ହାଇଦ୍ରାବାଦ: ଆମେରିକାର ୟୁସି ଡେଭିସ ସେଣ୍ଟରର ସ୍ବାସ୍ଥ୍ୟ ବୈଜ୍ଞାନିକ ଓ ଚିକିତ୍ସିକଙ୍କ ଏକ ଟିମ୍, ମଧୁମେହ ଓ ଏହାର ପ୍ରମୁଖ ପ୍ରଭାବ ମଧ୍ୟରେ ଏକ ସେଲ୍ୟୁଲାର ସମ୍ବନ୍ଧ ରହିଛି ବୋଲି ଜାଣିପାରିଛନ୍ତି । ମଧୁମେହ କାରଣରୁ ରକ୍ତ ବାହିକା ନଳୀର ସଙ୍କୋଚନ ବିଭିନ୍ନ ରୋଗକୁ ଆମନ୍ତ୍ରଣ କରିଥାଏ । ଏହାମଧ୍ୟରୁ ଫୁସଫୁସ ସମସ୍ୟା ଓ ହୃଦଘାତ ଭଳି ଜଟିଳ ରୋଗ ଅନ୍ୟତମ ।
ଏହି ଟିମ୍ ପୂର୍ବରୁ ମଧ୍ୟ ମଧୁମେହ ଉପରେ ରିସର୍ଚ୍ଚ କରିଥିଲା । ରକ୍ତରେ ଗ୍ଲୁକୋଜର ମାତ୍ରାଧିକ ଉପସ୍ଥିତି ମଧୁମେହର ମୁଖ୍ୟ କାରଣ । ଏହା ଶରୀରରେ କାଇନେଜ ‘କ’ବା Kinase A(PKA) ନାମକ ଏକ ଏନଜାଇମକୁ ସକ୍ରିୟ କରିଥାଏ । ଯାହା କ୍ୟାଲିସିୟମ ଚ୍ୟାନେଲର ଗତିବିଧିକୁ ଅଧିକ ସକ୍ରିୟ କରେ ଓ ରକ୍ତ ବାହକଙ୍କୁ ସଙ୍କୁଚିତ କରିଥାଏ ।
ୟୁସି ଡେଭିସର ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ‘ଏନଜାଇମ PKA ସାଧାରଣତଃ ରକ୍ତ ବାହକଙ୍କୁ ପ୍ରଶସ୍ତ କରିଥାଏ ମାତ୍ର ମଧୁମେହ ଥିବା ଶରୀରରେ ଏହା ବିପରୀତ କାର୍ଯ୍ୟ କରିବା ଏକ ଆଶ୍ଚର୍ଯ୍ୟଜନକ ବିଷୟ ।’ ରକ୍ତ ପରିଚାଳନା କରୁଥିବା ବାହିକ ଓ ଧମନୀରେ ମାତ୍ରାଧିକ ଗ୍ଲୁକୋଜର ଉପସ୍ଥିତିକୁ ନେଇ ଏକ ରିସର୍ଚ୍ଚ କରାଯାଇଥିଲା ।
ମୂଷାଙ୍କ ଉପରେ ବିଭିନ୍ନ ଗବେଷଣା କରିଥିଲା ଆମେରିକାର ଏହି ଟିମ୍ । ଏହି ଗବେଷଣା ପରେ ମୂଷାଙ୍କ ଭିତରେ ମାତ୍ରାଧିକ ଗ୍ଲୁକୋଜ ଦେଖିବାକୁ ମିଳିଥିଲା । ଆଡେନାଇଲ ସାଇକ୍ଲାସେଓନ-5 ବା Adenylyl cyclaseone5(AC5) ନାମକ ଏକ ଏନଜାଇମ ଶରୀରରେ ଶକ୍ତିଶାଳୀ ସେଲୁଲାର ପ୍ରକିୟାରେ ଭାଗ ନେଇ ଯାହା Kinase A ନାମକ ଏନଜାଇମକୁ ସକ୍ରିୟ କରି ରକ୍ତ ବାହିକାକୁ ସଙ୍କୁଚିତ କରେ ।
ତେବେ ଏହାର ପ୍ରଭାବ ମନୁଷ୍ୟ ଶରୀର ଉପରେ କିପରି ରହେ ସେ ନେଇ ରିସର୍ଚ୍ଚ କରି ଶୀଘ୍ର ଏହାର ପ୍ରତିକାର ଖୋଜି ବାହାର କରାଯିବ । ଏନଜାଇମର ପ୍ରଭାବ ଦ୍ବାରା ଆଖି, କିଡନି, ମସ୍ତିକ, ହୃଦଘାତ, ଗ୍ୟାଷ୍ଟ୍ରୋଇଣ୍ଟେସଟିନାଲରେ ଜଟିଳ ସମସ୍ୟା ଦେଖାଯାଇଥାଏ । ପ୍ରତିଦିନ ଡାକ୍ତରଖାନାକୁ ମଧୁମେହ ଜନିତ ଅନେକ ରୋଗୀ ଆସିଥାଆନ୍ତି । ତେଣୁ ମଧୁମେହକୁ ରୋକିବାକୁ ହେଲେ ଗବେଷଣାର ଆବଶ୍ୟକତା ରହିଛି । ଯଦି ଶରୀରରେ ଗ୍ଲୁକୋଜର ମାତ୍ରା ନ ବଢେ, ତେବେ ରକ୍ତ କୋଷ ଓ ବାହିକାକୁ କୌଣସି କ୍ଷତି ପହଞ୍ଚିବନାହିଁ ।