କୋରୋନା ଭାଇରସର ବ୍ୟାପକ ସଂକ୍ରମଣକୁ ରୋକିବାକୁ ମୋଦି ସରକାର ତିନି ସପ୍ତାହ ତାଲାବନ୍ଦୀ ଘୋଷଣା କରିଛନ୍ତି। ମହାମାରୀକୁ ମୁକାବିଲା ପାଇଁ ଏହି ତାଲାବନ୍ଦୀ ସପକ୍ଷରେ ଅନେକ ଯୁକ୍ତି ରହିଛି। କିନ୍ତୁ ଯେଉଁ ପ୍ରକାରେ ଏହି ତାଲାବନ୍ଦୀକୁ ରୂପାୟନ କରାଗଲା ତାହା ଅନେକ ପ୍ରଶ୍ନ ଉଠାଉଛି।
ପ୍ରଥମ କଥା ହେଉଛି ଲକ୍ଡାଉନ୍ ପୂର୍ବରୁ ସରକାର କୌଣସି ସୂଚନା ଦେଲେ ନାହିଁ। ଏହାଦ୍ଵାରା ଏବେ ହଜାର ହଜାର ସଂଖ୍ୟାରେ ଶ୍ରମିକ, ଯେଉଁମାନେ ଦାଦନ ଖଟିବା ଲାଗି ବିଭିନ୍ନ ରାଜ୍ୟକୁ ଆସିଥିଲେ ସେମାନେ ଏବେ ପରିତ୍ୟକ୍ତ । ଗାଡ଼ି ମୋଟର ତଥା ସମସ୍ତ ଯୋଗାଯୋଗ ବନ୍ଦ
ହେତୁ ସେମାନେ ନିଜର ପିଲାଛୁଆଙ୍କୁ ଧରି ରାଜରାସ୍ତା ଉପରେ ଚାଲି ଚାଲି ଘର ମୁହାଁ ହୋଇଥିବା ନଜରକୁ ଆସିଛି। ସେମାନଙ୍କ ନିଜ ଗାଁ ବା ସହରକୁ ଯିବା ଲାଗି ବିଭିନ୍ନ ରାଜ୍ୟ ସୀମାରେ ଅପେକ୍ଷା କରିଛନ୍ତି। ସେହିପରି ଜଣେ ଦିନ ମଜୁରିଆ ଯିଏ ମୂଲ ନ ପାଇଲେ ଓପାସ ରହିବାର ଆଶଙ୍କା ରହିଛି, ସେ ଏହି ତାଲାବନ୍ଦୀ ଯୋଗୁ କେଉଁଭଳି ୩ ସପ୍ତାହ କାଟିବ ସେ ବିଷୟରେ କୌଣସି ଚିନ୍ତା ସରକାରୀ କଳ କରିଲା ନାହିଁ, ବରଂ ବନ୍ଦ ଘୋଷଣା ହେବାର କିଛିଦିନ ପରେ ସେମାନଙ୍କ ଦୁଃଖକୁ
ଲାଘବ କରିବା ଲାଗି ସରକାର କିଛି ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ଯେତେବଳେ ଏକ ଦୁର୍ଦ୍ଦିନ ସେମାନଙ୍କ ଉପରେ ଲଦି ଦିଆଯାଉଛି । ସେହି ସମୟରେ ସରକାର ଲକଡାଉନ ଘୋଷଣା ପୂର୍ବରୁ ଆଗଆ ପ୍ରସ୍ତୁତ ରହିବା ତଥା ଆବଶ୍ୟକ ଆର୍ଥିକ ପ୍ୟାକେଜ୍ ଘୋଷଣା କରି ତାଲାବନ୍ଦୀ ପଦକ୍ଷେପ ନେବା ଉଚିତ ରହଥିଲା। ପୁଣି ଲକ୍ଡାଉନ୍ ଘୋଷଣା କରି ଯେତେବେଳେ ସରକାର ସମସ୍ତ କାରଖାନା, ଅଫିସ, ସ୍କୁଲକୁ ବନ୍ଦ ଆଦେଶ ଦେଉଛନ୍ତି ସେଥିରୁ ମେଡିକାଲ୍ ଯନ୍ତ୍ରାଂଶ
