ନୂଆଦିଲ୍ଲୀ: ଆଜିଠାରୁ ସୁପ୍ରିମକୋର୍ଟରେ ଆରମ୍ଭ ହେଲା ଅଯୋଧ୍ୟା ମାମଲାର ପ୍ରତିଦିନ ଶୁଣାଣି । ବହୁ ବିବାଦୀୟ ରାମ ଜନ୍ମଭୂମି ବ୍ରାବି ମସଜିଦ ଭୂମି ବିବାଦ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ପ୍ରତିଦିନ ଶୁଣାଣି ଆରମ୍ଭ ହୋଇଛି । ମଧ୍ୟସ୍ଥତା କମିଟି ଜରିଆରେ ବିବାଦର ସମାଧାନ କରିବାରେ ବିଫଳ ହେବା ପରେ ଏବେ ସୁପ୍ରିମକୋର୍ଟ ପ୍ରତିଦିନ ମାମଲାର ବିଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ 5ଜଣିଆ ସାମ୍ବିଧାନିକ ପୀଠ ଏହି ମାମଲାର ଶୁଣାଣି କରିବେ । ଏହି ସାମ୍ବିଧାନିକ ଖଣ୍ଡପୀଠରେ ଜଷ୍ଟିସ ଏସ.ଏ ବୋବଡେ, ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏସ.ଏ ନଜିର ମଧ୍ୟ ସାମିଲ ଅଛନ୍ତି । ଏହି ଶୁଣାଣି ସପ୍ତାହର ମଙ୍ଗଳବାର, ବୁଧବାର ଓ ଗୁରୁବାର ତିନି ଦିନ ଧରି ହେବ ।
ଅଗଷ୍ଟ ୧ରେ ମଧ୍ୟସ୍ଥତା କମିଟି ସୁପ୍ରିମକୋର୍ଟରେ ବନ୍ଦ ଲଫାଫାରେ ଫାଇନାଲ ରିପୋର୍ଟ ଦାଖଲ କରିଥିଲେ । ଯାହାକୁ ଦେଖିବା ପରେ ସୁପ୍ରିମକୋର୍ଟ କହିଥିଲେ ଯେ, ମଧ୍ୟସ୍ଥତା କମିଟି ମାଧ୍ୟମରେ ମାମଲାର କୌଣସି ସମାଧାନ ହୋଇପାରିବ ନାହିଁ । ତେବେ ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ, ଯଦି ନିଜସ୍ବ ବୁଝାମଣାରେ ସମସ୍ୟାର କୌଣସି ସମାଧାନ ନ ବାହାରିଲେ, ଦୈନିକ ଶୁଣାଣି ହେବ । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଥିଲେ ।
କୋର୍ଟ ଅଯୋଧ୍ୟା ରାମ ଜନ୍ମଭୂମି ବିବାଦ ମାମଲାରେ ଗଠିତ ମଧ୍ୟସ୍ଥତା କମିଟି ଭଙ୍ଗ କରି କହିଥିଲେ ଅଗଷ୍ଟ ୬ରୁ ମାମଲାର ଦୈନିକ ଶୁଣାଣି ହେବ ।