ହାଇଦ୍ରାବାଦ: ଦେଶରେ ଆଗକୁ ବୈଦ୍ୟୁତିକ ଯାନବାହନରେ ଯାତାୟତ କରିବେ ଦେଶବାସୀ । ପେଟ୍ରୋଲ, ଡିଜେଲର ସଂରକ୍ଷଣ ହେବା ସହ ବର୍ତ୍ତମାନର ମୁଖ୍ୟ ସମସ୍ୟା ବାୟୁ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ । ଯଦି ଭାରତ ସରକାରଙ୍କ ନୀତି ଅନୁସାରେ, ବୈଦ୍ୟୁତିକ ଯାନବାହନର ମାତ୍ରା ବୃଦ୍ଧି ପାଏ ତେବେ ଚାଇନା ଭଳି ଭାରତ ମଧ୍ୟ ବୈଦ୍ୟୁତିକ ଯାନବାହନର କେନ୍ଦ୍ରସ୍ଥଳୀ ହେବ । କିନ୍ତୁ ଏ ଭବିଷ୍ୟତ କେତେ ଦୂରରେ ?
ହ୍ୟୁଣ୍ଡାଇ ମୋଟର କର୍ପୋରେସନ ଦ୍ବାରା ଭାରତର ପ୍ରଥମ ବୈଦୁତିକ ଯାନ ଲଞ୍ଚ କରିସାରିଛି । 9 ଜୁଲାଇ 2019ରେ ପ୍ରଥମ ବୈଦ୍ୟୁତିକ ଯାନ ‘କୋନା’କୁ ଲଞ୍ଚ କରିଛି । ଏହାର ଦାମ୍ ପାଖାପାଖି 25 ଲକ୍ଷ ଟଙ୍କା । ଥରେ ଚାର୍ଜ ହେଲେ 452କିଲୋମିଟର ଏହା ଅତିକ୍ରମ କରିପାରିବ । 11ଟି ସହରର 14ଜଣ ଡିଲରଙ୍କୁ ଏହି ଯାନ ବିକ୍ରି କରାଯାଇଛି । ଏହାପରେ ଟାଟା ଟାଇଗର ଇଭି, ମହିନ୍ଦ୍ରା ଇ-ଭିଟ୍ରୋ ଓ ମହିନ୍ଦ୍ରା 3-20 ପ୍ଲସ ଲଞ୍ଚ କରାଗଲା ।
ପ୍ରଦୂଷଣକୁ କମ୍ କରିବା ପାଇଁ ସରକାର ବୈଦ୍ୟୁତିକ ଯାନକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ସବୁ ପ୍ରକାର ଚେଷ୍ଟା ମଧ୍ୟ କରୁଛନ୍ତି । ଏଥିପାଇଁ ଚଳିତ ବର୍ଷ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ, ବୈଦ୍ୟୁତିକ ଯାନକୁ ନେଇ ଟ୍ୟାକ୍ସ ଓ ଜିଏସଟିକୁ କୋହଳ କରିଥିଲେ । ଯଦି ଲୋନ୍ ନେଇ ବୈଦୁତିକ ଯାନ କିଣିବେ ତେବେ 1.5ଲକ୍ଷ ଟଙ୍କା ସୁଧ ଦେବାକୁ ପଡିବନି । ଅନ୍ୟପକ୍ଷେ ଜିଏସଟିକୁ 12 ପ୍ରତିଶତରୁ କମାଇ 5 ପ୍ରତିଶତ କରେଦିଆଯାଇଛି । ତେବେ ବୈଦ୍ୟୁତିକ ଯାନ କ୍ଷେତ୍ରରେ ଭାରତ ବର୍ତ୍ତମାନ ବହୁତ ପଛରେ । ଚାଇନା ଓ ନୋରୱେରେ ବୈଦ୍ୟୁତିକ ଯାନ ଚାଲୁଛି । ଭାରତରେ ପ୍ରତିବର୍ଷ 0.06ପ୍ରତିଶତ ବୈଦ୍ୟୁତିକ ଯାନ ବିକ୍ରି ହେଉଥିବା ବେଳେ ଚାଇନାରେ 2% ଓ ନୋରୱେରେ 39% ବୈଦ୍ୟୁତିକ ଯାନ ବିକ୍ରି ହେଉଛି ।
ଇତିହାସ:-
