ନୂଆଦିଲ୍ଲୀ: ଦେଶରେ କୋରୋନା ପରିସ୍ଥିତି ଗମ୍ଭୀର ହେଲାଣି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟାରେ ବିପୁଳ ବୃଦ୍ଧି ସରକାରଙ୍କ ମୁଣ୍ଡବ୍ୟଥା ବଢାଇଛି । ସେପଟେ ବୋଝ ଉପରେ ନଳିତା ବିଡା ପରି ଅସହ୍ୟ ହେଉଛି ଗରମ । ଗତ କିଛିଦିନ ଧରି ରାଜଧାନୀ ଦିଲ୍ଲୀ ସମେତ ଅନ୍ୟାନ୍ୟ ସହରରେ ବଢିଚାଲିଛି ତାପମାତ୍ରା ।
ଭାରତୀୟ ପାଣିପାଗ ବିଭାଗର ସୂଚନାନୁସାରେ ମଙ୍ଗଳବାର ରାଜସ୍ଥାନର ଚୁରୁ ଦେଶର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି । ଏଠାରେ ତାପମାତ୍ରା ସର୍ବାଧିକ 50 ଡିଗ୍ରୀ ସେଲସିୟସ ରହିଛି । ସେହିପରି ଦିଲ୍ଲୀର ପଲମ 47.6 ଡିଗ୍ରୀ ସେଲସିୟସ ସହ ଦ୍ବିତୀୟ ସର୍ବାଧିକ ଉତ୍ତପ୍ତ ସହର ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ତେବେ ଗତ 10 ବର୍ଷ ଭିତରେ ପଲମରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ଶେଷଥର ପାଇଁ 2010 ମେ 18ରେ ସମାନ ତାପମାତ୍ରା ରେକର୍ଡ କରିଥିଲେ । ସେହିପରି ସଫଦରଗଞ୍ଜରେ 1944 ମେ 29ରେ 47.2 ଡିଗ୍ରୀ ରେକର୍ଡ ହୋଇଥିଲା । ତେବେ ପଲମରେ 1968 ମେ 26ରେ ଏବେ ଯାଏଁ ସବୁଠାରୁ ଅଧିକ ତାପମାତ୍ରା 48.4 ରେକର୍ଡ ହୋଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ସୌଜନ୍ୟ@ANI