ସ୍ତନ କର୍କଟର ପାରିବାରିକ ଇତିହାସ ଓ ଏହାର ବଂଶାନୁକ୍ରମିକତା ନେଇ ଇଟିଭି ଭାରତ ସୁଖୀଭବଃ ପକ୍ଷରୁ ବିଶେଷଜ୍ଞ ଡକ୍ଟର ପି. ରଘୁରାମଙ୍କ ସହ ଆଲୋଚନା କରାଯାଇଥିଲା । ଏ ପ୍ରସଙ୍ଗରେ ବି କିଛି ଧାରଣା ରହିଛି, ଯାହା କି ଠିକ୍ ନୁହେଁ ।
ଧାରଣା- ପରିବାରରେ ଯଦି ଆଗରୁ ସ୍ତନ କର୍କଟ ରୋଗର ଇତିହାସ ଥାଏ, ତାହା ହେଲେ ଏହା ଏକ ରିସ୍କ ଫ୍ୟାକ୍ଟର ।
ସତ୍ୟତା- ସ୍ତନ କର୍କଟରେ ପୀଡିତ ହେଉଥିବା ମହିଳାମାନଙ୍କ ରୋଗ ନେଇ ପାରିବାରିକ ଇତିହାସ ପ୍ରାୟତଃ ନଥାଏ । ଅର୍ଥାତ୍ ସମ୍ପୃକ୍ତ ପୀଡିତା ମହିଳାଙ୍କ ପରିବାରରେ ଆଗରୁ କିଏ ସ୍ତନ କର୍କଟରେ ପୀଡିତ ହୋଇନଥାନ୍ତି ।
ଧାରଣା– ସ୍ତନ କର୍କଟ ଆଶଙ୍କା ରହିଛି କି ନାହିଁ, ତାହା ଜାଣିବା ପାଇଁ ‘ଜେନେଟିକ ଟେଷ୍ଟ’ କରିବା ଦରକାର ।
ସତ୍ୟତା-ଏହି ଧାରଣା ଭୁଲ୍ । ସାମାନ୍ୟ ବିପଦ ଆଶଙ୍କା ଥିବା ଅଧିକାଂଶ ମହିଳା ଜେନେଟିକ ଟେଷ୍ଟ କରନ୍ତି, ଯାହା କି ସମ୍ପୂର୍ଣ୍ଣ ଅଦରକାରୀ ଓ ଅନାବଶ୍ୟକ । 'ଆଭରେଜ୍ ରିସ୍କ' ଶ୍ରେଣୀରେ ଥିବା ଏହି ମହିଳାମାନେ ହିଁ ସ୍ତନ କର୍କଟରେ ପୀଡିତ ହେବା ନେଇ ଭୁଲ୍ ମାର୍ଗରେ ପରିଚାଳିତ ହୋଇଥାନ୍ତି । କେବଳ ୫ରୁ୧୦ ପ୍ରତିଶତ ସ୍ତନ କର୍କଟ ମାମଲା ହିଁ ତ୍ରୁଟିପୂର୍ଣ୍ଣ ଜିନରୁ ସୃଷ୍ଟି ହେବା ସମ୍ଭାବନା ଥାଏ । ଏହି ଦୋଷଯୁକ୍ତ ଜିନ୍ ଥିବା ମହିଳାମାନେ ସ୍ତନ କର୍କଟରେ ପୀଡିତ ହେବାର ଜୀବନବ୍ୟାପୀ ଆଶଙ୍କା ଥାଏ । ତେଣୁ ସ୍ତନ କର୍କଟର ପାରିବାରିକ ଇତିହାସ ଓ ହାଇ ରିସ୍କ୍ ଗ୍ରୁପ୍ର ଥିଲେ ହିଁ ଜେନେଟିକ୍ ଟେଷ୍ଟ କରିବା ପାଇଁ ବିଚାର କରାଯାଇପାରେ । ଉପଯୁକ୍ତ ଜେନେଟିକ୍ କାଉନସେଲିଂ ପରେ ହିଁ ଟେଷ୍ଟ କରିବା ଜରୁରୀ ।
ସ୍ତନ କର୍କଟର ପାରିବାରିକ ଇତିହାସ (ହାଇରିସ୍କ ଗ୍ରୁପ୍) :-
. ୪୦ ବର୍ଷ ବୟସ ପୂର୍ବରୁ ପରିବାରରେ ଜଣେ ବା ଅଧିକ ନିକଟ ସମ୍ପର୍କୀୟଙ୍କୁ ସ୍ତନ କର୍କଟ ହୋଇଥିବ ।
