ମହାମାରୀ ବେଳେ ଛୋଟ ଶିଶୁଙ୍କୁ ସୁସ୍ଥ ରଖିବା ହେଉଛି ବାପା ମା’ଙ୍କ ପ୍ରାଥମିକତା । ଛୋଟ ଛୋଟ ଶିଶୁଙ୍କ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା ସହ ସେମାନଙ୍କ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ପ୍ରତି ବି ଧ୍ୟାନ ଦେବା ଜରୁରୀ । ଶିଶୁଙ୍କ ସ୍ବାସ୍ଥ୍ୟର ଯତ୍ନ ପ୍ରସଙ୍ଗରେ ଇଟିଭି ଭାରତ ସୁଖୀଭବଃ ପକ୍ଷରୁ ହାଇଦ୍ରାବାଦ ରେନ୍ବୋ ହସ୍ପିଟାଲର ବିଶେଷଜ୍ଞ ଡକ୍ଟର ବିଜୟାନନ୍ଦ ଜମାଲପୁରୀଙ୍କ ସହ ଆଲୋଚନା କରାଯାଇଥିଲା । ଶିଶୁଙ୍କ ସ୍ବାସ୍ଥ୍ୟର ଯତ୍ନ ବାବଦରେ ଆମର କିଛି ପ୍ରଶ୍ନର ଉତ୍ତର ଦେଇଥିଲେ ଡଃ ବିଜୟାନନ୍ଦ ।
ପ୍ରଶ୍ନ- ମହାମାରୀ ସମୟରେ ଶିଶୁଙ୍କ ବାପାମାଆମାନେ କେଉଁ ପ୍ରକାର ସାଧାରଣ ପଦକ୍ଷେପ ନେବା ଜରୁରୀ ?
- ଶିଶୁମାନଙ୍କ ସ୍ବାସ୍ଥ୍ୟର ଯତ୍ନ ପାଇଁ କିଛି ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ । ହୋମ୍ ଏୟାର କଣ୍ଡିସନର ତ ଭଲ କିନ୍ତୁ ଏୟାର କୁଲର ବିଲକୁଲ ନ ଚଳାଇବା ଭଲ । କାରଣ ଏହା ଦ୍ବାରା ହ୍ୟୁମିଡିଟି ବଢିଥାଏ । ସେଣ୍ଟ୍ରାଲାଇଜଡ୍ ଏସିଠାରୁ ଦୂରେଇ ରହିବା ଉଚିତ । ମୁକ୍ତ ବାୟୁ ଚଳାଚଳ ସହ ଭଲ ଭେଣ୍ଟିଲେସନ ଥିବା ଘରେ ଶିଶୁଙ୍କୁ ରଖିବା ଦରକାର ।
- ବର୍ତ୍ତମାନ ସମୟରେ ଶିଶୁଙ୍କ ପାଇଁ କୌଣସିଗ୍ରୁପ ଆକ୍ଟିଭିଟି ସପକ୍ଷରେ ମୁଁ ନାହିଁ । ଜନ୍ମଦିନ ପାର୍ଟି ଆଦିରୁ ଦୂରେଇ ରହିବା ଉଚିତ ।
- ଘରର ବିଭିନ୍ନ କାର୍ଯ୍ୟକଳାପରେ ଶିଶୁଙ୍କୁ ନିୟୋଜିତ କରନ୍ତୁ । ସେମାନଙ୍କ ପ୍ରିୟ ଖାଦ୍ୟ ରାନ୍ଧି ଶିଖାଇବା, ସେମାନଙ୍କ ସହ ଖେଳିବା ଭଳି କାର୍ଯ୍ୟକଳାପ ଜରିଆରେ ଶିଶୁମାନଙ୍କୁ ବ୍ୟସ୍ତ ଓ ଖୁସି ରଖାଯାଇପାରିବ ।
- ନିୟମିତ ଚେକଅପ୍ ପାଇଁ ଶିଶୁଙ୍କୁ ବାହାରକୁ ନିଅନ୍ତୁ ନାହିଁ । କିନ୍ତୁ ଟୀକାଦାନ ସୁଯୋଗ ଛାଡନ୍ତୁ ନାହିଁ । ଡାକ୍ତରଙ୍କ ସହ ସାକ୍ଷାତ ପାଇଁ ଆଗୁଆ ଆପଏଣ୍ଟମେଣ୍ଟ ନିଅନ୍ତୁ । ଯାହା ଦ୍ବାରା କି ହସପିଟାଲରେ ଆପଣଙ୍କୁ ଡାକ୍ତରୀ ପରାମର୍ଶ ପାଇଁ ବେଶୀ ସମୟ ରହିବାକୁ ପଡିବ ନାହିଁ । ସାମାଜିକ ଦୂରତା ନିୟମ ପାଳନ କରନ୍ତୁ । ଏକ ସନ୍ତୁଳନ ରଖିବାକୁ ପଡିବ । ଅନେକ ଡାକ୍ତର ଏବେ ଭିଡିଓ କନସଲଟେସନ୍ ପ୍ରକ୍ରିଆ ଆରମ୍ଭ କଲେଣି । ଏହାର ସୀମିତତା ସତ୍ବେ ମା’ ବାପାମାନେ ଏହାର ଫାଇଦା ନେବା ଦରକାର ।
ପ୍ରଶ୍ନ - ଶିଶୁ ବା ଛୁଆ ଡାକ୍ତରୀ ସହାୟତା ଆବଶ୍ୟକ କରେ ବୋଲି ଜଣେ କିପରି ଜାଣିବ ?
