ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ପାଇଁ ବଢିଲା ଅଡୁଆ । ତାଙ୍କ ପ୍ରଡକ୍ସନ ହାଉସ ମଣିକର୍ଣ୍ଣିକା ଅଫିସ ବେଆଇନ ଭାବେ ନିର୍ମାଣ ହୋଇଥିବା ଦର୍ଶାଇ ପ୍ରଥମେ ବିଏମସି(ବ୍ରିହାନ ମୁମ୍ବାଇ ମହାନଗର ନିଗମ) ନୋଟିସ ଜାରି କରିଥିଲା । ଆଉ ଏବେ ତାକୁ ସିଲ୍ କରିଥିବା ଜଣାପଡିଛି ।
ଧାରା 354 ଅନୁସାରେ କଙ୍ଗନାଙ୍କୁ ବିଏମସି ପକ୍ଷରୁ ନୋଟିସ ଦିଆଯାଇଥିଲା । ଏହାସହ ତାଙ୍କ ବେଆଇନ ନିର୍ମାଣଙ୍କୁ ଭାଙ୍ଗିବାକୁ କୁହାଯାଇଥିଲା । ଯଦି କଙ୍ଗନା ଏହା ନକରନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ଚେତାବନୀ ଦେଇଥିଲା । ହେଲେ ଏହା ପରେ ଅଫିସକୁ ସିଲ କରାଯାଇଥିବା ଜଣାପଡିଛି ।
ସୂଚନା ଥାଉକି, ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ କଙ୍ଗନା ଅନେକଙ୍କୁ ଦୋଷାରୋପ କରିବା ସହ ମହାରାଷ୍ଟ୍ର ସରକାରଙ୍କୁ ଦୋଷ ଦେଇଥିଲେ । ଏହାସହ ମୁମ୍ବାଇକୁ ପିଓକେ(ପାକିସ୍ତାନ ଅଧିକୃତ କଶ୍ମୀର) ସହିତ ତୁଳନା କରିଥିଲେ । ଯେଉଁଥିଲାଗି ତାଙ୍କୁ ମୁମ୍ବାଇରେ ପୂରାଇ ନଦେବାକୁ ଶିବସେନା ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାଉତ କହିଥିବା ଅଭିଯୋଗ ହୋଇଥିଲା ।
ଏହାପରେ ସେ 9 ତାରିଖରେ ମୁମ୍ବାଇ ଆସୁଛନ୍ତି ଓ କିଏ ଅଟକାଇବ ଅଟକାଉ ବୋଲି କଙ୍ଗନା କହିଥିଲେ । ପରେ କଙ୍ଗନାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ Y+ ସୁରକ୍ଷା ଯୋଗାଇ ଦିଆଯାଇଛି । ସେହିପରି ଘଟଣାକୁ ନେଇ ଅନେକ ସ୍ଥାନରେ ଶିବସେନାର କର୍ମକତ୍ତା କଙ୍ଗନାକୁ ବିରୋଧ କରିଛନ୍ତି ।
ଏପଟେ କରଣୀ ସେନା କଙ୍ଗନାଙ୍କ ସମର୍ଥନରେ ବାହାରିଥିବା ଦେଖିବାକୁ ମିଳିଛି । ଏସବୁ ଭିତରେ ଆଜି କଙ୍ଗନାଙ୍କ ଅଫିସ ବେଆଇନ ଭାବେ ନିର୍ମାଣ କରାଯାଇଥିବାର ଦର୍ଶାଇ ବିଏମସି ନୋଟିସ ପଠାଇବା ଓ ପରେ ସିଲ୍ କରିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