁହେଁ ବରଂ ହାରାହାରି ୪୬ ଦିନ ।
ସର୍ବଶେଷ ତଥ୍ୟ ଅନୁସାରେ ଗତ ମାସରେ ଯେଉଁ ୪.୩୩ କୋଟି ଲୋକ ଏହି ଯୋଜନାରେ କାମ ମାଗିଥିଲେ ସେମାନଙ୍କ ଭିତରୁ ମାତ୍ର ୫୦ ପ୍ରତିଶତଙ୍କୁ କାମ ମିଳିପାରିଛି । ଆଗକୁ ଏହି କାମ ଖୋଜୁଥିବା ଲୋକଙ୍କ ସଂଖ୍ୟା ବଢ଼ିବା ସ୍ଵଭାବିକ। ପରିବର୍ଦ୍ଧିତ ଆକଳନ ଅନୁସାରେ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସରକାର ୭୧ ହଜାର କୋଟି ଟଙ୍କା ୨୦୧୯-୧୦ ଆର୍ଥିକ ବର୍ଷରେ ଖର୍ଚ୍ଚ କରିବାକୁ ଯାଉଛନ୍ତି । ଗତ ବଜେଟ୍ରେ ସରକାର ଏହି ଯୋଜନାରେ ୧୦ ହଜାର କୋଟି ଟଙ୍କା ହ୍ରାସ କରିଥିଲେ । କିନ୍ତୁ ‘ଆତ୍ମ ନିର୍ଭରଶୀଳ ଭାରତ’ ଯୋଜନାରେ ଏହି ନିଶ୍ଚିତ କର୍ମ ନିଯୁକ୍ତି ଯୋଗାଣର ଆବଶ୍ୟକତାକୁ ଅନୁଭବ କରି ସରକାର ସମ୍ପୃକ୍ତ ଯୋଜନା ବାବଦ ଖର୍ଚକୁ ଅଧିକ ୪୦ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି ।
କେନ୍ଦ୍ର ସରକାର ଏହା ମଧ୍ୟ ଆକଳନ କରିଛନ୍ତି ଯେ, ଏବର୍ଷ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୩୦୦ କୋଟି କାର୍ଯ୍ୟ ଦିବସ ନିଶ୍ଚିତ କରାଯାଇପାରିବ । ଏହାଦ୍ଵାରା ସରକାର ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ। କିନ୍ତୁ ଆଗକୁ ଯେଉଁ ପରିମାଣରେ ଏହି ଯୋଜନାର ଚାହିଦା ବଢ଼ିବାକୁ ଯାଉଛି ତାହାକୁ ଦୃଷ୍ଟିରେ ରଖି ଯୋଜନାରେ ଅଧିକରୁ ଅଧିକ କାର୍ଯ୍ୟ ଦିବସ ସୃଷ୍ଟି ପାଇଁ ବ୍ୟବସ୍ଥା କରାଯିବା ଆବଶ୍ୟକ । ଏଥିଲାଗି ସରକାର ବଜେଟ୍ ସୀମିତ ରଖିବା ଅନୁଚିତ । ଯେଉଁ ଶ୍ରମିକ ମାନେ ସେମାନଙ୍କ ଚାକିରି ହରାଇ ଗାଁକୁ ଫେରୁଛନ୍ତି ତାଙ୍କ ଲାଗି କର୍ମ ନିଯୁକ୍ତି କ୍ଷେତ୍ର ସୃଷ୍ଟି କରିବା ଦରକାର ।
ବିଶ୍ଵର ସବୁଠାରୁ ବୃହତ୍ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବୋଲି ବିଶ୍ଵବ୍ୟାଙ୍କ ଦ୍ଵାରା ପ୍ରଶଂସିତ ହୋଇଥିଲେ ମଧ୍ୟ ଏହି ଯୋଜନାର ଠିକଣା ରୂପାୟନ ନେଇ ସରକାର ଅନେକ ସମୟରେ ସମାଲୋଚନାର ସରବ୍ୟ ହୋଇଛନ୍ତି । ସଂସଦୀୟ ଷ୍ଟାଣ୍ଡିଂ କମିଟି ମଧ୍ୟ ଏହି ଯୋଜନାର ରୂପାୟନ ଧାରାକୁ କ୍ଷେତ୍ର ବିଶେଷରେ ଅଧ୍ୟୟନ କରି ଏହା କହିଛନ୍ତି ଯେ, ଏହି ଯୋଜନା ଜାଲି ଆକାଉଣ୍ଟିଂ, ନକଲି ବିଲ୍ ଏବଂ ମିଥ୍ୟା ବ୍ୟାଙ୍କ୍ ଆକାଉଣ୍ଟର ଏକ ପ୍ରହଳିକା ସୃଷ୍ଟି କରିଛି । ଏପରିକି ଏହି ଯୋଜନାରେ ପଞ୍ଜିକୃତ ହିତାଧିକାରୀ ଲାଭ ପାଇବା ବଦଳରେ ଏହା ଠକଙ୍କ ପାଇଁ ଏକ ହତିଆର ସଦୃଶ ହୋଇଛି ବୋଲି ଷ୍ଟାଣ୍ଡିଂ କମିଟି ମତ ଦେଇଛନ୍ତି ।