- ଯଦି ଛୁଆକୁ ଜ୍ବର ହୁଏ ବା ସେ ନିଃଶ୍ବାସ ପ୍ରଶ୍ବାସ ଠିକ୍ ଭାବେ ନେଇପାରେନି, ତାହା ହେଲେ ସେ ଅସ୍ବାଭାବିକ ବ୍ୟବହାର କରିବ । ହଠାତ୍ ମାନ୍ଦା ହୋଇଯିବା ସହ ସହ ସେ କୌଣସି କାମରେ ଆଗ୍ରହ ଦେଖାଇବ ନାହିଁ । କିଛି ବି ଖାଇବାକୁ ମନା କରିବ ।
- ନିୟମିତ ସ୍ବାଭାବିକ କାର୍ଯ୍ୟକଳାପର ବ୍ୟତିକ୍ରମ ହେଲେ ଜାଣିବେ ଯେ, ଛୁଆ ବା ଶିଶୁଙ୍କୁ ଡାକ୍ତରଙ୍କୁ ଦେଖାଇବା ଦରକାର ଅଛି ।
ପ୍ରଶ୍ନ – ମହାମାରୀ ସମୟରେ ଛୋଟ ଶିଶୁଙ୍କ ମା’ ବାପାଙ୍କୁ ଆପଣ କଣ ପରାମର୍ଶ ଦେବେ ?
- ଅସହଜ ମନେ କଲେ ବା କୌଣସି କଷ୍ଟ ଅନୁଭବ କଲେ, ନବଜାତ, ଛୋଟ ଛୁଆ ଓ ଛୁଆମାନେ ଏହା ପରିପ୍ରକାଶ କରିପାରନ୍ତି ନାହିଁ । ଏଭଳି ସ୍ଥିତିରେ ମା’ ବାପାମାନେ ଶିଶୁଙ୍କ ଉପରେ ନଜର ରଖିବା ଦରକାର । ସବୁବେଳ ଡାକ୍ତରଙ୍କ ଉପରେ ଅଧିକ ନିର୍ଭରଶୀଳ ନ ହୋଇ ନିଜେ କିପରି ଶିଶୁଙ୍କ ସ୍ବାସ୍ଥ୍ୟର ଯତ୍ନ ନେଇ ପାରିବେ,ସେ କଳା ବି ମା’ ବାପା ଶିଖିବା ଦରକାର ।
- ପ୍ରଥମ ଥର ପାଇଁ ମା’ ବାପା ବନିଥିବା ଦମ୍ପତି ଛୁଆଙ୍କ ଯତ୍ନ ପ୍ରସଙ୍ଗରେ ବରିଷ୍ଠ ଗୁରୁଜନଙ୍କ ପରାମର୍ଶକୁ ବି ଗ୍ରହଣ କରିବା ଉଚିତ । ସେମାନଙ୍କ ସବୁ କଥାରେ ରାଜି ନ ହେଲେ ମଧ୍ୟ ସେମାନଙ୍କ ପରାମର୍ଶ ଓ ତାଗିଦ ଶୁଣିବା ଦରକାର । କାରଣ ସେମାନଙ୍କ ଅଭିଜ୍ଞତା ବେଶ କାମ ଦିଏ ।
- ଯଦି ମା’ ବାପାମାନେ ଶିଶୁ ବା ଛୁଆମାନଙ୍କ ସହ ବେଶୀ ସମୟ ବିତାନ୍ତି ନାହିଁ, ତାହା ହେଲେ ସେମାନେ ଶିଶୁଙ୍କ ସ୍ବାଭାବିକ ଓ ଅସ୍ବାଭାବିକ କାର୍ଯ୍ୟକଳାପ ସଂପର୍କରେ ଜାଣିପାରିବେ ନାହିଁ ।
ପ୍ରଶ୍ନ- କେୟାରଟେକର ଭାବେ ଡିଜିଟାଲ ଡିଭାଇସର ବ୍ୟବହାର ପାଇଁ ବହୁ ମୂଲ୍ୟ ଦେବାକୁ ପଡିପାରେ ?
- ଡିଜିଟାଲ ଡିଭାଇସରେ କେୟାର ଟେକିଂ ବାପା ମା’ଙ୍କ ଭୂମିକାକୁ ବଦଳାଇ ପାରିବ ନାହିଁ । ମା’ ବାପାମାନେ ନିଜେ ଛୁଆଙ୍କୁ ଯେଭଳି ଦେଖାଶୁଣା କରିପାରିବେ ନା, ତାହା ଡିଜିଟାଲ ଡିଭାଇସ କରିପାରିବ ନାହିଁ । ମା’ ବାପାମାନେ ପିଲାଙ୍କ ସହ ଖେଳିବା, ସେମାନଙ୍କୁ କାହାଣୀ ଶୁଣାଇବାର କିଛି ଅଲଗା ହିଁ ବିଶେଷତ୍ବ ରହିଛି । ଏସବୁ ପାରମ୍ପରିକ ଶୈଳୀର ପୁଣି ଫେରାଇ ଆଣିବାର ସମୟ । ଶେଷରେ ମୁଁ କହିବି ଯେ, ‘ନିଜକୁ କ୍ଷମତା ସମ୍ପନ୍ନ କରନ୍ତୁ, ସଚେତନ ରହନ୍ତୁ ଓ ନିଜକୁ ଅବଗତ ରଖନ୍ତୁ । ଜମା ଆତଙ୍କିତ ହୁଅନ୍ତୁ ନାହିଁ ।’