ନୂଆଦିଲ୍ଲୀ: ଦିଲ୍ଲୀର ସମସ୍ତ ସରକାରୀ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି ଘୋଷଣା କରାଯାଇଛି। ଏହି ଛୁଟି ମେ 11 ରୁ 30 ଜୁନ୍ ପର୍ଯ୍ୟନ୍ତ ହେବ । ଛାତ୍ରଛାତ୍ରୀମାନଙ୍କୁ ଗ୍ରୀଷ୍ମ ଛୁଟି ସମୟରେ ବିଦ୍ୟାଳୟରେ ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ଦିଲ୍ଲୀର ସମସ୍ତ ବିଦ୍ୟାଳୟ ମାର୍ଚ୍ଚ 23 ରୁ ଅସ୍ଥାୟୀ ଭାବରେ ବନ୍ଦ ହୋଇଯାଇଛି ଏବଂ ମେ 17 ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ ।
ସୂଚନା ଅନୁୟାୟୀ, ଗ୍ରୀଷ୍ମ ଛୁଟି ସମୟରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ଅଧ୍ୟୟନ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ମଧ୍ୟ କରାଯାଉଥିଲା । ଲକଡାଉନ କାରଣରୁ ବହୁ ପୂର୍ବରୁ ସ୍କୁଲଗୁଡିକ ବନ୍ଦ ହୋଇସାରିଛି। ଏଣୁ ସରକାର ବର୍ତ୍ତମାନ କହିଛନ୍ତି ଯେ ମେ11 ରୁ ଜୁନ୍ 30 ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଛୁଟିଦିନ ରହିବ ଏବଂ ଏହି ସମୟ ମଧ୍ୟରେ କୌଣସି ପ୍ରକାରର କାର୍ଯ୍ୟକଳାପ ପାଇଁ ଛାତ୍ରଛାତ୍ରାଙ୍କୁ ଡକାଯିବ ନାହିଁ।
ଶିକ୍ଷା ନିର୍ଦ୍ଦେଶାଳୟ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି । କିନ୍ତୁ ଏହି ଛୁଟିଦିନରେ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନଲାଇନ୍ କ୍ଲାସ୍ ଜାରି ରହିବ। ଶିକ୍ଷା ନିର୍ଦ୍ଦେଶକ ବିନୟ ଭୂଷଣଙ୍କ ଅନୁଯାୟୀ, ଗ୍ରୀଷ୍ମ ଛୁଟି ସମୟରେ ମଧ୍ୟ ଅନଲାଇନ୍ କ୍ଲାସ୍ ନିୟମିତ ଅନୁଷ୍ଠିତ ହେବ। ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ | ପୂର୍ବ ନିର୍ଦ୍ଧାରିତ ସମୟ ଏବଂ କାର୍ଯ୍ୟସୂଚୀ ଅନୁଯାୟୀ ଏହି କ୍ଲାସ ଜାରି ରହିବ ।
ପ୍ରକାଶ ଥାଉକି, ଦିଲ୍ଲୀରେ କ୍ରମାଗତ ଭାବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଦିଲ୍ଲୀରେ ବର୍ତ୍ତମାନ କୋରୋନା ାକ୍ରାନ୍ତଙ୍କ ସଂଖ୍ୟା 5100ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରେ 64 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାଛଡା ସମଗ୍ର ଦିଲ୍ଲୀରେ 87 ଟି ହଟସ୍ପଟ୍ ଜୋନ୍ ଘୋଷଣା କରାଯାଇଛି ।