ନୂଆଦିଲ୍ଲୀ: ବିହାରର ମୁଜାଫରପୁର ରେଳ ଷ୍ଟେସନରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବାର ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ଭାଇରାଲ ହେବା ପରେ ଜଣେ ଓକିଲ ଜାତୀୟ ମାନବ ଅଧିକାର ଆୟୋଗ (NHRC)ରେ ଅଭିଯୋଗ କରିଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ କ୍ଲିପ୍ରେ ଏକ ଶିଶୁ ରେଳ ଷ୍ଟେସନରେ ନିଜ ମୃତ ମା’ଙ୍କୁ ଘୋଡାଇ ରଖିଥିବା କପଡା ସହିତ ଖେଳୁଥିଲା । କପଡାଟି ବାହାରି ଆସୁଥିଲା କିନ୍ତୁ ମାଆର କୌଣସି ଗତିବିଧି ନଥିଲା । ପରେ ଜଣାପଡିଲା କିଛି ସମୟ ପୂର୍ବରୁ ମାଆର ମୃତ୍ୟୁ ଘଟିଛି । ତାଙ୍କ ପରିବାର ଅନୁଯାୟୀ, ଅତ୍ୟଧିକ ଉତ୍ତାପ, କ୍ଷୁଧା ଏବଂ ଡିହାଇଡ୍ରେସନରେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଏହି 23 ବର୍ଷୀୟା ମହିଳା ସୋମବାର ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ଆସି ପହଞ୍ଚିଥିଲେ ।
ଏହି ଘଟଣାରେ ଆଇନଜୀବୀ ବଦର ମହମ୍ମୁଦ କହିଛନ୍ତି ଯେ ନିର୍ଦ୍ଦିଷ୍ଟ ରେଳ ପ୍ଲାଟଫର୍ମର ମେ 25 ରୁ ସିସିଟିଭି ଫୁଟେଜ ଜବତ କରାଯିବା ଉଚିତ । ରେଳବାଇ ଏବଂ ବିହାର ସରକାରଙ୍କ ନିର୍ଦ୍ଦୟ, ମନମୁଖୀ ତଥା କୌତୁକିଆ ଆଚରଣ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ଏହି ମହିଳାଙ୍କ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ମଧ୍ୟ ଦିଆଯିବା ଉଚିତ ।
ତେବେ ଉକ୍ତ ଓକିଲଙ୍କ ଅଭିଯୋଗ ଅନୁସାରେ ମହିଳା ଜଣକ ମେ 24ରେ ଗୁଜୁରାଟରୁ ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ଚଢି ମେ 25 ରେ ମୁଜାଫରପୁର ରେଳ ଷ୍ଟେସନରେ ପହଞ୍ଚିଥିଲେ । ଏଠାରେ ତାଙ୍କୁ ଆଶ୍ରୟ, ଖାଦ୍ୟ ଏବଂ ପୋଷାକ ଭଳି ସୁବିଧା ନମିଳିବାରୁ ସେ ଅସୁସ୍ଥ ହୋଇପଡିଲେ । ହେଲେ ତାଙ୍କୁ ଉପଯୁକ୍ତ ପାନୀୟ ଜଳ ଖାଦ୍ୟ ନମିଳିବାରୁ ସେ ସେହି ଷ୍ଟେସନରେ ପ୍ରାଣ ହରାଇଲେ । ଏହା ପଛରେ ଦାୟୀ କିଏ ? ଏନେଇ ସେ ଜାତୀୟ ମାନବ ଅଧିକାର ଆୟୋଗକୁ ଜବାବ ମାଗିଛନ୍ତି ।
କୋରୋନା ଭାଇରସ୍ ମହାମାରୀର ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ହେବାରୁ ପ୍ରବାସୀ ଶ୍ରମିକ ପରିବହନ ପାଇଁ ରେଳ ମନ୍ତ୍ରଣାଳୟ ଦ୍ବାରା ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଆରମ୍ଭ ହୋଇଥିଲା ।
ରେଳ ମନ୍ତ୍ରଣାଳୟ ଏବଂ ବିହାର ସରକାର ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି । ଟ୍ରେନରେ କିମ୍ବା ରେଳ ଷ୍ଟେସନରେ ମୌଳିକ ଆବଶ୍ୟକତା ରଖିବାରେ ବିଫଳ ହୋଇଛି ରେଳ ମନ୍ତ୍ରାଳୟ ଏବଂ ୟୁପି ସରକାର । ଏହା ସହିତ ମହିଳା ଏବଂ ତାଙ୍କ ଶିଶୁକୁ ମଧ୍ୟ ସୁରକ୍ଷା ଦେବାରେ ବିଫଳ ହୋଇଛି ସରକାର ।
ଭାରତୀୟ ସମ୍ବିଧାନ ଧାରା 21 ଅନୁସାରେ ଭାରତର ପ୍ରତ୍ୟେକ ନାଗରିକଙ୍କୁ ‘ଜୀବନ ଅଧିକାର ଏବଂ ବ୍ୟକ୍ତିଗତ ସମ୍ମାନ’ ର ଗ୍ୟାରେଣ୍ଟି ଦିଆଯାଏ । ଏହାସହ ଦେଶର ପ୍ରତ୍ୟେକ ନାଗରିକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ବାଧ୍ୟତାମୂଳକ ରହିଛି । ଏଥିପ୍ରତି ରାଜ୍ୟ କିମ୍ବା କେନ୍ଦ୍ର ସରକାର ଧ୍ୟାନ ରଖିବା ଉଚିତ ।