ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଯାହାର ଚର୍ଚ୍ଚା ପୁରା ବିଶ୍ବରେ ହେଉଛି । ତେବେ ଶନିବାର ସାମ୍ବାଦିକ ସମ୍ମିଳନୀ କରି ରାଜଧାନୀର କୋରୋନା ସ୍ଥିତି ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କୋରୋନା ବିରୋଧୀ ଲଡେଇ ପାଇଁ ଦିଲ୍ଲୀ ସରକାର 5ଟି ଅସ୍ତ୍ର ବାଛିଛନ୍ତି । ଯାହା କୋରୋନା ପାଇଁ ରାମବାଣ ସାବ୍ୟସ୍ତ ହେବ ବୋଲି କେଜ୍ରିୱାଲ କହିଛନ୍ତି ।
ଅରବିନ୍ଦ କେଜ୍ରିୱାଲ କହିଛନ୍ତି, କୋରୋନା ବିରୋଧରେ ଆମ ଲଢେଇ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା। ମାର୍ଚ୍ଚରେ ଏହା ସମଗ୍ର ବିଶ୍ୱରେ ବ୍ୟାପିବା ପରେ ଅନ୍ୟ ଦେଶରେ ଥିବା ଭାରତୀୟ ସ୍ବଦେଶ ଫେରିବାକୁ ଗୁହାରି କଲେ । ମାର୍ଚ୍ଚ ମାସରେ ପ୍ରାୟ 35000 ଲୋକ ଦିଲ୍ଲୀ ଆସିଥିଲେ, ଯେଉଁ ଦେଶରେ କରୋନା ପ୍ରଭାବ ଅଧିକ ଥିଲା। ସେମାନଙ୍କୁ ସ୍କ୍ରିନିଂ କରାଯାଇଥିଲା ଏବଂ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ସମସ୍ତେ ନିଜ ଘରକୁ ଯାଇଥିଲେ। କାରଣ ସେହି ସମୟରେ କୋରୋନା କମ୍ ଥିଲା । ହେଲେ ସେମାନେ ନିଜ ଘରକୁ ଯିବା ପରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଥିଲା ।
କେଜ୍ରିୱାଲ ଆହୁରି କହିଛନ୍ତି ଯେ, 'ମେ 15 ତାରିଖ ପରେ କୋରୋନା ଦୃତ ଗତିରେ ବିସ୍ତାର କରିବାକୁ ଲାଗିଲା । ଜୁନ ମାସରେ କୋରୋନା ସଂକ୍ରମଣ କମ ହେବ ବୋଲି ଆଶା କରାଯାଉଥିବା ବେଳେ ଏବେ ହିଁ ଅତ୍ୟାଧିକ ମାମଲା ପରିଲକ୍ଷିତ ହେଲା । ଯାହା ଫଳରେ ଡାକ୍ତରଖାନାରେ ଶଯ୍ୟା ସମସ୍ୟା ଉପୁଜିଲା । ଏହାପରେ ଆମେ ଲକଡାଉନ ଖୋଲି ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି କଲୁ ବୋଲି କେଜ୍ରିୱାଲ କହିଛନ୍ତି । ସେ କହିଛନ୍ତି, ଦିଲ୍ଲୀର ସମସ୍ତ ପ୍ରମୁଖ ଡାକ୍ତରଖାନାର 40 ପ୍ରତିଶତ ଶଯ୍ୟା କରୋନା ଲାଗି ସଂରକ୍ଷିତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ହୋଟେଲକୁ ଡାକ୍ତରଖାନା ସହ ସଂଯୋଗ କରି ସେମାନଙ୍କର କ୍ଷମତା ବୃଦ୍ଧି କରାଯାଇଛି । ଏପରି ଭାବରେ ଆଜି ଶଯ୍ୟା ସଂଖ୍ୟା 3500କୁ ବୃଦ୍ଧି କରାଯାଇଛି । '
କୋରୋନା ସହ ଲଢିବା ପାଇଁ ପରୀକ୍ଷଣ ଏବଂ ଆଇସୋଲେଶନ ଅନ୍ୟ ଏକ ଅସ୍ତ୍ର ବୋଲି କେଜ୍ରିୱାଲ କହିଛନ୍ତି । ସେ କହିଛନ୍ତି, କିଛି ପରୀକ୍ଷଣ ଲ୍ୟାବ ଘୋଟାଲା କରିବା ଆରମ୍ଭ କରିଦେଇଥିଲେ । ସେମାନେ ପଜିଟିଭକୁ ନେଗେଟିଭ ବୋଲି କହୁଥିଲେ । ସେମାନଙ୍କ ବିରୋଧରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ। ଜୁନ୍ ପ୍ରଥମ ସପ୍ତାହରେ ପ୍ରତିଦିନ 5000 ପରୀକ୍ଷଣ କରାଯାଉଥିଲା । ଆଜି ପ୍ରତିଦିନ 20,000 ପରୀକ୍ଷଣ କରାଯାଉଛି । ତେବେ ଦିଲ୍ଲୀ ସରକାରଙ୍କୁ ରାପିଡ୍ ଟେଷ୍ଟ କିଟ୍ ଯୋଗାଇ ଦେଇଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି କେଜ୍ରିୱାଲ ।
ଅମ୍ଳଜାନ ଏବଂ ଅକ୍ସିମିଟରକୁ କୋରୋନା ଲଢେଇର ତୃତୀୟ ଅସ୍ତ୍ର ବୋଲି କହିଛନ୍ତି । ସେ କହିଛନ୍ତି, ଏହି ରୋଗର ସବୁଠାରୁ ବଡ ସମସ୍ୟା ଅମ୍ଳଜାନ କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ। ଆମେ ସମସ୍ତ ହୋମ ଆଇସୋଲେସନ ରୋଗୀଙ୍କୁ ଅକ୍ସିମିଟର ପଠାଇଛୁ । ଏହା ବ୍ୟତୀତ ସରକାରଙ୍କ ପ୍ରତ୍ୟେକ ଶଯ୍ୟାରେ ଅମ୍ଳଜାନ ଆଣିବାକୁ ଚେଷ୍ଟା କରୁଛୁ ବୋଲି କେଜ୍ରିୱାଲ କହିଛନ୍ତି ।
ପ୍ଲାଜମା ଥେରାପିକୁ କୋରୋନା ଲଢେଇର ଚତୁର୍ଥ ଅସ୍ତ୍ର ବୋଲି କହିଛନ୍ତି କେଜ୍ରିୱାଲ । ସେ କହିଛନ୍ତି, ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ସମଗ୍ର ଦେଶକୁ ରାସ୍ତା ଦେଖାଇଛି । ପ୍ରଥମେ ଦିଲ୍ଲୀରେ ପ୍ଲାଜମା ଥେରାପି କରାଯାଇଥିଲା ଏବଂ 29 ଜଣ ଉପରେ ଏହା ପରୀକ୍ଷଣ କରାଯାଇଥିଲା ବୋଲି ସେ କହିଛନ୍ତି । କରୋନା ବିରୋଧରେ ପଞ୍ଚମ ଅସ୍ତ୍ର ସର୍ବେକ୍ଷଣ ଏବଂ ସ୍କ୍ରିନିଂ ବୋଲି କେଜ୍ରିୱାଲ କହିଛନ୍ତି ।
ବ୍ୟୁରୋ ରିପୋର୍ଟ ଇଟିଭି ଭାରତ