ଏହାର ସଫଳତା ଓ ବିଫଳତା ବିଷୟରେ ଚର୍ଚ୍ଚା କରିବା ପୂର୍ବରୁ, ଏହାର ଇତିହାସ ବିଷୟରେ ଅବଗତ ହେବା ଜରୁରୀ । 2011ରେ କଂଗ୍ରେସ ସରକାର ପ୍ରଥମେ ଏହି ଯାନ ସମ୍ପର୍କିତ ବିଲ୍ ‘ନ୍ୟାସନାଲ ମିଶନ ଅନ୍ ଇଲେକ୍ଟ୍ରିକ୍ ମୋବିଲିଟି’କୁ ଆଗତ କରିଥିଲେ । 2020 ସୁଦ୍ଧା ଦେଶରେ ବୈଦ୍ୟୁତିକ ଯାନକୁ ଗୁରୁତ୍ବ ଦିଆଯିବା ଲକ୍ଷ୍ୟରେ ଏହାକୁ ଆଗତ କରାଗଲା । କିନ୍ତୁ କାର୍ଯ୍ୟକାରୀ ହେଉ ହେଉ 2013 ହୋଇଯାଇଥିଲା । ପରେ କଂଗ୍ରେସ ସରକାର ଭାଙ୍ଗିବା ପରେ ମୋଦି ସରକାର 2015ରେ FAME ନାମକ ଏକ ସ୍କିମ୍ ଆଗତ କରିଥିଲେ ।
ଏହାର ଅର୍ଥ ହେଲା Faster adoption and manufacturing of hybrid and electric vehicles in india । ହାଇବ୍ରିଡ୍ ଯାନ ଉଭୟ ପେଟ୍ରୋଲ ଓ ବିଦ୍ୟୁତରେ ଚାଲିବ ଓ ଇଲେକ୍ଟ୍ରିକ୍ କେବଳ ବିଦ୍ୟୁତରେ । ମାର୍ଚ୍ଚ 2015 ମଧ୍ୟରେ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏହାପରେ FAME ପାଇଁ ବଜେଟରେ 895କୋଟି ବିନିମୟ କରାଗଲା କିନ୍ତୁ କୌଣସି ସଫଳତା ମିଳିପାରିଲା ନାହିଁ । ଯଦି ଚାଇନା ସହ ତୁଳନା କରାଯାଏ, ତେବେ ପ୍ରତିବର୍ଷ ଚାଇନାରେ 8 ଲକ୍ଷ ବୈଦ୍ୟୁତିକ ଯାନ ବିକ୍ରି ହେଉଥିବା ବେଳେ ଭାରତରେ କେବଳ 3600 ଯାନ ବିକ୍ରି ହେଉଛି ।
FAMEର ବିଫଳତା ପରେ ମାର୍ଚ 2019ରେ ‘FAME-2’ର ଘୋଷଣା କରାଗଲା । FAME ଭଳି ଏହାର ଉଦ୍ଦେଶ୍ୟ ମଧ୍ୟ ସମାନ କିନ୍ତୁ ଏଥିରେ କିଛି ପରିବର୍ତ୍ତନ କରାଗଲା । ବୈଦ୍ୟୁତିକ ଗାଡିରେ ରିହାତି ଦିଆଗଲା । ଯେଉଁମାନେ ବୈଦ୍ୟୁତିକ ଗାଡି କିଣିବେ ସେମାନେ 20 ପ୍ରତିଶିତ ରିହାତି ଦିଆଯିବ ଓ ଏକ ନିର୍ଦ୍ଧିଷ୍ଟ ପ୍ଲାନିଂ କରାଗଲା । ଅର୍ଥାତ ଏହି ରିହାତି କେବଳ ସୀମିତ ଗାଡିକୁ ଦିଆଯିବ । 10 ଲକ୍ଷ ଦୁଇଚକିଆ, 5ଲକ୍ଷ ତିନି ଚକିଆ, 5ହଜାର 500 ଚାରିଚକିଆ ଓ 7000 ବସଙ୍କୁ ଏହି ରିହାତି ଦିଆଯିବ । ଯେଉଁ ଗାଡିରେ ଅତ୍ୟାଧୁନିକ ବ୍ୟାଟେରୀ ଉଦାହରଣ ଲିଥିୟମ ଆୟନ୍ ବ୍ୟାଟେରୀ ସଂଯୋଗ କରାଯିବ, ସେହି ଗାଡିକୁ ରିହାତି ମିଳିବ ।
ଉପକାରିତା:-
