ୱାଶିଂଟନ: କର୍କଟ ଓ ନିମୋନିଆ ପରେ ଏବେ ମାରାତ୍ମକ କୋରୋନାକୁ ପରାସ୍ତ କଲେ ଜଣେ 100 ବର୍ଷିୟା ବୃଦ୍ଧା । ଏଥିପାଇଁ କୁହାଯାଇଛି ଯେ, ଯଦି ତୁମର ଆତ୍ମବିଶ୍ୱାସ ଅଛି ତେବେ କୌଣସି ବି ଆହ୍ବାନର ସମ୍ମୁଖୀନ ହୋଇପାରିବ । ଯାହାର ଉଦାହାରଣ ହେଉଛନ୍ତି ଏହି 100 ବର୍ଷିୟା ବୃଦ୍ଧା । ଏହି ମହିଳା ନିଜର 100 ତମ ଜନ୍ମଦିନର କିଛି ଦିନ ପୂର୍ବରୁ ମାରାତ୍ମକ କୋରୋନାକୁ ପରାସ୍ତ କରି ସୁସ୍ଥ ହୋଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଲିଓରା ମାର୍ଟିନ ନାମକ ଏହି ବୃଦ୍ଧା ଆମେରିକା କାଲିଫର୍ନିଆର ବାସିନ୍ଦା। ତେବେ ସେ ଏପ୍ରିଲରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଦୀର୍ଘ ଦୁଇ ମାସ କୋରୋନା ସହ ଲଢେଇ ପରେ ଜୁନ୍ 13 ରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା ।
ଗତ ବର୍ଷ ସେ କର୍କଟ ରୋଗରୁ ମୁକ୍ତି ପାଇଥିଲେ। ଏହା ବ୍ୟତୀତ ତାଙ୍କୁ ନିମୋନିଆ ମଧ୍ୟ ହୋଇଥିଲା ବୋଲି ଲିଓରା ମାର୍ଟିନ କହିଛନ୍ତି । ନିମୋନିଆର ଚିକିତ୍ସା ସମୟରେ ତାଙ୍କ ପକ୍ଷେ ବଞ୍ଚିବା କଷ୍ଟକର ହୋଇ ପଡ଼ିଥିଲା। କିନ୍ତୁ ଇଚ୍ଛାଶକ୍ତି ହେତୁ ସେ ନିମୋନିଆକୁ ମଧ୍ୟ ପରାସ୍ତ କରିଥିଲେ ।