ଝାନସୀ: ଖାକି ବର୍ଦ୍ଦି ସୁରକ୍ଷାର ଶକ୍ତ ବଳୟ । ଖାକି ପୋଷାକ ତଳଟି ଦୟାର ଦରିଆ । ଖଳଙ୍କ ପାଇଁ କାଳ, ସମାଜ ପାଇଁ ବଳ । ପୋଲିସ ପୋଷାକ ତଳେ ଥାଏ ଏକ ପରିବାର, ଦରଦୀ ହୃଦୟ, ଅସହାୟଙ୍କ ପାଇଁ ସହାୟକ । କୋରୋନା ଯୁଦ୍ଧରେ ଜୀବନକୁ ଖାତିର ନକରି ଦିନରାତି ସୁରକ୍ଷା ଦେଉଛନ୍ତି ଦେଶର ଏ ଜାଗ୍ରତ ପ୍ରହରୀ । ରବିବାର କୋରୋନା ଭଳି କରାଳ କାଳରେ ପ୍ରବାସୀ ପିଲାଙ୍କୁ ଖେଳନା ବାଣ୍ଟିଛି ପୋଲିସ । ୟୁପି-ଏମପି ରାଜ୍ୟ ସୀମାନ୍ତରେ ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ଖେଳନା ବାଣ୍ଟି କୁନିକୁନି ପିଲାଙ୍କ ମୁହଁରେ ହସ ଫୁଟାଇଛି ଝାନ୍ସି ପୋଲିସ । ଏହାସହ ମାନବିକତାର ଶ୍ରେଷ୍ଠତମ ଉଦାହରଣ ଦେଖାଇଛି ପୋଲିସ ।
ପୋଲିସର ମହାନତାକୁ ଓ ବିପଦ ବନ୍ଧୁତାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ।. ହର୍ଷବର୍ଦ୍ଧନ କେବଳ ଟ୍ବିଟରରେ ଏହି ଘଟଣାର ଏକ ଭିଡିଓ ସେୟାର କରିନାହାଁନ୍ତି, ବରଂ 'ଝାନ୍ସି ପୋଲିସ କୁଡୋସ୍' ଲେଖିଛନ୍ତି ଯାହାକି ପ୍ରବାସୀ ଶ୍ରମିକଙ୍କ ଛୋଟ ପିଲାମାନଙ୍କ ମୁହଁରେ ଖେଳନା ଉପହାର ଦେଇ ଖୁସି ଭରି ଥିଲା ।
ପୋଲିସ ଏଭଳି କଠିନ ପରିସ୍ଥିତିରେ ପିଲାମାନଙ୍କ ଆତ୍ମବିଶ୍ବାସ ଜିତିବା ଏବଂ ସେମାନଙ୍କ ପାଇଁ କିଛି ଭଲ ସ୍ମୃତି ଫେରାଇ ଆଣିବା ପାଇଁ ପ୍ରଚେଷ୍ଟା କରିଥିବା କହିଛି । ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ଅଧିକ ସେୟାର ହେବା ସହ ଲୋକଙ୍କ ହୃଦୟ ଜିତିବାରେ ଲାଗିଛି । ପୋଲିସ ଶିଶୁ ଏବଂ ସେମାନଙ୍କ ପରିବାରକୁ ମାସ୍କ ମଧ୍ୟ ଦେଇଥିଲା।
ଝାନସି ପୋଲିସର ମୁଖପାତ୍ର କହିଛନ୍ତି ଯେ ପିଲାମାନଙ୍କ ମୁହଁରେ ହସ ଫୁଟାଇବା ଏବଂ ସେମାନଙ୍କ ପିତାମାତାଙ୍କୁ ମଧ୍ୟ ଖୁସି କରିବା ପାଇଁ ଏହା ଉଦ୍ଦିଷ୍ଟ ଥିଲା ।