ଏହି ସ୍କିମରେ ମଧ୍ୟ 2700 ଚାର୍ଜିଂ ଷ୍ଟେସନ ନିର୍ମାଣ କରାଯିବ । ସ୍ମାର୍ଟ ସିଟି, ପାହାଡିଆ ରାଜ୍ୟ, ମେଟ୍ରୋ ଆଦିରେ ଏହି ଚାର୍ଜିଂ ଷ୍ଟେସନ ନିର୍ମାଣ କରାଯିବ । FAME-1 ସହ ତୁଳନା କଲେ FAME-2 ଅଧିକାଂଶରେ ଭଲ । ଖାସ୍ କରି ଏଥିରେ ବଜେଟକୁ 10,000 କୋଟି ରଖାଯାଇଛି । ଦ୍ବିତୀୟରେ ନିର୍ଦ୍ଧିଷ୍ଟ ଟାଇମ ଲାଇନ ରଖାଯାଇଛି । ଏହା ଆଗକୁ 3 ବର୍ଷ କାର୍ଯ୍ୟକାରୀ ହେବ । ତୃତୀୟରେ ସବୁ ପ୍ରକାର ଯାନ ପାଇଁ ରିହାତି ମଧ୍ୟ ରଖାଯାଇଛି । ମୋଟାମୋଟି ଭାବେ କହିବାକୁ ଗଲେ ବୈଦ୍ୟୁତିକ ଯାନକୁ ନେଇ ସରକାର ଯତ୍ନଶୀଳ ରହିଛି । ଅନ୍ୟପକ୍ଷେ ଏହି ସ୍କିମରେ ମୁଖ୍ୟ ଉଦ୍ଦେଶ୍ୟ ହେଲା ‘ଲୋକାଲାଇଜେସନ୍’ ଅର୍ଥାତ ଗାଡି ଓ ବ୍ୟାଟେରୀ ଉଭୟ ଭାରତରେ ନିର୍ମାଣ କରାଯିବ । ଏଥିପାଇଁ ଆମକୁ କୌଣସି ଅନ୍ୟ ରାଷ୍ଟ୍ର ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଏହାସହ ସ୍ଥାନୀୟ ଲୋକଙ୍କୁ ଚାକିରି ସୁଯୋଗ ମଧ୍ୟ ମିଳିବ ।
ଅପକାରିତା:-
ପରିବହନ ସମସ୍ୟା ଦୂର କରିବା ପାଇଁ ଆମେ ବୈଦ୍ୟୁତିକ ଯାନକୁ ଆପଣାଇବା ମାତ୍ର ଏହା କଣ ବ୍ୟୟ ସାପକ୍ଷ ରହିବ ? 25 ଲକ୍ଷ ଟଙ୍କା ଦେଇ ଗାଡି କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । FAME-2 ସ୍କିମ ଜରିଆରେ ଥରେ ଚାର୍ଜ ହେଲେ ଗାଡି 80କିଲୋମିଟର ଯାଇପାରିବ ମାତ୍ର ଏଥିପାଇଁ ଅତ୍ୟାଧୁନିକ ବ୍ୟାଟେରୀର ଆବଶ୍ୟକତା ରହିଛି । ଯାହାର ମୂଲ୍ୟ ପାଖାପାଖି 50,000 ଟଙ୍କା । ଯଦି ବ୍ୟାଟେରୀ ଖରାପ ହେଲା ତେବେ ଏତେ ଟଙ୍କା ଦେଇ ବ୍ୟାଟେରୀ ଠିକ୍ କରିବା ଅସମ୍ଭବ । ଲିଥିୟମ ଆୟନ୍ ବ୍ୟାଟେରୀ ଭାରତରେ ନିର୍ମାଣ ହେଉନି । ଏଥିପାଇଁ ଆମକୁ ଚାଇନା ଉପରେ ନିର୍ଭର କରିବାକୁ ପଡିବ ।
ସବୁଠାରୁ ବଡ ସମସ୍ୟା ହେଲା ବିଦ୍ୟୁତ । ଭାରତରେ ଏବେବି ସମସ୍ତ ଗ୍ରାମକୁ ବିଜୁଳି ସଂଯୋଗ କରାଯାଇନାହିଁ । ଅନେକ ଗ୍ରାମରେ ଦିନକୁ ଅତିକମରେ 2 ଘଣ୍ଟା ବିଜୁଳି କଟାଯାଉଛି । ଅନ୍ୟପକ୍ଷେ ଡାକ୍ତରଖାନା ପରି ଜରୁରୀକାଳୀନ ସେବା ପାଇଁ ଆମେ ବିଜୁଳି ଯୋଗାଇପାରୁନେ ମାତ୍ର ପ୍ରତି ଚାର୍ଜିଂ ଷ୍ଟେସନରେ ବିଜୁଳି କିପରି ଯୋଗାଇପାରିବା । ଏହାସହ ସଚେତନତାର ଅଭାବ । ବୈଦୁତିକ ଯାନ ବ୍ୟବହାର କଲେ କଣ ଲାଭ ହେବ ? ଏହାକୁ ଆମେ କାହିଁକି ବ୍ୟବହାର କରିବା ? ଆଦି ସୂଚନା ସାଧାରଣ ଲୋକ ପାଖରେ ନଥିବ । ଏପରିକି ଅନେକ ଏହା ବିଷୟରେ ଜାଣି ବି ନଥିବେ ।