ପ୍ରସ୍ତୁତ କରୁଥିବା ଶିଳ୍ପକୁ ବିରତି ଦେବା ଉଚିତ ଥିଲା। ହେଲେ ସରକାର ତାହା କଲେ ନାହିଁ। ଫଳରେ କୋରୋନା ପରି ଯୁଦ୍ଧ ପରିସ୍ଥିତି ସହ ଲଢ଼ିବା ଲାଗି ଯେଉଁ ଅସ୍ତ୍ର ବା ମେଡିକାଲ୍ ଯନ୍ତ୍ରାଂଶ ପ୍ରସ୍ତୁତ ଆବଶ୍ୟକ ରହିଲା ସେହି ପ୍ରସ୍ତୁତକାରୀ କାରଖାନାଗୁଡ଼ିକ ମଧ୍ୟ ବନ୍ଦ ହୋଇଗଲେ।
ତାଲାବନ୍ଦୀ ଘୋଷଣା ନକରି ମଧ୍ୟ ସଂକ୍ରମଣ ରୋକିବା ଲାଗି ଆହୁରି ବିକଳ୍ପ ସରକାରଙ୍କ ପାଖରେ ଥିଲା। ଏ ବିଷୟରେ ଅନେକ ଉଦାହରଣ ରହିଛି। ଅନ୍ୟ ରାଷ୍ଟ୍ରଗୁଡ଼ିକରେ ଲକ୍ଡାଉନ୍ ପରି ଚରମ ନିଷ୍ପତ୍ତି ନେବା ପୂର୍ବରୁ ସାମାଜିକ ଦୂରତ୍ଵ ରକ୍ଷାକୁ ଗୁରୁତ୍ଵ ଦିଆଯାଇଛି। ଆବଶ୍ୟକ ସାମାଜିକ ଦୂରତ୍ଵ ରକ୍ଷା କରିବା ଦ୍ଵାରା କୋରୋନା ଭୁତାଣୁ ସଂକ୍ରମଣକୁ ରୋକିବା ସମ୍ଭବ ହୋଇପାରିଛି। ଅପରପକ୍ଷେ ଲକଡାଉନ୍ ଘୋଷଣାକୁ ଠିକଣା ଭାବେ ପାଳନ କରାନଯିବା ଏବଂ ବିଭିନ୍ନ ସ୍ଥାନରେ ଜନସମାଗମ ହେବା ତଥା ଲୋକଙ୍କୁ ଭୟରେ ଏକାଠି ହେବାକୁ ବାଧ୍ୟ କରାଯିବା ଦ୍ଵାରା କୋରୋନା ଭୁତାଣୁର
ସଂକ୍ରମଣକୁ ରୋକାଯାଇପାରିବ ସେ ନେଇ ସନ୍ଦେହ ଉପୁଜିବା ସ୍ଵଭାବିକ। ପୁଣି ତିନି ସପ୍ତାହର ଲକ୍ଡାଉନ୍ ପରେ ଯେ ଭାରତରୁ କରୋନା ଭୁତାଣୁ ନଷ୍ଟ ହୋଇଯିବ ତାହା ମଧ୍ୟ କୁହାଯାଇ ନପାରେ। ଯେଉଁ ସମୟକୁ ଆମେ ଲକ୍ଡାଉନ୍ ଘୋଷଣା ଦ୍ଵାରା ଅପଚୟ କରିଛୁ ସେହି ସମୟରେ ଆମେ ଆବଶ୍ୟକ ପରୀକ୍ଷା, ନିଦାନ କରି ପ୍ରକୃତ ରୋଗୀଙ୍କୁ ଚିହ୍ନ କରିପାରିଥାଆନ୍ତୁ। ଚିହ୍ନିତ ରୋଗୀଙ୍କୁ ମେଡିକାଲ୍ ଆଇସିୟୁରେ ରଖିବା ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ କ୍ରିଟିକାଲ କେୟାର ପ୍ରଦାନ କରିବାରେ ସକ୍ଷମ ହୋଇପାରି ଥାଆନ୍ତୁ।
ଯେଉଁ ଡାକ୍ତର ଏବଂ ସ୍ଵାସ୍ଥ୍ୟକର୍ମୀମାନେ ସଂକ୍ରମିତ ରୋଗୀଙ୍କ ପାଖକୁ ଯାଉଛନ୍ତି ବା ତାଙ୍କର ସେବା କରୁଛନ୍ତି ସେମାନଙ୍କୁ ଆବଶ୍ୟକ ସୁରକ୍ଷା ପୋଷାକ ପିପିଇ ଯୋଗାଇବା ନିହାତି ଆବଶ୍ୟକ ରହିଛି। ଅପରପକ୍ଷେ ମାସ୍କ ସଙ୍କଟକୁ ଦୂର କରିବା ଲାଗି ସରକାର ଏକ ପ୍ରହେଳିକା ରଚନା କଲେ ଯେ, ସମସ୍ତଙ୍କୁ ମାସ୍କ ବ୍ୟବହାର କରିବା ଆବଶ୍ୟକ ନାହିଁ। କେବଳ ଯେଉଁମାନେ ସ୍ଵାସ୍ଥ୍ୟକର୍ମୀ ବା ଯେଉଁମାନେ ସଂକ୍ରମିତ ସେମାନଙ୍କ ଲାଗି ମାସ୍କ ଆବଶ୍ୟକ ବୋଲି ସରକାର କହି ଲୋକଙ୍କ ଧ୍ୟାନ ଏଡ଼ାଇବାକୁ ଚେଷ୍ଟା କରିଲେ। ଏହା ବଦଳରେ ସରକାର ସମସ୍ତ ନାଗରିକଙ୍କ ଲାଗି ମାସ୍କ ବ୍ୟବହାର
ବାଧ୍ୟମତାମୂଳକ କରିବା ଆବଶ୍ୟକ ଥିଲା। ଯେହେତୁ ଆମେ ପରୀକ୍ଷା କରିବା ଏବେ ସମ୍ଭବ ନୁହେଁ ଏବଂ ସଂକ୍ରମିତ କିଏ ଜାଣିବା ସହଜ ନୁହେଁ ଏଣୁ ସମସ୍ତଙ୍କୁ ମାସ୍କ ବ୍ୟବହାର ବାଧ୍ୟ କରିଥିଲେ ହୁଏତ ଆମେ ସଂକ୍ରମଣକୁ ରୋକିପାରି ଥାଆନ୍ତୁ।
ଭାରତରେ ଚାଲିଥିବା ଲକ୍ଡାଉନ୍ ଏବଂ ଆଗକୁ ହେବାକୁ ଥିବା ଲକ୍ଡାଉନ୍ ପରିସ୍ଥିତି ଅର୍ଥନୀତିକୁ ବ୍ୟାପକ ଭାବେ ପ୍ରଭାବିତ କରିବ । ବିଶେଷକରି ଗରିବ ଲୋକମାନେ ଏଥିରେ ଅଧିକ ବାଧିତ ହେବେ। ସେମାନଙ୍କ ଉପରେ ଅଧିକ ବୋଝ ପଡ଼ିବ। କିନ୍ତୁ ଯଦି କୋରୋନା ଭୁତାଣୁ ଭାରତରେ ଅଧିକ ପ୍ରଭାବ ବିସ୍ତାର କରେ ତେବେ ଗରିବଙ୍କ ଉପରେ ଏହି ଅର୍ଥନୈତିକ ବୋଝକୁ କୋରୋନା
ଭୁତାଣୁ ସଂକ୍ରମଣର ଭୟାବହତା ଆଗରେ ସମସ୍ତେ ନ୍ୟୁନ କରି ଦେଖିବେ। ଦେଶରେ ଗରିବ ଲୋକମାନେ ଛୋଟ ଘରେ ରହିଥାଆନ୍ତି। ଯେଉଁଠାରେ ସେମାନେ ରହନ୍ତି ସେଠାକାର ପରିସ୍ଥିତି ଅସ୍ଵାସ୍ଥ୍ୟକର ହୋଇଥାଏ। ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ ଏବଂ ମୃତ୍ୟୁ ହାର ମଧ୍ୟ ଅଧିକ ହୋଇଥାଏ। ସେମାନଙ୍କୁ କୋରୋନା ହେଲେ ଜାଣିବା ସହଜ ହୋଇ ନଥାଏ। ସେମାନଙ୍କୁ ଆବଶ୍ୟକ ନିଦାନ କରାଯିବା ସମ୍ଭାବନା କମ୍ ଥାଏ ଏବଂ ସେମାନଙ୍କ ପାଖରେ ଚିକିତ୍ସା
