ବେଙ୍ଗାଲୁରୁ: କୌଣସି କୋରୋନା ପଜିଟିଭ କିମ୍ବା ସନ୍ଦିଗ୍ଧଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତିଙ୍କୁ କ୍ବାରେଣ୍ଟିନରେ ରହିବା ପାଇଁ କୁହାଯାଉଛି । ହେଲେ ଏଥିପାଇଁ ବି ପୋଲିସକୁ ବହୁ କସରତ କରିବାକୁ ପଡୁଛି । କେହି କେହି ସରକାରଙ୍କ ନିୟମ ମାନୁଥିବା ବେଳେ ଅନେକଙ୍କୁ ବଳ ପୂର୍ବକ କ୍ବାରେଣ୍ଟିନରେ ରଖାଯାଉଛି । ସାଧାରଣ ନାଗରିକଙ୍କ କଥା ତ ଛାଡ ଖୋଦ ମେଡିକାଲ ଷ୍ଟାଫ୍ଙ୍କ କ୍ଷେତ୍ରରେ ମଧ୍ୟ ଏପରି ଦେଖିବାକୁ ମିଳୁଛି । ବେଙ୍ଗାଲୁରୁରେ ଏକ ମେଡିକାଲରେ ହାଇ ଡ୍ରାମା ପରେ 4 ନର୍ସ ଓ ଜଣେ ଡାକ୍ତର କ୍ବାରେଣ୍ଟିନରେ ରହିଛନ୍ତି ।
ସୂଚନାନୁଯାୟୀ, ବେଙ୍ଗାଲୁରୁ ହଙ୍ଗାସାଦ୍ରା ନିକଟ ଏକ ଘରୋଇ କ୍ଲିନିକରେ ଜଣେ ଶ୍ରମିକ ଚିକିତ୍ସା କରାଉଥିଲେ । ପରବର୍ତ୍ତୀ ମୂହୂର୍ତ୍ତରେ ବ୍ୟକ୍ତି ଜଣଙ୍କ ସେଠାରୁ ଅନ୍ୟ ଏକ କ୍ଲିନିକରେ ଚିକିତ୍ସିତ ହେଉଥିଲେ । ହେଲେ ସେ ପରେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ କ୍ଲିକକୁ ସମ୍ପୂର୍ଣ୍ଣ ଭାବରେ ସିଲ କରିବା ପାଇଁ କିଛି ସ୍ବାସ୍ଥ୍ୟକର୍ମୀ ଓ ପୋଲିସ କର୍ମଚରୀ ଯାଇଥିଲେ । କ୍ଲିନିକ ସିଲ କରାଯିବା ସହ ମେଡିକାଲ ଷ୍ଟାଫ୍ଙ୍କୁ ମଧ୍ୟ କ୍ବାରେଣ୍ଟିନରେ ରହିବା ପାଇଁ କୁହାଯାଇଥିଲା ।
ହେଲେ ସେଠାରେ ଡାକ୍ତର ଓ 4 ନର୍ସ ଭିତରୁ ଡୋର ବନ୍ଦ କରି ତା ଭିତରେ ରହିଥିଲେ । ଯେତେବେ ବଳ ପୂର୍ବକ ପୋଲିସ କର୍ମଚାରୀ ଡୋର ଖୋଲିବାକୁ ଯାଇଥିଲେ ସେମାନେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ । ଏହାସହ ପୋଲିସ କର୍ମୀଙ୍କ ଉପରକୁ ଡେଟଲ , ଆଣ୍ଟି ସେପ୍ଟିକ ସଲ୍ୟୁସନ ଆଦି ଫୋପାଡିଥିଲେ । ଦୀର୍ଘ ସମୟ ଧରି ଏହିପରି ଡ୍ରାମା ଚାଲିଥିଲା । ପରେ ଡାକ୍ତର ଓ ନର୍ସ କ୍ବାରେଣ୍ଟିନରେ ରହିଥିଲେ । ତେବେ ଏବେ ସୁଦ୍ଧା କର୍ଣ୍ଣାଟକରେ ଏହା 5 ନଂ କ୍ଲିନିକ ଯାହାକୁ ସମ୍ପୂର୍ଣ୍ଣ ଭାବରେ ସିଲ କରାଯାଇଛି ।