ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ରବିବାର ଘୋଷଣାପତ୍ର ଜାରି କରିଛି କଂଗ୍ରେସ । ଏଥିରେ ଦିଲ୍ଲୀର ବିକାଶ ସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ସାମିଲ କରାଯିବ। ଦଳର ନିର୍ବାଚନୀ ଘୋଷଣା ପତ୍ରରେ 600 ୟୁନିଟି ପର୍ଯ୍ୟନ୍ତ ମାଗଣା ବିଜୁଳି, ପେନସନ ବୃଦ୍ଧି ଭଳି ଅନେକ ପ୍ରସଙ୍ଗ ସ୍ଥାନ ପାଇଛି ।
ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ସୁଭାଷ ଚୌପ୍ରା ଓ ଦଳ ମୁଖ୍ୟ ଆନନ୍ଦ ଶର୍ମା ଓ ଅଜୟ ମକେନ ଉପସ୍ଥିତ ରହି ଦଳର ଘୋଷଣାପତ୍ର ରିଲିଜ କରିଛନ୍ତି । କଂଗ୍ରେସ ପୂର୍ବରୁ ବିଜେପି ଶୁକ୍ରବାର ନିର୍ବାଚନ ଘୋଷଣା ପତ୍ର ‘ଦିଲ୍ଲୀ ସଙ୍କଳ୍ପ ପତ୍ର’ ଜାରି କରିଛି । ଏଥିରେ ଏକ ଟଙ୍କାରେ ଅଟା ଓ ପ୍ରତି ଘରେ ଜଳଯୋଗାଣ ଭଳି ସୁବିଧା ଯୋଗାଇ ଦେବା ପାଇଁ ପ୍ରତିଶ୍ରୃତି ଦିଆଯାଇଛି।
କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଅଧିନରେ ସମସ୍ତ ପରିବାରକୁ ଜଳ ଯୋଗାଇ ଦିଆଯିବାର କୁହାଯାଇଛି । ଆୟୁଷ୍ମାନ ଭାରତ, କିଶାନ ସମ୍ମାନ ନିଧି ଯୋଜନାକୁ ଲାଗୁ କରିବା ପାଇଁ ସଂକଳ୍ପ ପତ୍ରରେ ଉଲ୍ଲେଖ କରାଯାଇଛି । ରୋଜଗାର ବୃଦ୍ଧି କରିବା ପାଇଁ ସମସ୍ତ ସରକାରୀ ପଦବୀ ପୂରଣ କରାଯିବାକୁ କୁହାଯାଇଛି ।
ଏହି ସଂକଳ୍ପ ପତ୍ର ଜାରି କରିବା ସମୟରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର, ନୀତିନ ଗଡକରୀ, ଶ୍ୟାମ ଜାଜୁ, ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି କ୍ରମରେ ଆମ ଆଦମୀ ପାର୍ଟି ନିଜ ଘୋଷଣାପତ୍ର ପ୍ରଥମେ ଜାରି କରିଥିଲା । ବିଦ୍ୟୁତ, ଜଳ ଆଦି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଏଥିରେ ଉଲ୍ଲେଖ ରହିଛି ।