ସୁବିଧା ମଧ୍ୟ ନ ପହଞ୍ଚିବା ଆଶଙ୍କା ଅଧିକ ଥାଏ। କାରଣ ଘରୋଇ ହସ୍ପିଟାଲ୍ମାନେ ହଜାର ହଜାର ଟଙ୍କା ନିଦାନ ପାଇଁ ନେଉଥିବା ରିପୋର୍ଟ ନଜରକୁ ଆସିଛି। ଏଣୁ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ୍ରେ ସରକାର ସମସ୍ତ ଗରିବ ଲୋକଙ୍କ ନିଦାନ ପାଇଁ ସୁବିଧା ଉପଲବ୍ଧ କରାଇବା ସହ ସେମାନଙ୍କ ନିଦାନର ଖର୍ଚ୍ଚ ବହନ କରିବା ଦରକାର। ଏହା ହେଲେ ସେମାନେ ରୋଗର ଲକ୍ଷଣ ପ୍ରକାଶ ପାଇବା କ୍ଷଣି ନିଦାନ କରିବା ଲାଗି ଆଗଭର ହେବେ। ଅପରପକ୍ଷେ ଲକ୍ଷଣ ଥିବା ଲେକାଙ୍କୁ
ଘରେ ପୃଥକୀକରଣ କରିବା ସହଜ ନୁହେଁ। କାରଣ ସେମାନଙ୍କ ପାଖରେ ପୃଥକ ରହିବାକୁ ଘର ନଥାଏ। ଏଣୁ ଯଥା ସମ୍ଭବ କୌଣସି ରୋଗର ଲକ୍ଷଣ ଦେଖାଯିବା କ୍ଷଣି ସରକାର ସେମାନଙ୍କୁ ଅଲଗା ରଖି ଚିକିତ୍ସା କରିବା ଦାୟିତ୍ଵ ବହନ କରିବା ଜରୁରୀ।
ପୁଣି ଯେତେବଳେ କୋଭିଡ୍-୧୯ର କାୟା ବିସ୍ତୃତ ହେବ, ଅଧିକରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହେବେ ସେତେବଳେ ଚିକିତ୍ସା ବ୍ୟବସ୍ଥା ଯୋଗାଇବା ଲାଗି ଡାକ୍ତରଖାନା ଓ ଅନ୍ୟ ବିକଳ୍ପ ମାଧ୍ୟମ ସବୁ ଅତ୍ୟଧିକ ଚାପରେ ରହିବେ। ସ୍ପେନ୍, ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା, ବିଶେଷକରି ନ୍ୟୁୟର୍କରେ ଏହି ଦୃଶ୍ୟ ପରିଲକ୍ଷିତ ହୋଇଛି। ଏଭଳି କ୍ଷେତ୍ରରେ ସ୍ଵାସ୍ଥ୍ୟସେବା ଯୋଗାଇବାରେ କଟକଣା ନିହାତି ଆସିବ। ଇଟାଲୀରେ ଆମେ ଦେଖୁଛୁ ଯେ, ଡାକ୍ତରମାନଙ୍କ ପାଖରେ ଏତେ ସଂଖ୍ୟାରେ ରୋଗୀ ପହଞ୍ଚୁଛନ୍ତି ଯେ ସେମାନେ କାହାକୁ ବଞ୍ଚାଇବେ ଏବଂ କାହାକୁ ଚିକିତ୍ସା କରିବେ ସେ ବିଷୟରେ ସେମାନେ ନିଷ୍ପତ୍ତି ନେଉଛନ୍ତି। ଏହାର ମୂଳ କାରଣ ହେଉଛି ଆବଶ୍ୟକ ଚିକିତ୍ସା ଭିତ୍ତିଭୂମିର ଅଭାବ। ଏଣୁ ଏହି ସଙ୍କଟଜନକ ପରିସ୍ଥିତିରେ ସେମାନେ ଭଗବାନଙ୍କ ଉପରେ ସବୁକିଛି ଛାଡ଼ି ଯେଉଁ ବ୍ୟକ୍ତି ଅଧିକ ଦିନ ବଞ୍ଚିବାର ସମ୍ଭବନା ଅଛି ତାଙ୍କୁ ଯଥା ସମ୍ଭବ ଚିକିତ୍ସା ଯୋଗାଉଛନ୍ତି। ଏହା ଦର୍ଶାଉଛି ଯେ, ଡାକ୍ତରମାନେ ବିଶେଷକରି ଯୁବକ ଏବଂ ସ୍ଵାସ୍ଥ୍ୟବାନ ଲୋକଙ୍କୁ ବଞ୍ଚାଇବାକୁ ଅଧିକ ପସନ୍ଦ କରିଛନ୍ତି।
