ଥିରୁଅନନ୍ତପୁରମ: ସମୁଦ୍ର ମଧ୍ୟରେ ଫସିଥିବା 24 ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛନ୍ତି ତଟରକ୍ଷୀ ବାହିନୀ ଓ ସ୍ଥାନୀୟ ପ୍ରଶାସନ । ଏନେଇ ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି । 14ଟି ଡଙ୍ଗାରେ 55 ମତ୍ସଜୀବୀ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯାଇଥିଲେ । ହେଲେ ରବିବାର ଦିନ ପାଗ ଖରାପ ହେବାରୁ ସେମାନେ ସମୁଦ୍ର ମଧ୍ୟରେ ଫସି ଯାଇଥିଲେ । ଫଳରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ତଟରକ୍ଷୀ ବାହିନୀ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଥିଲା । ଏହି ସର୍ଚ୍ଚ ଅପରେସନରେ ଜାହାଜ ଓ ବିମାନ ମଧ୍ୟ ନିୟୋଜିତ ହୋଇଥିଲା । ପ୍ରତିକୂଳ ପାଗ ଯୋଗୁଁ ଅପରେସନ ପ୍ରଭାବିତ ହୋଇଥିଲା ।
ତେବେ, ହଜି ଯାଇଥିବା ଡଙ୍ଗା ଗୁଡିକ ମାଲାପୁରମ୍, ଏର୍ନାକୁଲମ୍ , ଆଲାପୁଜା, ପୋନ୍ନାନି, କାୟାମକୁଲମ୍, ମୁନାମ୍ବମ୍ ଓ ଆଜିକୋଡେ ଜିଲ୍ଲାର ହୋଇଥିବା ଜଣାପଡିଛି । ଏହି ଡଙ୍ଗା ଗୁଡିକୁ ଖୋଜିବା ପାଇଁ ତଟରକ୍ଷୀ ବାହୀନିର ଡୋନିୟର ବିମାନ ,ଚେତକ ହେଲିକାପ୍ଟର ସହିତ ବିମାନ ଆଇସିଜିଏସ ସମୀର, ଆଇସିଜିଏସ ବିକ୍ରମ, ଆଇସିଜିଏସ ଆରୟମ୍ୟାନ ଓ ଡଙ୍ଗା ସି144 ନିୟୋଜିତ ହୋଇଥିଲା । କୋଷ୍ଟାଲ୍ ସର୍ଭିଲାନ୍ସ ନେଟୱାର୍କ ମାଧ୍ୟମରେ ଏହି ଅଞ୍ଚଳର ମତ୍ସ୍ୟଜୀବୀ ଡଙ୍ଗାକୁ ସୁରକ୍ଷିତ ସ୍ଥାନକୁ ପଠାଇବା ପାଇଁ ବୈଦ୍ୟୁତିକ ତଦାରଖ ରକ୍ଷଣାବେକ୍ଷଣ କରାଯାଉଛି । ଏବଂ ନିୟମିତ ପାଣିପାଗ ପରାମର୍ଶଦାତା ମଧ୍ୟ ପଠାଯାଉଛି। ଏନେଇ ଲୋକଙ୍କୁ ଅଧିକ ସଚେତନ କରାଯିବ ବୋଲି ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି ।
ଏହାପୂର୍ବରୁ ଉପକୂଳ ପୋଲିସ, ଆଇସିଜି ଏବଂ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ମିଳିତ ଅପରେସନରେ ମାଲାପୁରାମ ଜିଲ୍ଲାର ସମୁଦ୍ରରେ ନିଖୋଜ ଥିବା ଦଶ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଆଠ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ରବିବାର ଦିନ ପାଣିପାଗ ବିଭାଗ କହିଛି ଯେ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ କେରଳରେ ପ୍ରବଳ ବର୍ଷା ଓ ପବନ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ରବିବାର ଠାରୁ 48 ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ରକୁ ନଆସିବାକୁ ମତ୍ସ୍ୟଜୀବୀଙ୍କୁ ନିବେଦନ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