ହାଇଦ୍ରାବାଦ: ଲାଗୁଛି ଯେପରି ବିଜେପି ପୂର୍ବ ନିର୍ବାଚନ ଅପେକ୍ଷା ମୋଦି-ଶାହ ଯୋଡିରେ ଅଧିକ ସକ୍ରିୟ ହୋଇଛି । 2019 ମେ’ ସାଧାରଣ ନିର୍ବାଚନରେ ବିଜେପି 303 ଲୋକସଭା ଆସନ ଦଖଲ କରିବା ଏହାକୁ ପ୍ରମାଣିତ କରୁଛି । ସେତେବେଳେ ଏପରି ଲାଗୁଥିଲା ଯେ ଏହି ଯୋଡି 2014 ଅପେକ୍ଷା ନିର୍ବାଚନ ଉପରେ ଏତେ ଧ୍ୟାନ କେନ୍ଦ୍ରିତ କରୁନାହିଁ । ଯାହାକି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡର ନିର୍ବାଚନ ଫଳାଫଳରୁ ଜଣାପଡୁଥିଲା । କିନ୍ତୁ ସବୁ କଳ୍ପନାଜଳ୍ପନାକୁ ପଛରେ ପକାଇ ସାଧାରଣ ନିର୍ବାଚନରେ ପୁଣି ଥରେ ବିଜେପି କ୍ଷମତାକୁ ଆସିଥିଲା ।
ଯଦିଓ, ଶୀଘ୍ର ଦଳ ଉପେକ୍ଷା ଓ ଅହଂକାରର ଶିକାର ହୋଇ ହରିୟାଣାରେ ଜିତି ନପାରିବା ସହ ମହାରାଷ୍ଟ୍ରରେ ଶିବସେନା ସହ ମେଣ୍ଟ କରି ବହୁମତ ହାସଲ କରିଥିଲେ ବି ସରକାର ଗଠନ କରିପାରିଲା ନାହିଁ । ମହାରାଷ୍ଟ୍ରରେ ଶିବସେନା-ଏନସିପି ଓ କଂଗ୍ରେସ ନୂଆ ମେଣ୍ଟ ସାମ୍ନାକୁ ଆସିଲା ଯାହା ଗେରୁଆ ରଙ୍ଗକୁ ଫିକା କରିବା ସହ ପଦ ବି ଛଡାଇନେଲା ।
ଦେବେନ୍ଦ୍ର ଫଡନାଭିସ, ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ବୁଝାଇବାରେ ବିଫଳ ହୋଇଥିବାବେଳେ କେନ୍ଦ୍ରୀୟ ନେତୃତ୍ବ ଏଥିରେ ମୁଣ୍ଡ ଖେଳାଇବାରେ ବି ବିଳମ୍ବ କରିଦେଲେ । ଯାହା ବିଜେପିକୁ ସେଠାରେ ଅପଦସ୍ଥ କଲା । ତେବେ ମଧ୍ୟପ୍ରଦେଶରେ ଗତବର୍ଷ ନିର୍ବାଚନ ପରେ କ୍ଷମତାରୁ କିଛି ଦୂରରେ ଥିବା ବିଜେପି, ଚାହିଁଥିଲେ ସେଠାରେ ସରକାର ଗଠନ ସମ୍ଭବ ଥିବାବେଳେ ତାହା କରିନଥିଲା । ଗୋଟିଏ ଦୁଇଟି ରାଜ୍ୟରୁ ବିଜେପି କ୍ଷମତାଚ୍ୟୁତ ହୋଇଥିଲେ ବି ତାହା ମୋଦି-ଶାହ ଯୋଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେମାନେ ସମ୍ଭବତଃ ଜଣାଇବାକୁ ଚେଷ୍ଟା କରିଥିଲେ । ହେଲେ ଏଠାରେ ଗୋଟିଏ କି ଦୁଇଟି ରାଜ୍ୟରୁ କ୍ଷମତା ଯିବା କଥା ପଡିନାହିଁ କଥା ହେଉଛି ଏବେ ସୁଦ୍ଧା ଦେଶର ପାଖାପାଖି ଅଧେ ରାଜ୍ୟରେ ବିଜେପି କ୍ଷମତାରୁ ଦୂରରେ ରହିଛି ।
