ଶ୍ରାନଗର: ସିଆରପିଏଫ ଯବାନଙ୍କ ନିଆରା ପଦକ୍ଷେପ । ଅମରନାଥ ଯାତ୍ରାରେ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ସିଆରପିଏଫ ଯବାନ । ସୁରକ୍ଷା ସହ ସାଧାରଣ ଲୋକଙ୍କ ପାଇଁ ଆଉ ଏକ ସେବା ଯୋଗାଇବେ ସିଆରପିଏଫ ଯବାନ । ଦକ୍ଷିଣ କାଶ୍ମୀର ହିମାଳୟରେ ଅମରନାଥ ଯାତ୍ରା ସମୟରେ 3,880 ମିଟର ରାସ୍ତାରେ 'ପରିବେଶ ବଞ୍ଚାଅ' ନାଁରେ ଅଭିଯାନ ଆରମ୍ଭ କରିବେ ଯବାନ ।
46 ଦିନର ଏହି ଯାତ୍ରା ଜୁଲାଇ 1 ରୁ ଆରମ୍ଭ ହୋଇ ଅଗଷ୍ଟ 15ରେ ରାକ୍ଷୀ ପୂର୍ଣ୍ଣିମା ଦିନ ଶେଷ ହେବ । ତେବେ ପବିତ୍ର ଅମରନାଥ ପୀଠକୁ ଯିବା ପାଇଁ ରହିଛି ଦୁଇଟି ରୁଟ । ଯେମିତିକି ଅନନ୍ତନାଗ ଜିଲ୍ଲାର ପାରମ୍ପରିକ ପାହାଲଗମ ଟ୍ରାକ ଓ ଗନ୍ଦରବାଲ ଜିଲ୍ଲାର ବଲଟଲ ଟ୍ରାକ । ଆଉ ଏହି ଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ଦେବା ପାଇଁ ସିଆରପିଏଫ ଯବାନଙ୍କ ସହ ଆର୍ମି, ସ୍ଥାନୀୟ ପୋଲିସ ଆଦି ନିୟୋଜିତ ହୋଇଥାନ୍ତି ।
ଚଳିତ ବର୍ଷ ତୀର୍ଥସ୍ଥଳକୁ ସ୍ବଚ୍ଛ ରଖିବା ଉଦ୍ଦେଶ୍ୟରେ ସିଆରପିଏଫ ଯବାନ ନେଇଛନ୍ତି ଏଭଳି ନିଷ୍ପତ୍ତି । ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ସ୍ବଚ୍ଛତା ପାଇଁ ସ୍ଲୋଗାନ ଲେଖାଯାଇ ରେଳ ଷ୍ଟେସନ, ଏୟାରପୋର୍ଟ, ବସ୍ ଷ୍ଟାଣ୍ଡ, ବିଭିନ୍ନ କ୍ୟାମ୍ପ, ଲଙ୍ଗର ଆଦି ସ୍ଥାନମାନଙ୍କରେ ବ୍ୟାନର ଓ ହୋଡିଂ ଲଗାଯିବାର ବ୍ୟବସ୍ଥା ହୋଇଛି । ଜମ୍ମୁ ସ୍ଥିତ ପାରାମିଲିଟାରୀ ଫୋର୍ସର ପବ୍ଲିକ ରିଲେସନ ଅଫିସର ଆଶିଷ କୁମାର ଝା ଏନେଇ ସୂଚନା ଦେଇଛନ୍ତି ।