ନୂଆଦିଲ୍ଲୀ: ଦିଲ୍ଲୀର ଝାନସୀରୋଡ ସ୍ଥିତ ଶସ୍ୟ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ ଘଟଣା । ରବିବାର ସକାଳେ ଯେଉଁ 4 ମହଲା କୋଠା ବିଶିଷ୍ଟ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି 43 ଜଣଙ୍କ ମୃତ୍ୟୁ ହୋଲା । ଏହି ଘଟଣାର ମୁଖ୍ୟ କାରଣ ଏବେ ସାମ୍ନାକୁ ଆସିଛି । ଅଧିକାରୀଙ୍କ କହିବା କଥା, ସେହି ମହଲା ଜ୍ବଳନଶୀଳ ସାମଗ୍ରୀରେ ଭର୍ତି ଥିବାସହ ବାହାରକୁ ବାହାରିବାକୁ ମାତ୍ର ଗୋଟିଏ ଦ୍ବାର ଥିଲା । ଯାହା ଏକ ସଙ୍କୁଚିଆ ଗଳି ଦେଇ ବାହାରକୁ ଖୋଲୁଥିଲା ।
ତେବେ ଏକ ଜନଗହଳିପୂର୍ଣ୍ଣ ଅଣଓସାରିଆ ସ୍ଥାନରେ ଫ୍ୟାକ୍ଟ୍ରି ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ମଧ୍ୟ ବ୍ୟାହତ ହୋଇଥିଲା । ଏହି କାରଣରୁ ଦମକଳ କର୍ମଚାରୀଙ୍କୁ ମଧ୍ୟ ନିଆଁ ଲାଗିଥିବା ସ୍ଥାନରେ ପହଞ୍ଚିବାକୁ ଖୁବ ବିଳମ୍ବ ହୋଇଥିଲା ।
ଦମକଳ କର୍ମଚାରୀଙ୍କ କହିବା କଥା, ଉକ୍ତ କୋଠାରେ ଜଳୁଥିବା ସିଲେଇ ମେସିନ, ପ୍ଲାଷ୍ଟିକ ଖେଳନା ଓ ଅନେକ ଡବା ଓ କପଡା ରହିବା କାରଣରୁ ଏଥିରେ ନିଆଁ ଲାଗିବା ପରେ ବିଶାକ୍ତ ଧୂଆଁ ବାହାରିଥିଲା । ଯାହା ସମ୍ପୁର୍ଣ୍ଣ କୋଠାରେ ବ୍ୟାପି ଯାଇଥିଲା । ସବୁଠୁ ବଡ କଥାହେଲା, ଲାଗିଥିବା ନିଆଁ ଅପେକ୍ଷା ବାହାରୁ ଥିବା ଧୂଆଁ କାରଣରୁ ଅନେକଙ୍କ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ଜଣାପଡିଛି ।
ଏହି ଅଗ୍ନିକାଣ୍ଡ ପରେ ୩୦ଟି ଦମକଳ ଗାଡି, ୧୫୦ ଅଗ୍ନିଶମବାହିନୀ ନିଆଁ ଲିଭାଇ ଆହତଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ଲାଗି ପଡିଥିଲେ । କର୍ମଚାରୀମାନେ ଝରକା ଓ ଲୁହାର ଜାଲି କାଟି କୋଠା ଭିତରକୁ ପଶିଥିଲେ ।
ତେବେ ଘଟଣାକୁ ନେଇ ଫ୍ୟାକ୍ଟ୍ରି ମାଲିକଙ୍କ ବିରୋଧରେ ମାମଲା ରୁଜୁ କରି ପୁଲିସ ମାଲିକ ଓ ମ୍ୟାନେଜରକୁ ଗିରଫ କରିଛି । କୁହାଯାଉଛି ଯେ ଅଣଓସାରିଆ ସାହିରେ ଥିବା ପ୍ୟାକେଜିଙ୍ଗ ଏବଂ ବ୍ୟାଗ ନିର୍ମାଣ କରୁଥିବା କମ୍ପାନୀରେ ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିଲା ।