ଅମରାବତୀ: ଆଜି ବର୍ଷର ତୃତୀୟ ତଥା ଶେଷ ସୂର୍ଯ୍ୟ ପରାଗ । ସକାଳ 8.20ରୁ 11.29 ପର୍ଯ୍ୟନ୍ତ ଆରମ୍ଭ ହୋଇ ସାରିଛି ପରାଗ ପ୍ରକ୍ରିୟା । ଖାଲିଆଖିରେ ଦେଖିବାକୁ ମନା କରାଯାଇଥିବାବେଳେ ମନ୍ଦିରମାନଙ୍କରେ ସମସ୍ତ ରୀତିନିତି ବନ୍ଦ କରାଯାଇଛି । ହେଲେ ଆନ୍ଧ୍ରପ୍ରଦେଶ ଚିତୁର ଅଞ୍ଚଳରେ ଥିବା ଶ୍ରୀକାଳହସ୍ତି ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା ।
ଏନେଇ ମନ୍ଦିରକୁ ଛୁଟୁଛି ଭକ୍ତଙ୍କ ଭିଡ । ଜାତକରେ କୌଣସି ଦୋଷତ୍ରୁଟି ଥିଲେ ଏହି ସମୟରେ ରାହୁକେତୁଙ୍କ ପୂଜା କରିବା ଦ୍ବାରା ଦୋଷ ଦୂର ହୋଇଥାଏ ବୋଲି ଲୋକଙ୍କ ବିଶ୍ବାସ ରହିଛି । ମନ୍ଦିରରେ ଥିବା ଭଗବାନ ଶଙ୍କର 27 ତାରା ଏବଂ 9 ରାଶି ସୂର୍ଯ୍ୟଙ୍କ ଦ୍ବାରା ନିୟନ୍ତ୍ରିତ ହୋଇଥାଏ । ସୂର୍ଯ୍ୟପରାଗ ଓ ଚନ୍ଦ୍ର ଗ୍ରହଣ ରାହୁ କେତୁଙ୍କ ଗ୍ରାସ କରିବା ଦ୍ବାରା ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ ଏହି ସମୟରେ ମନ୍ଦିରରେ ଜୋରସୋର ପୂଜା ଚାଲିଛି ।
ଏହି ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଜାନୁଆରୀ ମାସ 6 ତାରିଖରେ ହୋଇଥିଲା । ଦ୍ବିତୀୟ ସୂର୍ଯ୍ୟପରାଗ ଜୁଲାଇ2 ତାରିଖରେ ଲାଗିଥିଲା । ଆଜି ହୋଇଥିବା ସୂର୍ଯ୍ୟପରାଗରେ ତିନି ଘଣ୍ଟା ଧରି ଜାରି ରହିବ ଛାଇ ଆଲୁଅର ଖେଳ ।