ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ କୋଭିଡ-19 ମହାମାରୀ ସମୟରେ ଭାରତୀୟ ପୋଲିସର ଭୂମିକାକୁ ବିଶ୍ଳେଷଣ କରିଛି । ବିଶେଷ କରି 68 ଦିନିଆ ଲକଡାଉନ୍ ବେଳେ ପୋଲିସ ସେମାନଙ୍କର ମାନବିକତା ପ୍ରଦର୍ଶନ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି । ତେବେ ସହରାଞ୍ଚଳରୁ ନିଜ ଗ୍ରାମକୁ ଶହ ଶହ କିଲୋମିଟର ଚାଲିଆସିଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ପୋଲିସର ଅତ୍ୟଧିକ ମାତ୍ରାରେ ପଦକ୍ଷେପକୁ ମନ୍ତ୍ରଣାଳୟ ଉଲ୍ଲେଖ କରିବାରେ ବିଫଳ ହୋଇଛି।
ଗତ ସପ୍ତାହରେ ପ୍ରକାଶିତ ଇଣ୍ଡିଆନ୍ ପୋଲିସ୍ ରେସପନ୍ସ ଅଫ୍ କୋଭିଡ୍-19 ସଙ୍କଟ ନାମକ ଏକ ସ୍ବତନ୍ତ୍ର ଉଲ୍ଲେଖ ଉପରେ ମନ୍ତ୍ରଣାଳୟର ଥିଙ୍କ-ଟ୍ୟାଙ୍କ ବ୍ୟୁରୋ ଅଫ୍ ପୋଲିସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ(ବିପିଆରଡି) ଦର୍ଶାଇଛି ଯେ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପୋଲିସ୍ ଫୋର୍ସ ତଥା କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ, କେବଳ କଡା ଲକଡାଉନ୍ ସୁନିଶ୍ଚିତ କରି ନାହିଁ ବରଂ କୋଭିଡ୍-19 ରୋଗୀଙ୍କୁ ଯତ୍ନର ସହ ଟ୍ରାକ୍ କରିଛନ୍ତି ।
ରିପୋର୍ଟରେ, ବିପିଆରଡି କହିଛି ଯେ ଯେତେବେଳେ ମାର୍ଚ୍ଚ 25 ରୁ ଲକଡାଉନ୍ ଘୋଷଣା କରାଯାଇଥିଲା । ସେତେବେଳେ ଏହା ଅଣକୁଶଳୀ ପ୍ରବାସୀ ଶ୍ରମିକଙ୍କ ଜୀବିକା ଉପରେ ପ୍ରଭାବ ପକାଇଥିଲା ଏବଂ ଘରକୁ ଯାଉଥିବା ଲକ୍ଷ ଲକ୍ଷ ଶ୍ରମିକ ନିଜ ତଥା ଅନ୍ୟମାନଙ୍କ ପାଇଁ ଗୁରୁତର ବିପଦ ସୃଷ୍ଟି କରିଥିଲେ । ଏହାପରେ ପୋଲିସ ସେମାନଙ୍କୁ ଖାଦ୍ୟ, ଆଶ୍ରୟ, ଔଷଧ, ପରିବହନ ବ୍ୟବସ୍ଥା କରିବାରେ ସାହାଯ୍ୟ କରିଥିଲା ।
ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ପୋଲିସ୍ ଅଧିକାରୀମାନେ ଡ୍ୟୁଟି ସମୟ ପରେ ମଧ୍ୟ କୋଭିଡ୍-19 ରୋଗୀଙ୍କ ସାହାଯ୍ୟ କରିଥିଲେ । କେତେକ ପୋଲିସ କର୍ମଚାରୀ ଗର୍ଭବତୀ ମହିଳାଙ୍କୁ ପୋଲିସ ଭ୍ୟାନରେ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଆଶାକର୍ମୀମାନଙ୍କ ସହିତ ଯୋଗାଯୋଗ କରିବା ଏବଂ ମହାମାରୀ ସମୟରେ ଅସୁବିଧା ସମୟରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ହ୍ବାଟସ୍ ଆପ୍ ଗ୍ରୁପ୍ ଗଠନ କରିଥିଲେ ।
ସାରା ଦେଶରେ ପୋଲିସ ହ୍ବାଟସ୍ ଆପ୍, ଫେସବୁକ୍ ଏବଂ ଟ୍ବିଟର ଭଳି ସୋସିଆଲ ମିଡିଆର ବ୍ୟାପକ ବ୍ୟବହାର କରି ସରକାରୀ ନିର୍ଦ୍ଦେଶାବଳୀ ବିସ୍ତାର କରିବା ସହିତ ମିଥ୍ୟା ଖବର ଏବଂ ଗୁଜବକୁ ବିଲୋପ କରିଥିଲେ। ଡକ୍ୟୁମେଣ୍ଟରେ ଦର୍ଶାଯାଇଛି ଯେ ୱେବସାଇଟ୍, ବ୍ଲଗ୍, ପୋର୍ଟାଲ୍ ଏବଂ ଜନସଂଖ୍ୟାର ନିର୍ଦ୍ଦିଷ୍ଟ ବିଭାଗକୁ ଲକ୍ଷ୍ୟ କରି ମୋବାଇଲ୍ ଆପ୍ ଗୁଡିକୁ ନେଇ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ମଧ୍ୟ ଲଞ୍ଚ କରାଯାଇଥିଲା।
ଏହା ମଧ୍ୟ କୁହାଯାଇଛି ଯେ, କୋଭିଡ-19 କାରଣରୁ ସାରା ଦେଶରେ ପ୍ରାୟ 400 ପୋଲିସ କର୍ମଚାରୀ ପ୍ରାଣ ହରାଇଥିବାବେଳେ ଅଗଷ୍ଟ ସୁଦ୍ଧା 76,000 ଭାଇରସ ସଂକ୍ରମିତ ହୋଇଥିଲେ। ମହାରାଷ୍ଟ୍ର ଏପର୍ଯ୍ୟନ୍ତ 12,760 ମାମଲା ଚିହ୍ନଟ ହୋଇଛି ।