ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ ତଥା ନେତା ଅପର୍ଣ୍ଣା ଯାଦବଙ୍କୁ Y ଶ୍ରେଣୀର ସୁରକ୍ଷା ପ୍ରଦାନ କରିଛନ୍ତି ଯୋଗୀ ସରକାର । ଏ ସମ୍ପର୍କରେ ଏଡିଜି ସୁରକ୍ଷା ଦ୍ବାରା ଯୁଗ୍ମ ସଚିବ, ଗୃହ ପୋଲିସ ବିଭାଗ-16 ସୁନୀଲ କୁମାର ଏହି ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରତୀକ ଯାଦବଙ୍କ ପତ୍ନୀ ଅପର୍ଣ୍ଣା ଯାଦବ ଲକ୍ଷ୍ନୌ କ୍ୟାଣ୍ଟ ଆସନରେ 2017ରେ ବିଧାନସଭା ନିର୍ବାଚନ ଲଢିଛନ୍ତି । ଅପର୍ଣ୍ଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରିସାରିଛନ୍ତି ଓ ବେଳେ ବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ଯୋଗୀଙ୍କ ପ୍ରଶଂସା ମଧ୍ୟ କରନ୍ତି ।
ଯୋଗୀଙ୍କୁ ନେଇ ସେ କହିଥିଲେ, ‘ମୁଖ୍ୟମନ୍ତ୍ରୀ ହେବା ସତ୍ତ୍ବେ ସେ ମାଟି ସହ ଜଡିତ । ସେ ମୋ ପାଇଁ ଗୁରୁ । ଏହାସହ ହିନ୍ଦୁବାଦୀ ହେବା ମଧ୍ୟ କୌଣସି ଅପରାଧ ନୁହେଁ । ସେ ସମଗ୍ର ରାଜ୍ୟକୁ ନେଇ ଏକାଠି ଚାଲନ୍ତି । ଧର୍ମ-ଜାତି ସମୁଦାୟର ଊର୍ଦ୍ଧ୍ବରେ ସେ ’ ।
ଗତ ବର୍ଷ ସେପ୍ଟେମ୍ବରରେ ଯେତେବେଳେ ୟୁପିରେ ବିଧାନସଭା ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ସେତେବେଳେ ସମାଜବାଦୀ ପାର୍ଟି ଅପର୍ଣ୍ଣା ଯାଦବଙ୍କୁ ଟିକେଟ ନ ଦେଇ ଲକ୍ଷ୍ନୌ କ୍ୟାଣ୍ଟରୁ ମେଜର ଆଶିଷ ଚତୁର୍ବେଦୀଙ୍କୁ ଦେଇଥିଲା। 2017ରେ ଲକ୍ଷ୍ନୌ କ୍ୟାଣ୍ଟର ସମାଜବାଦୀ ପାର୍ଟି ପ୍ରାର୍ଥୀ ଅପର୍ଣ୍ଣା ଯାଦବ ଥିଲେ କିନ୍ତୁ ଉପ-ନିର୍ବାଚନରେ ଦଳ ତାଙ୍କୁ ଅଣଦେଖା କରିଥିଲା।