ଚଳିତ ବର୍ଷ ମାର୍ଚ ମାସରେ ନିତି ଆୟୋଗ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, 2030 ସୁଦ୍ଧା ସମସ୍ତେ ବୈଦ୍ୟୁତିକ ଯାନ ଚଲାଇବେ କିନ୍ତୁ ଦେଶରେ ଯେଉଁଠି 20 କୋଟି ଗାଡି ଚାଲୁଛି, ସେଠି ବୈଦ୍ୟୁତିକ ଯାନକୁ 11 ବର୍ଷରେ କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ । ଏହାପରେ ଅପ୍ରିଲରେ ଆଉ ଏକ ରିପୋର୍ଟ ଜାରି କରି କେବଳ 30 ପ୍ରତିଶତ ବୈଦ୍ୟୁତିକ ଯାନ ବିକ୍ରି କରାଯାଇପାରିବ ବୋଲି ସଂଶୋଧନ କରିଥିଲା ନିତି ଆୟୋଗ ।
ଏହାସହ ଆର୍ଥିକ ବର୍ଷ 2018-29ରେ ମୋଟ 7 ଲକ୍ଷ 59 ହଜାର 600 ଗାଡି ବିକ୍ରି କରାଯାଇଛି । ସେଥିମଧ୍ୟରୁ 3600 ହେଲା ପ୍ରାଇଭେଟ ଗାଡି । ଦୁଇ ଚକିଆ 1 ଲକ୍ଷ 26 ହଜାର ଥିବା ବେଳେ ତିନି ଚକିଆ 6 ଲକ୍ଷ 30 ହଜାର ବିକ୍ରି କରାଯାଇଛି ।
ତେବେ ଭାରତର ପରିବହନ ସମସ୍ୟା ଦୂର କରିବା ପାଇଁ କଣ ଏହା ଏକମାତ୍ର ରାସ୍ତା ?
ଯଦି ବାୟୁ ପ୍ରଦୂଷଣ ରୋକିବା ପାଇଁ ଆମେ ବୈଦ୍ୟୁତିକ ଯାନ ଆଣୁଛେ, ତେବେ କେବଳ ଗାଡି ନୁହେଁ ବରଂ ଅନ୍ୟ କାରଣ ପାଇଁ ମଧ୍ୟ ବାୟୁ ପ୍ରଦୂଷଣ ହେଉଛି । ବୈଦୁତିକ ଉପକରଣରୁ ବାହାରୁଥିବା କ୍ଷତିକାରକ ମିଥେନ୍ ଗ୍ୟାସ ମଧ୍ୟ ଏକ ପ୍ରକାର ପ୍ରଦୂଷଣର କାରଣ ଆମେ ତାକୁ ରୋକିପାରିବା ପାଇଁ ପଦକ୍ଷେପ ନେଇପାରିବା । ଅନ୍ୟପକ୍ଷେ ପେଟ୍ରୋଲ, ଡିଜେଲର ବ୍ୟବହାର କମାଇପାରିବା । ଏଥିପାଇଁ ଯାନ ଗୁଡିକୁ ଅପଗ୍ରେଡ କରିବା ଜରୁରୀ । ଖାସ୍ କରି ଟ୍ରକ୍ ଗୁଡିକରୁ ଅଧିକ ପ୍ରଦୂଷଣଯୁକ୍ତ ଗ୍ୟାସ ବାହାରିଥାଏ , ସେ ସବୁକୁ ଆମେ ଅପଗ୍ରେଡ କରି ପାରିବା । ଅନ୍ୟପକ୍ଷେ ଅଧିକ ପ୍ରଦୂଷଣ କରୁଥିବା BS-3(Bharat Stage-3) ଗାଡି ଗୁଡିକୁ ସମ୍ପୂର୍ଣ୍ଣ ବ୍ୟାନ କରିବା ଆବଶ୍ୟକ । ଏହା କରିବା ଫଳରେ ପାଖାପାଖି 40 ପ୍ରତିଶତ ପ୍ରଦୂଷଣ କମ୍ ହୋଇପାରିବ ।