ନୂଆଦିଲ୍ଲୀ: ନିଜାମୁଦ୍ଦିନ ମର୍କାଜ ସମାବେଶ ଯୋଗୁଁ ଅଧିକ ସମସ୍ୟାରେ ପଡିଛି ଦିଲ୍ଲୀ । ଏଠାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 500 ପାର କରିଥିବାବେଳେ 300ରୁ ଅଧିକ ତବଲିଗୀ ସମାବେଶରେ ଯୋଗ ଦେଇଥିବା ଜଣାପଡିଛି । ଏମାନଙ୍କ ଯୋଗୁଁ ଗତ କିଛି ଦିନ ମଧ୍ୟରେ ପଜିଟିଭ ମାମଲା ମଧ୍ୟ ଅଧିକ ସଂଖ୍ୟାରେ ବଢିବାରେ ଲାଗିଛି । ଏନେଇ ଅଧିକ ତତ୍ପରତା ଦେଖାଇଛନ୍ତି ଦିଲ୍ଲୀ ସରକାର ।
ନିକଟରେ ମର୍କାଜରୁ 1950 ଲୋକଙ୍କୁ ଖାଲି କରାଯାଇଥିଲା । କୋରୋନା ସମ୍ପର୍କରେ ଜଣାପଡିବା ପରେ ଏହି ପଦକ୍ଷେପ ନେଇଥିଲେ ସରକାର । ଏହାସହ 700 ଲୋକଙ୍କୁ ସଙ୍ଗେ ସଙ୍ଗେ କ୍ବାରେଣ୍ଟାଇନରେ ରଖାଯାଇଥିଲା ।
ଏବେ ସମସ୍ତ 1950 ଲୋକଙ୍କ ଫୋନ ନମ୍ବର ସଂଗ୍ରହ କରିଛନ୍ତି ଦିଲ୍ଲୀ ସରକାର । ଏହାସହ ଏହି ନମ୍ବର ଦିଲ୍ଲୀ ପୋଲିସକୁ ପ୍ରଦାନ କରିଛନ୍ତି । ଯଦ୍ବାରା ପୋଲିସ ପକ୍ଷରୁ ଏମାନଙ୍କୁ ଯୋଗାଯୋଗ କରିବାରେ କୌଣସି ସମସ୍ୟା ହେବନାହିଁ । ବର୍ତ୍ତମାନ ସମସ୍ତ ମର୍କାଜରେ ଥିବା ଲୋକଙ୍କ ନମୁନା ପରୀକ୍ଷା ପାଇଁ ଯାଇଛି । ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ । ଯଦି ପଜିଟିଭ ରିପୋର୍ଟ ଆସେ ତେବେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ନମ୍ବର ଦେଇଛନ୍ତି ସରକାର । ଏହାସହ ସେମାନଙ୍କର ସମ୍ପର୍କୀୟଙ୍କୁ ମଧ୍ୟ ଏହାଦ୍ବାରା ଯୋଗାଯୋଗ କରାଯିବ ବୋଲି ସୂଚନା ଦେଇଛନ୍ତି ।
ସୌଜନ୍ୟ@ANI