ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ଅଡି ବସିଛନ୍ତି ରାହୁଲ । ସେପଟେ ରାହୁଲଙ୍କ ଇସ୍ତଫା ପରେ କଂଗ୍ରେସର ଅଧ୍ୟକ୍ଷ୍ୟ ପଦ କିଏ ସମ୍ଭାଳିବ ? ଗାନ୍ଧୀ ପରିବାରରୁ ହିଁ ନୂଆ ଅଧ୍ୟକ୍ଷ ଚୟନ କରାଯିବ କି ଜଣେ ଅଣ-ଗାନ୍ଧୀ ଦଳର ପ୍ରମୁଖ ହେବେ ସେ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଯଦି ଜଣେ ଅଣ-ଗାନ୍ଧୀ ଦଳର ଅଧ୍ୟକ୍ଷ ହେବେ ତ କଂଗ୍ରେସର ଅସ୍ତିତ୍ବ ରହିବ କି ନାହିଁ ସେ ନେଇ ମଧ୍ୟ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ତେବେ ଇତି ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାର ଏନେଇ ପ୍ରତିକ୍ରିୟା ରଖିଛନ୍ତି । ନେହେରୁ-ଗାନ୍ଧୀ ନାମ ବିନା ବି ଦଳର ଅସ୍ତିତ୍ବ ବଞ୍ଚି ରହିବ ରହିବ ବୋଲି ସେ କହିଛନ୍ତି ।
ଜଣେ ଅଣ-ଗାନ୍ଧୀ ଦଳର ଅଧ୍ୟକ୍ଷ ହୋଇପାରିବେ, କିନ୍ତୁ ଗାନ୍ଧୀ ପରିବାରକୁ ସଂଗଠନ ଭିତରେ ସକ୍ରିୟ ରହିବାକୁ ପଡିବ ବୋଲି । ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦ ସମ୍ଭାଳିଲେ ସବୁଠୁ ଭଲ ହେବ । କିନ୍ତୁ ତାଙ୍କ ଇଚ୍ଛାର ମଧ୍ୟ ସମ୍ମାନ କରିବା ଉଚିତ ବୋଲି ଆୟାର କହିଛନ୍ତି । ଏକ ଗଣମାଧ୍ୟମ ସାକ୍ଷାତକାରରେ ସେ କହିଛନ୍ତି, ନୂଆ ଅଧ୍ୟକ୍ଷ ଚୟନ ପାଇଁ ରାହୁଲ ଗାନ୍ଧୀ ଦଳକୁ 1 ମାସର ସମୟ ଦେଇଛନ୍ତି । ଏହି ପ୍ରସଙ୍ଗ ଉପରେ ଆଲୋଚନା ମଧ୍ୟ ଜାରି ରହିଛି । କିନ୍ତୁ ରାହୁଲ ହିଁ ଅଧ୍ୟକ୍ଷ ପଦରେ ରୁହନ୍ତୁ ବୋଲି ଦଳରେ ସମସ୍ତେ ଚାହୁଁଛନ୍ତି ।
ତେବେ କଂଗ୍ରେସ ଉପରେ ଆସିଥିବା ଏହି ସଙ୍କଟ ପାଇଁ ବିଜେପିକୁ ଦାୟୀ କରିଛନ୍ତି ଆୟାର । ଏହା ବିଜେପିର ଏକ ଚାଲ୍ ବୋଲି ସେ କହିଛନ୍ତି । କଂଗ୍ରେସ ମୁକ୍ତ ଭାରତ ଭଳି ଗାନ୍ଧୀ ମୁକ୍ତ କଂଗ୍ରେସ କରିବା ମଧ୍ୟ ବିଜେପିର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।