ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ କ୍ୟାବିନେଟ 400 ପ୍ରାଇଭେଟ ଟ୍ୟାକ୍ସିକୁ ଆମ୍ବୁଲାନ୍ସ ସେବା ଭାବରେ ବ୍ୟବହାର ପାଇଁ ଅନୁମୋଦନ କରିଛନ୍ତି। ଏହି ନିଷ୍ପତ୍ତି ଦ୍ବାରା କୋରୋନା ରୋଗୀଙ୍କୁ ଶୀଘ୍ର ଡାକ୍ତରଖାନାକୁ ପହଞ୍ଚାଇବାରେ ସହଜ ହେବ । ତେବେ 400 ଟ୍ୟାକ୍ସି ମଧ୍ୟରୁ 200 ଟ୍ୟାକ୍ସି କାମ ଆରମ୍ଭ କରିସାରିଛନ୍ତି । ଅନ୍ୟ ଟ୍ୟାକ୍ସି ଖୁବଶୀଘ୍ର କାମ ଆରମ୍ଭ କରିବେ ।
ସୂଚନା ଅନୁଯାୟୀ, ଆମ୍ବୁଲାନ୍ସ ଗୁଡିକ ଠିକ ସମୟରେ ପହଞ୍ଚୁ ନଥିବା ଅଭିଯୋଗ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟରେ ପହଞ୍ଚିବା ପରେ ଭଡାରେ ଟ୍ୟାକ୍ସି ନେବା ଲିଷ୍ଟ ପ୍ରସ୍ତୁତ କରାଯାଇଥିଲା। ଏହାପରେ ଦିଲ୍ଲୀ ସରକାରଙ୍କ କ୍ୟାବିନେଟ ଆମ୍ବୁଲାନ୍ସ ସେବା ଭାବରେ 400 ଟ୍ୟାକ୍ସି ଚଳାଇବାକୁ ଅନୁମୋଦନ ଦେଇଛନ୍ତି ।
ତେବେ ଭଡାରେ ନିଆଯାଇଥିବା ଆମ୍ବୁଲାନ୍ସର ଭଡା ଦିଲ୍ଲୀ ସରକାରଙ୍କ ସ୍ବାସ୍ଥ୍ୟବିଭାଗ ଫଣ୍ଡ ଦ୍ବାରା ବହନ କରାଯିବ । ଏହି ଆମ୍ବୁଲାନ୍ସ ଗୁରୁତର ନଥିବା ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଏବଂ ଡାକ୍ତରଖାନାରୁ ଘରକୁ ଆଣିବା ପାଇଁ କାର୍ଯ୍ୟ କରିବ।
ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଏହି 400 ଟ୍ୟାକ୍ସି କ୍ୟାବଗୁଡିକ ଆମ୍ବୁଲାନ୍ସ ନିର୍ଦ୍ଦେଶକଙ୍କ ଅଧୀନରେ ରହିବ। ଏହି ସମସ୍ତ ଟ୍ୟାକ୍ସିର ସେବା ହେଲ୍ପଲାଇନ ନଂ 102 ସହିତ ଯୋଡା ଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