ଏପରିକି ଶ୍ରମିକ କାମ କରି ସାରିବା ପରେ ସେମାନଙ୍କୁ ମଜୁରୀ ପାଇବା ଲାଗି ଅନେକ ଦିନ ଅପେକ୍ଷା କରିବାକୁ ପଡ଼ୁଛି। ଯଦିଓ ସରକାରଙ୍କ ତରଫରୁ ବକେୟା ନପକାଇବା ଲାଗି ପ୍ରତିଶୃତି ଦିଆଯାଇଛି କିନ୍ତୁ ଏବେ ସରକାରଙ୍କ ପାଖରେ ୮୫୦୦ କୋଟି ଟଙ୍କା ଶ୍ରମିକଙ୍କ ମଜୁରୀ ବାବଦରେ ପ୍ରଦାନ ଲାଗି ପଡ଼ି ରହିଛି । ଫେରନ୍ତା ଦାଦନ ଶ୍ରମିକଙ୍କୁ ନିଜ ଗାଁରେ କାମ ଯୋଗାଇବା ପାଇଁ ଏହି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏକଗୁରୁତ୍ଵପୂର୍ଣ୍ଣ ଅସ୍ତ୍ର ବୋଲି ବିଚାର କରିବା ବଳେ ସେମାନଙ୍କୁ କିପରି ତୁରନ୍ତ ମଜୁରୀ ପ୍ରଦାନ କରାଯାଇପାରିବ ତାହା ବି ନିଶ୍ଚିତ କରିବା ଜରୁରୀ ।
ଏବେ ଯେଉଁ ଶ୍ରମିକମାନେ କାମ ସନ୍ଧାନରେ ଇ-ମଷ୍ଟରରୋଲ୍ରେ ପଞ୍ଜିକୃତ ହୋଇଛନ୍ତି ସେମାନଙ୍କୁ କାମ ଯୋଗାଇବାର ଅନ୍ତିମ ତାରିଖ ପାଖେଇ ଆସିଲାଣି । ତଥାପି ଏହି ମୁହୂର୍ତ୍ତରେ ଯେଉଁ ଫେରନ୍ତା ଶ୍ରମିକମାନେ କାମ ଖୋଜୁଛନ୍ତି ଏବଂ ସେମାନଙ୍କ ପାଇଁ ଉପାର୍ଜନ ଅତ୍ୟାବଶ୍ୟକ ହୋଇଛି ସେମାନଙ୍କୁ ଆଗ କାମ ଯୋଗାଇବା ନିଶ୍ଚିତ କରିବା ଜରୁରୀ । ପୁଣି କାମ ସରିବା ସନ୍ଧ୍ୟାରେ ତାଙ୍କୁ ଆବଶ୍ୟକ ମଜୁରୀ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯିବା ଦରକାର ଏଥିଲାଗି ସମ୍ପୃକ୍ତ ଅଧିକାରୀଙ୍କ ପାଖରେ ନଗଦ ଅର୍ଥ ଜମା ହେବା ଆବଶ୍ୟକ ।
ଅର୍ଥମନ୍ତ୍ରୀ ଏହି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଉଦ୍ଦିଷ୍ଟ ଥିବା କାର୍ଯ୍ୟଗୁଡ଼ିକ ଭିତରେ ଏହି ମୌସୁମୀ ଋତୁରେ ଗଛ ଲଗାଇବା, ବଗିଚା କାମ କରିବା ଆଦି କାର୍ଯ୍ୟକୁ ଅନ୍ତର୍ଭୁକ୍ତ କରିଛନ୍ତି । ତେଲେଙ୍ଗାନା ଭଳି ରାଜ୍ୟ ଏହି ଯୋଜନାରେ ଜଙ୍ଗଲ ସୃଷ୍ଟି ପାଇଁ ଗଛ ଲଗାଇବା କାର୍ଯ୍ୟକୁ ବି ଅନ୍ତର୍ଭୁକ୍ତ କରିବେ ବୋଲି ଘୋଷଣା କରିଛନ୍ତି । ଏହାବାଦ୍ ଭିନ୍ନ ଭିନ୍ନ ରାଜ୍ୟରେ ମଜୁରୀ ଭିନ୍ନ ଭିନ୍ନ ଘୋଷଣା କରାଯାଇଛି । ବିହାର ଓ ଝାଡ଼ଖଣ୍ଡରେ ଏହି ଯୋଜନା ଅଧୀନରେ ଶ୍ରମିକଙ୍କୁ ୧୭୧ ଟଙ୍କା ମଜୁରି ପ୍ରଦାନ କରାଯାଉଥିବା ବଳେ ପଞ୍ଜାବ ଓ କଣ୍ଣାଟକାରେ ୨୪୦ ଟଙ୍କା ମଜୁରୀ ପ୍ରଦାନ କରାଯାଉଛି । ସରକାର ଏ ଦିଗରେ ତତ୍ପରତା ଦେଖାଇ ମଜୁରୀ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଦରକାର। ଦୁର୍ନୀତି ମୁକ୍ତ ଧାରା ଆପଣାଇବା ସହ ମଜୁରୀରେ ଆବଶ୍ୟକ ସଂଶୋଧନ ଆଣିବା ଉଚିତ । ବିଶେଷକରି ଏହି ବିପତ୍ତି ସମୟ ଅନ୍ତ ହେଲାଯାଏ ସ୍ଵତନ୍ତ୍ର ବ୍ୟବସ୍ଥାକୁ ମଜଭୁତ କରିବା ଦରକାର । ଏହି ଶ୍ରମିକମାନଙ୍କୁ ନେଇ ଦେଶ ନିର୍ମାଣ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରିବା ଲାଗି ନିୟମରେ ସଂଶୋଧନ କରିବା ବି ଆବଶ୍ୟକ।