ନୂଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥା, କୃଷି ସଙ୍କଟ, ବେକାରୀ ଆଦି ସମସ୍ୟାକୁ ନେଇ ରାଲିକୁ ଓହ୍ଲାଇବ କଂଗ୍ରେସ। ନଭେମ୍ବର 30ରେ ନୂଆଦିଲ୍ଲୀର ରାମଲୀଳା ମୈଦାନରେ ‘ଭାରତ ବଚାଓ’ ଆନ୍ଦୋଳନ କରିବ କଂଗ୍ରେସ । ଏହି ରାଲିକୁ ନେଇ ଶନିବାର କଂଗ୍ରେସ ପକ୍ଷରୁ ଏକ ବୈଠକ କରାଯାଇଥିଲା । ବୈଠକରେ ଦଳର ସଚିବ, ପ୍ରଦେଶ ଉପାଧ୍ୟକ୍ଷ ଓ ରାଜସ୍ଥାନ, ଛତିଶଗଡ, ପୁଡୁଚେରୀର ମୁଖ୍ୟମନ୍ତ୍ରୀ ପ୍ରମୁଖ ସାମିଲ ହୋଇଥିଲେ ।
ବୈଠକ ପରେ କଂଗ୍ରେସ ସଚିବ କେସି ବେଣୁଗୋପାଳ ଏହାର ଘୋଷଣା କରିଥିଲେ। 25 ନଭେମ୍ବର ସୁଦ୍ଧା ଜିଲ୍ଲା ଓ ରାଜ୍ୟସ୍ତରରେ ଆନ୍ଦୋଳନ କରାଯିବ ଏହା ପରେ 30 ନଭେମ୍ବରରେ ବଡ ଆକାରରେ ଆନ୍ଦୋଳନ କରାଯିବ। ବେଣୁଗୋପାଳ କହିଥିଲେ କି, ସରକାରଙ୍କ ନୀତିକୁ ନେଇ ସାରା ଦେଶ ସମସ୍ୟାରେ । ଦଳର ମିଡିଆ ପ୍ରଭାରୀ ରଣଦୀପ ସୁର୍ଜେବାଲା, ବିଜେପି ଭାରତକୁ ବରବାଦ କରିଦେଇଛି ବୋଲି କହିଥିଲେ।
ଏହି ରାଲିରେ ଦିଲ୍ଲୀ ଓ ଆଖପାଖ ରାଜ୍ୟରୁ ବିରୋଧି ଦଳ ଯୋଗ ଦେବେ ବୋଲି ଆଶା । ଏହି ରାଲିକୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମେତ ରାହୁଲ ଗାନ୍ଧୀ ସମ୍ବୋଧିତ କରିବେ ।