ନୂଆଦିଲ୍ଲୀ: ଆଜିର ଅନେକ ଯୁବପିଢି ମାତାପିତାଙ୍କ ବିରୁଦ୍ଧରେ ଯାଇ ବିବାହ କରୁଛନ୍ତି । ଆଉ ପରିବାର ତାଙ୍କ ବିବାହକୁ ସ୍ବୀକୃତି ଦେଉନାହିଁ । ଫଳରେ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ନବଦମ୍ପତି । ଏଭଳି ଘଟଣାର ସାମନା କରିଥିଲେ ଦମ୍ପତି। ଦିଲ୍ଲୀ ହାଇକୋର୍ଟରେ ନବଦମ୍ପତି ଏକ ଯାଚିକା ଦାୟର କରିଥିଲେ । ଏହାକୁ ଗୁରୁତର ଭାବେ ନେଇଥିଲେ କୋର୍ଟ। ତାଙ୍କ ଯାଚିକାକୁ ଗ୍ରହଣ କରାଯାଇ ତାଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି।
ଜାନୁୟାରୀ 23 ତାରିଖରେ ବିବାହ କରିଥିବା ଏହି ଦମ୍ପତି ପରିବାର ଲୋକଙ୍କ ନ ଜଣାଇ ବିବାହ କରିଥିଲେ । ଏହାପରେ ନରେଲା ଅଞ୍ଚଳରେ ଭଡାଘରେ ରହୁଥିଲେ । ଭିନ୍ନ ଜାତିଯୋଗୁଁ ପରିବାର ତାଙ୍କ ବିବାହକୁ ଗ୍ରହଣ କରିବେ ନାହିଁ ବୋଲି ସେମାନେ ଜଣାଇଥିଲେ । ଭଡା ଘରେ ରହିବା ସମୟରେ ଘରମାଲିକ ସନ୍ଦେହ କରି ତାଙ୍କୁ ପଚରଉଚରା କରିଥିଲା । ଆଉ ନବବଧୁଙ୍କ ସହ ଦୁର୍ବବ୍ୟବହାର କରିଥିଲା ।
ଫଳରେ ଦୁହେଁ ଏନେଇ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ତାଙ୍କୁ ଓଲଟା ପ୍ରଶ୍ନ କରିଥିଲେ । ଘର ମାଲିକଙ୍କ ବିରୁଦ୍ଧରେ ଦେଇଥିବା ବୟାନ ବଦଳାଇବା ପାଇଁ ଚାପ ପକାଇଥିଲେ । ତେଣୁ ସେମାନେ ବାଧ୍ୟ ହୋଇ ହାଇକୋର୍ଟରେ ଯାଚିକା ଦାୟର କରିଥିଲେ ।
ଏହାପରେ ଜଷ୍ଟିସ ନାଜିମ ବଜିରି ଡିଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି , ଯେତେ ଶୀଘ୍ର ହେବ ନବଦମ୍ପତିଙ୍କୁ ସୁରକ୍ଷା ଦିଅନ୍ତୁ । ଏନେଇ ଯାଞ୍ଚ ଅଧିକାରୀ ଏବଂ ଏସଏଚଓ ଅଧିକାରୀଙ୍କୁ ଅବଗତ କରାଯାଇଛି ।