ଚେନ୍ନାଇ: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରିକ ଝଡ ବୁରେଭୀ ଏବେ ପ୍ରଳୟଙ୍କାରୀ ବାତ୍ୟାର ରୂପ ନେଇ ସାରିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବୁଧବାର ଶ୍ରୀଲଙ୍କାର ସମୁଦ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ବୁରେଭି । ଏହି ବାତ୍ୟା ଶ୍ରୀଲଙ୍କାର ତ୍ରିଙ୍କୋମାଲି ଅତିକ୍ରମ କରିବା ପରେ ତାମିଲନାଡୁରେ ପହଞ୍ଚିବାର ଆଶଙ୍କା ରହିଛି ।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁର ଧନୁଷକୋଡି ନିକଟ ପାଲମରୁ 300ରୁ ଉର୍ଦ୍ଧ୍ବ ଲୋକଙ୍କୁ ଥାଙ୍ଗଚିମଡମର ନାରାୟଣପୁର ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ବୁରେଭି ମନ୍ନାର ଓ କନ୍ୟାକୁମାରୀ ଆଖପାଖ ଅଞ୍ଚଳକୁ ମୁହାଁଉଛି । ତେବେ ଏହା ଦକ୍ଷିଣ ପଶ୍ଚିମ ଦିଗକୁ ଆସିବା ସହ ଡିସେମ୍ବର 4ରେ ସକାଳେ କନ୍ୟାକୁମାରୀ ଓ ପମ୍ବନ ମଧ୍ୟରେ ସ୍ଥଳଭାଗ ଛୁଇଁବ ।
ବାତ୍ୟା ବୁରେଭି ପ୍ରଭାବରେ ତାମିଲନାଡୁ ଓ ଦକ୍ଷିଣ କେରଳରେ ଭାରି ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ କନ୍ୟାକୁମାରୀ, ତାମିଲନାଡୁ ଓ ଆଲାପୁଜାହରେ ଏନଡିଆରଏଫ ଟିମ ମୁତୟନ କରାଯାଇଛି । ଏହି ସବୁ ଅଞ୍ଚଳକୁ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।