ନୂଆଦିଲ୍ଲୀ: ଭିଭିପାଟଭୋଟ ଗଣତି ନିର୍ବାଚନ ଫଳାଫଳକୁ ବିଳମ୍ବ କରିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି । ବିରୋଧୀଙ୍କ ଦାବି ଉପରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଆୟୋଗ ଏପରି କହିଛନ୍ତି । ଶୁକ୍ରବାର 50 ପୃଷ୍ଠାର ଏକ ସତ୍ୟପାଠ ଦାଖଲ କରିଛନ୍ତି ଆୟୋଗ ।
ଯଦି ବିରୋଧୀ ଦଳ ୫୦ ପ୍ରତିଶତ ଭିଭିପାଟଭୋଟ ଗଣତି ପାଇଁ ଜିଦ ଧରିବେ ତେବେ ଭୋଟ ଗଣତି ସମ୍ପୂର୍ଣ୍ଣ ୬ ଦିନ ଧରି ଚାଲିବ । ଭିଭିପାଟର ସ୍ଲିପ ଏବଂ ଇଭିଏମର ସଂଖ୍ୟା ମଧ୍ୟରେ କୌଣସି ପାର୍ଥକ୍ୟ ରହୁନାହିଁ । ବ୍ୟାପକ ଯାଞ୍ଚ ପରେ ଏହା ପ୍ରାୟ 99.9936 ପ୍ରତିଶତ ସଠିକ ପ୍ରମାଣିତ ହୋଇଛି । ତେଣୁ ଏଭଳି କ୍ଷେତ୍ରରେ ୨୧ଟି ବିରୋଧୀ ଦଳ ୫୦ ପ୍ରତିଶତ ଭିଭିପାଟସ୍ଲିପ ଗଣତି ପାଇଁ ଯେଉଁ ଦାବି କରିଛନ୍ତି ତାହା ଅଯଥା ସମସ୍ୟା ବଢାଇବା ବୋଲି ଆୟୋଗ କହିଛନ୍ତି ।
ଏହି ସତ୍ୟପାଠରେ ଆଗାମୀ ଲୋକସଭା ନିର୍ବାଚନରେ ୧.୬ ଲକ୍ଷ ଇଭିଏମ ଏବଂ ଭିଭିପାଟଯାଞ୍ଚ ପାଇଁ ରହିବ ବୋଲି କୁହାଯାଇଛି । ନିକଟରେ ସୁପ୍ରିମକୋର୍ଟ ଅଧିକ ଭିଭିପାଟସ୍ଲିପ ଗଣତି ଉପରେ ଗୁରୁତ୍ୱଦେଇ ଏହା ଉପରେ ବିସ୍ତୃତ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ ଇଭିଏମ ସହିତ ୫୦ ପ୍ରତିଶତ ଭିଭିପିଏଟି ସ୍ଲିପ ଗଣତି ପାଇଁ ଆବଶ୍ୟକୀୟ ତାଲିମ ଏବଂ ଅନ୍ୟ ପ୍ରସ୍ତୁତି ହୋଇନାହିଁ । କେବଳ ଇଭିଏମର ବିଶ୍ବସନୀୟତା ପରୀକ୍ଷା ପାଇଁ ଅଳ୍ପ କେତେକ ଭିଭିପାଟଯାଞ୍ଚ ପାଇଁ ନିଷ୍ପତ୍ତି ହୋଇଛି ।