ଅମରାବତୀ: ଆନ୍ଧ୍ରପ୍ରଦେଶର ଇଲୁରରେ 200ରୁ ଉର୍ଦ୍ଧ୍ବ ଲୋକ ଅଚାନକ ଅସୁସ୍ଥ ହୋଇପଡିବା ଘଟଣାକୁ ଗମ୍ଭୀରତାର ସହ ନେଇଛି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ । ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା ପରେ ଏକ 3 ଜଣିଆ ସ୍ବାସ୍ଥ୍ୟ ବିଶେଷଜ୍ଞ ଟିମଙ୍କୁ ଆନ୍ଧ୍ରପ୍ରଦେଶ ପଠାଯାଇଥିବା ଜଣାପଡିଛି ।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଆନ୍ଧ୍ରପ୍ରଦେଶର ଇଲୁର ଯାଉଥିବା 3 ଜଣିଆ ବିଶେଷଜ୍ଞ ଟିମରେ ଏମ୍ସର ସହକାରୀ ପ୍ରଫେସର ଡାକ୍ତର ଜାମସେଦ ନାୟାର, ଏନଆଇଭି ପୁଣେର ଭାଇରୋଲୋଜିଷ୍ଟ ଡାକ୍ତର ଅବିନାଶ ଦେଓଷ୍ଟୱାର ଏବଂ ଦିଲ୍ଲୀ ଏନସିଡିସିର ପିଏଚ ଏକ୍ସପର୍ଟ ତଥା ଉପନିର୍ଦେଶକ ସଙ୍କେତ କୁଲକର୍ଣ୍ଣୀ ସାମିଲ ରହିଛନ୍ତି ।
ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଇଲୁରୁ ଅଞ୍ଚଳରେ ଗତ ଶନିବାର 227 ଜଣ ଲୋକ କ୍ଳାନ୍ତ ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ପ୍ରାୟ 100 ଜଣ କୌଣସି କାରଣରୁ ଅଚାନକ ମୂର୍ଚ୍ଛା ହୋଇପଡିଥିଲେ ।
ମିଳିଥିବା ସୂଚନା ଅନୁସାରେ, ଗତ ଶନିବାର ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ 227 ଜଣ ଲୋକ କ୍ଳାନ୍ତ ଓ ଦୁର୍ବଳ ଅନୁଭବ କରିବାରୁ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେପଟେ ବେସରକାରୀ ହସ୍ପିଟାଲରେ ମଧ୍ୟ 70 ଜଣ ଲୋକ ଏହିଭଳି ସ୍ବାସ୍ଥ୍ୟବସ୍ଥା ଅନୁଭବ କରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ 5 ଜଣ ଲୋକ ଗୁରୁତର ଅବସ୍ଥାରେ ବିଜୟୱାଡା ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।