ବେଙ୍ଗାଲୁରୁ: ବହୁତ ହୋଇଗଲା । ଆଜି କାଲି କହି ଫ୍ଲୋର ଟେଷ୍ଟ ପାଇଁ ଦିନ ଗଡାଇଲେ କୁମାରସ୍ବାମୀ ସରକାର । ହେଲେ ସୋମବାର ବାଚସ୍ପତି କଥା ଦେଇଛନ୍ତି, ଆଜି ସନ୍ଧ୍ୟା 6ଟା ସୁଦ୍ଧା ସରିବ ଭୋଟିଂ । ବହୁମତ ପ୍ରମାଣ ଦେବେ ସରକାର । କଂଗ୍ରେସ ନେତା ସିଦ୍ଧରାମୟେ ବି ଏଥିରେ ଏକମତ । ଆଉ ଆଜି ହିଁ କୁମାରସ୍ବାମୀ ସରକାରଙ୍କ ପାଇଁ ଶେଷ ଦିନ । ମଙ୍ଗଳବାର ବିଧାନସଭା ଆରମ୍ଭ ହେବା ପୂର୍ବରୁ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜେ. ସେଟ୍ଟର ।
ଆଜି କର୍ଣ୍ଣାଟକ ନାଟକର କ୍ଲାଇମେକ୍ସ ଆସିବା ଏକ ପ୍ରକାର ଚୂଡାନ୍ତ । କାହିଁକି ନା ଆସ୍ଥା ପ୍ରସ୍ତାବ ଉପରେ ଚାଲିଥିବା ବିତର୍କ ଅପରାହ୍ନ 4ଟା ମଧ୍ୟରେ ସାରିବାକୁ ବାଚସ୍ପତି ସ୍ପଷ୍ଟ କରିଛନ୍ତି । ଆସ୍ଥାଭୋଟ ପାଇଁ କୁମାରସ୍ବାମୀ ଜୁଲାଇ 24 ସମୟ ମାଗିଥିବା ବେଲେ, ବାଚସ୍ପତି ଏହାକୁ ରୋକଠୋକ ମନା କରିଦେଇଛନ୍ତି । ଅନ୍ୟପଟେ ବିଦ୍ରୋହୀ ବିଧାୟକଙ୍କୁ ମନାଇବାରେ ଫେଲ ମାରିଛି ଉଭୟ କଂଗ୍ରେସ-ଜେଡିଏସ ।