ଭାରତରେ ଯଦି ଏଭଳି ପରିସ୍ଥିତି ଆସେ, ସେଠି ଯେଉଁମାନେ ଭାରତର ସ୍ଥିତି ବାବଦରେ ଜାଣିଛନ୍ତି, ସେମାନେ ନିଶ୍ଚିତଭାବେ ଅନୁମାନ କରିପାରୁଥିବେ ଯେ, ଏଠାରେ ଡାକ୍ତରମାନେ କାହାକୁ ବଞ୍ଚାଇବାକୁ ପସନ୍ଦ କରିବେ ! ଏଭଳି ଏକ ପରିସ୍ଥିତିରେ ଯଦି ଜଣେ ୭୫ ବର୍ଷୀୟ ବଳିଷ୍ଠ ଧନୀ ବୃଦ୍ଧ ଆଉ ୩୦ ବର୍ଷୀୟ ଦୁର୍ବଳ ମହିଳାଙ୍କ ଭିତରୁ କାହାକୁ ଉତ୍ତମ ଚିକିତ୍ସା ଦେଇ ବଞ୍ଚାଇବାକୁ ପସନ୍ଦ ଆସିଲେ ଏଠାରେ ଡାକ୍ତର ନିଶ୍ଚିତ ଭାବେ ଧନୀ ଲୋକଙ୍କ ଜୀବନକୁ ରକ୍ଷା କରିବା ଲାଗି ଅଧିକ ଚେଷ୍ଟା କରିବେ। ଏଭଳି ପରିସ୍ଥିତିରେ ଡାକ୍ତରମାନଙ୍କୁ ଏହି ଅନୈତିକ କାର୍ଯ୍ୟକରୁ କ୍ଷାନ୍ତ କରିବା ଲାଗି କଠୋର ନୀତି ପ୍ରଣୟନ କରାଯିବା ଅବାଶ୍ୟକ। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) ପରାମର୍ଶରେ ଡାକ୍ତରମାନେ କିପରି ଚିକିତ୍ସା କରିବେ ସେଥିଲାଗି ଏକନିର୍ଦ୍ଧାରିତ ନିୟମାବଳୀ ପ୍ରଣୟନ କରାଯିବା ଜରୁରୀ। ଏହା ଖାଲି ଯେ ଡାକ୍ତର ତା ନୁହେଁ ହସ୍ପିଟାଲ୍ କର୍ତ୍ତପକ୍ଷଙ୍କୁ ସହାୟକ ହେବ। ଏହା ଆମେ ସମସ୍ତେ ଜାଣୁ ଯେ, ଯଦି ସ୍ଵାସ୍ଥ୍ୟସେବା ନିୟନ୍ତ୍ରିତ ହେବେ ତେବେ ଗରିବଙ୍କ ପାଖରେ ଚିକିତ୍ସା ସୁବିଧା ସର୍ବଶେଷରେ ପହଞ୍ଚିବ। ପୁଣି ପରିସ୍ଥିତି ଜଟିଳ ହେଲେ ଭେଣ୍ଟିଲେଟର ଆବଶ୍ୟକ ପଡ଼ିଥାଏ। ଏହି ସ୍ଥିତିରେ ଯେଉଁମାନେ ଅର୍ଥ ପଇଠ କରିପାରିବେ ସେମାନେ ହିଁ ଏହି ସୁବିଧା ପାଇବେ। ଏଣୁ ଯେଉଁ ସମୟରେ ୩ ସପ୍ତାହ ଲକ୍ଡାଉନ୍ ଘୋଷଣା କରାଯାଇଛି ସେହି ସମୟରେ ସରକାର ଏ ବାବଦରେ ଅବାଶ୍ୟକ ନୀତି ପ୍ରଣୟନ କରିବା ଆବଶ୍ୟକ। ନିୟନ୍ତ୍ରିତ ମେଡିକାଲ୍ ସେବା ପ୍ରଦାନର ସମୟ ଯଦି ଭାରତରେ ପଡ଼େ ତେବେ ଚିକିତ୍ସାର ଆବଶ୍ୟକତାକୁ ବିଚାର କରିବା ଲାଗି ଡାକ୍ତରଙ୍କୁ ନିର୍ଦ୍ଦେଶ ଦିଆଯିବା ଆବଶ୍ୟକ।
( ପ୍ରିୟରଞ୍ଜନ ଝା, ଅର୍ଥନୀତି ପ୍ରାଧ୍ୟାପକ, ୟୁନିଭର୍ସିଟି ଅଫ୍ କାଲିଫଣ୍ଣିଆ, ୟୁଏସ୍ଏ )