ଆଉ ଗୋଟିଏ କାରଣ ଏହା ବି ହୋଇପାରେ, ମୋଦି ଏବେ ସରକାର କିପରି ସୁରୁଖୁରୁରେ ଚାଲିବ ସେଥିପ୍ରତି ଧ୍ୟାନ ଦେଉଛନ୍ତି । ଏହାସହ ମୋଦି ବୋଧେ ନିଜକୁ ଏବେ ସବୁଠୁ ବଡ ରାଜନେତା ହିସାବରେ ଦେଖୁଛନ୍ତି । ଯେଉଁଥିପାଇଁ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ଗୋଳିଆଘାଣ୍ଟିଆ ସରକାର ଗଠନ କରିବାକୁ ସେ ବୋଧେ ପ୍ରସ୍ତୁତ ନଥିଲେ । ତଥାପି ବିଜେପି ନିଜେ ହିଁ ମଜବୁତ ହୋଇପାରିବ କିନ୍ତୁ ମଜବୁତ ବିଜେପି ବିନା ମୋଦି ସମ୍ଭବ ହୋଇପାରିବେ ନାହିଁ ।
ଦ୍ବିତୀୟରେ ଜଣେ ଉତ୍ତମ ସଂଗଠକ ଅମିତ ଶାହଙ୍କୁ ଗୃହମନ୍ତ୍ରୀ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେବା ତାଙ୍କର ଦଳ ପ୍ରତି ଧ୍ୟାନକୁ କମାଇ ଦେବା ସହ ସମାନ । ଏହା ସତ୍ୟ ଯେ ଏବେ ଜେପି ନଡ୍ଡା ବିଜେପି ସଭାପତି ଅଛନ୍ତି କିନ୍ତୁ ତାଙ୍କର ନିର୍ବାଚନ ପରିଚାଳନା ଓ ସଂଗଠନ ପରିଚାଳନାର ଏବେ ପରୀକ୍ଷା ନିଆଯାଉଛି । ତେବେ ଶାହ ଏହି ସମୟରେ ଦଳ ସହ ନିଜକୁ ଅଧିକ ଯୋଡି ପାରନ୍ତେ କିନ୍ତୁ ତାହା ସେ କରୁନାହାଁନ୍ତି । ଯାହା ତାଙ୍କର ଦଳ ପ୍ରତି କମ ଧ୍ୟାନ ଥିବା ସ୍ପଷ୍ଟ କରୁଛି ।
ଏଠାରେ ଏହା କହୁନାହୁଁ ଯେ ବିଜେପି ନିର୍ବାଚନ ରାଜନୀତି କେବଳ ଏହି ଦୁଇ ଶୀର୍ଷ ନେତାଙ୍କ ପାଇଁ ସମର୍ଥ । ତେବେ ଏହା ସତ୍ୟ ଯେ ପ୍ରତି ପାଞ୍ଚ ବର୍ଷରେ ଥରେ ଲୋକେ ତାଙ୍କର ମତ ପରିବର୍ତ୍ତନ ବି କରିପାରନ୍ତି । ଯେପରିକି 1971 ମସିହାରେ ଇନ୍ଦିରା ଗାନ୍ଧୀ ବହୁମତ ପାଇଁ ସରକାର ଗଠନ କରିଥିବାବେଳେ 1974 ମସିହାରେ ଲୋକେ ତାଙ୍କୁ କ୍ଷମତାରୁ ଦୂରରେ ରଖିଥିଲେ ।
ତେବେ ମହାରାଷ୍ଟ୍ରରେ କ୍ଷମତାରୁ ଦୂରରେ ରହିବା ପରେ ଦଳକୁ ଏହା ଧ୍ୟାନରେ ରଖି କାର୍ଯ୍ୟ କରିବାକୁ ପଡିବ ଯେ ରାଜନୀତିରେ କିଛି ସ୍ଥାୟୀ ନୁହେଁ । ହଁ ଏହା ସତ୍ୟ ଯେ ଏବେ ସୁଦ୍ଧା ମୋଦି ସବୁଠୁ ଲୋକପ୍ରିୟ ନେତା କିନ୍ତୁ କିଏ ଜାଣିଲା କେତେବେଳେ ବି କିଏ ତାଙ୍କୁ ଟକ୍କର ଦେବା ପାଇଁ ମଇଦାନକୁ ନ ଆସିବ, ଯେମିତି ସେ ଗୁଜୁରାଟରେ କଂଗ୍ରେସକୁ ଟକ୍କର ଦେଇଥିଲେ । ତେବେ ବର୍ତ୍ତମାନ ସ୍ଥିତିରେ ଯେଉଁଭଳି ଭାବେ ଦେଶରେ ମାନ୍ଦାବସ୍ଥା ଦେଖାଦେଇଛି କିଛି ବି ସମ୍ଭବ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି ।
ଲେଖକ:ବିରେନ୍ଦ୍ର କପୁର