. ଦୁଇ ବା ଅଧିକ ନିକଟ ସମ୍ପର୍କୀୟଙ୍କୁ ଯେକୌଣସି ବୟସରେ ସ୍ତନ କର୍କଟ ହୋଇଥିବ ।
. ନିକଟ ସମ୍ପର୍କୀୟଙ୍କୁ ସ୍ତନ କର୍କଟ ହୋଇଥିବ ଓ ଅନ୍ୟମାନଙ୍କୁ ଓଭାରିଆନ କ୍ୟାନସର ହୋଇଥିବ ।
. ଜଣେ ନିକଟ ସମ୍ପର୍କୀୟଙ୍କୁ ଦୁଇଟି ସ୍ତନରେ କର୍କଟ ହୋଇଥିବ ( ବାଇଲେଟ୍ରାଲ୍ ) ।
. କୌଣସି ପୁରୁଷ ସମ୍ପର୍କୀୟଙ୍କୁ ସ୍ତନ କର୍କଟ ହୋଇଥିବ ।
ଜେନେଟିକ୍ ଟେଷ୍ଟ ହେଉଛି ଏକ ସରଳ ବ୍ଲଡ ଟେଷ୍ଟ୍ । କିନ୍ତୁ ଏହା ବେଶ ବ୍ୟୟବହୁଳ । ଏଥିପାଇଁ ପାଖାପାଖି ୫୦ ହଜାର ଟଙ୍କା ଖର୍ଚ୍ଚ ହୁଏ । ଯଦି ବ୍ଲଡ୍ ଟେଷ୍ଟ ପଜିଟିଭ ବାହାରିଲା, ତାହା ହେଲେ ଜୀବନବ୍ୟାପୀ ସ୍ତନ କର୍କଟ ଓ ଓଭାରିଆନ କ୍ୟାନସର ହେବା ଆଶଙ୍କା ରହିଥାଏ । ( ୫୦ରୁ ୮୫ ପ୍ରତିଶତ ସ୍ତନ କର୍କଟ ଓ ୧୫ରୁ ୪୫ ପ୍ରତିଶତ ଓଭାରିଆନ କ୍ୟାନସର )
ଧାରଣା – ଜେନେଟିକ୍ ଅସ୍ୱାଭାବିକତା ଯୋଗୁଁ ସ୍ତନ କର୍କଟର ହାଇରିସ୍କ ଥିଲେ ଉଭୟ ସ୍ତନକୁ ହଟାଇବା ହିଁ ଏକମାତ୍ର ନିର୍ଦ୍ଧାରିତ ଚିକିତ୍ସା ।
ସତ୍ୟତା- ସର୍ଜରୀ ଦ୍ୱାରା ଉଭୟ ସ୍ତନକୁ ହଟାଯାଇପାରିବ । ସ୍ୱାଭାବିକ ମେନୋପଜ୍ ପୂର୍ବରୁ ସର୍ଜରୀ କରିବା ଦରକାର । କିନ୍ତୁ ସର୍ଜରୀକୁ ଛାଡି ବିଭିନ୍ନ ଅଣସର୍ଜରୀ ବିକଳ୍ପ ବି ରହିଛି, ଯାହା କି ସଫଳ ବି ରହିଥିବା ପ୍ରମାଣିତ ହୋଇଛି । ଯଦି ସର୍ଜରୀ ପାଇଁ ପ୍ରସ୍ତାବ ଦିଆଯାଏ, ତାହା ହେଲେ ତୁରନ୍ତ ବ୍ରେଷ୍ଟ ରିକନଷ୍ଟ୍ରକସନ ହେବା ବ୍ୟବସ୍ଥା ଥିବା ଦରକାର ।
ବିନା ସର୍ଜରୀ ବିକଳ୍ପ ହେଲା-
୧. ୫ ବର୍ଷ ଯାଏଁ ଟାମୋକ୍ସିଫେନ୍ ନାମକ ଔଷଧ ସେବନ
୨. ଭଲ ଭାବେ ତଦାରଖ
ଭାରତରେ ବ୍ରେଷ୍ଟ କ୍ୟାନସର କ୍ଲିନିକ୍ସ ଓ ବିପଦ ହ୍ରାସ ସର୍ଜରୀ କେନ୍ଦ୍ର ଆବଶ୍ୟକ ସଂଖ୍ୟାରେ ନାହିଁ । ତେଣୁ ଭଲ ଭାବେ ତଦାରଖ ବା କ୍ଲୋଜ ମନିଟରିଂ ହିଁ ବୋଧହୁଏ ସବୁଠାରୁ ଭଳ ଅଣ ସର୍ଜରୀ ବିକଳ୍ପ । ଏହି ବିକଳ୍ପ ସ୍ତନ କର୍କଟ ରୋକି ନ ପାରିଲେ ମଧ୍ୟ ଶୀଘ୍ର ଚିହ୍ନଟ କରିବାରେ ସହାୟକ ହୁଏ ।