ଲକ୍ଷ୍ନୌ: ନଡ଼ା ଜଳାଇ ହରଡ଼ଘଣାରେ 300 ଚାଷୀ । ଶୁଣିବାକୁ କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଘଟଣାଟି ହେଉଛି ଉତ୍ତର ପ୍ରଦେଶର । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ଚାଷୀମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ମୁତାବକ ଉତ୍ତର ପ୍ରଦେଶର ଦୀପାବଳି ସମୟରେ 3 ଶହରୁ ଊର୍ଦ୍ଧ୍ବ ଚାଷୀ ନିଆଁ ଜଳାଇଥିବା ଅଭିଯୋଗ ହୋଇଛି । ଏହି ଚାଷୀମାନେ ରାଜ୍ୟର ବିଲସଣ୍ଡା, ନରିଆ, ଅମରିଆ, ପୁରନପୁର, ସେରାମଉ, ମାଧୋଟାଣ୍ଡା, ଜାହାନାବାଦ, ବିଳାସପୁର ଏବଂ ଗଜରୌଲା ଅଞ୍ଚଳର ବୋଲି ଜଣାପଡ଼ିଛି । ଫଳରେ ଏମାନଙ୍କ ବିରୋଧରେ ରାଜସ୍ବ ଅଧିକାରୀମାନେ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।
ସେପଟେ ଏହି ମାମଲା ପରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି । ଅସନ୍ତୋଷ ପ୍ରକାଶ କରିଥିବା ଜଣେ ଚାଷୀ ଚରଣଜୀତ ସିଂ କହିଛନ୍ତି, ପୂର୍ବରୁ ଆମକୁ ଧାନର ଉଚିତ ମୂଲ୍ୟ ଦେବାରେ ସରକାର ବିଫଳ ହୋଇଛନ୍ତି । ଏପରିକି ଆଖୁଚାଷୀଙ୍କୁ ବିକ୍ରି ପରେ ଟଙ୍କା ସହଜରେ ମିଳୁନଥିବା ଏବେ ଏହି ସମସ୍ୟା ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ।
ସେପଟେ ନଡ଼ାକୁ ପୋଡ଼ିଲେ ମଧ୍ୟ ସରକାର ଦଣ୍ଡଦେବା ଆରମ୍ଭ କଲେଣି ବୋଲି ସେ ଅଭିଯୋଗ କରିଥିଲେ । ଏନେଇ ସିଟି ମାଜିଷ୍ଟ୍ରେଟ ରିତୁ ପୁନିଆ କହିଛନ୍ତି କି ପ୍ରଶାସନ ଏନଜିଟିର ନିୟମକୁ ପାଳନ କରୁଛି । ଜିଲ୍ଲାରେ ବହୁଳ ମାତ୍ରାରେ ନଡ଼ା ଜଳାଇବା ପାଇଁ ଏନଜିଟି ଅନୁମତି ଦେଉନାହିଁ । ଫଳରେ ଏହି ଚାଷୀମାନେ ନିୟମ ଉଲ୍ଲଂଘନ କରୁଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।