କୋଲକାତା: ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ସ୍ବାଧୀନତା ଦିବସ ଉପଲକ୍ଷେ ଜାତୀୟ ପତାକା ଉତ୍ତୋଳନ କରିବା ନେଇ ଦୁଇ ପ୍ରତିଦ୍ବନ୍ଦ୍ବୀ ଦଳ ମଧ୍ୟରେ ସଂଘର୍ଷ ହୋଇଛି । ଘଟଣାରେ ଶାସକ ତୃଣମୂଳ କଂଗ୍ରେସର ସମର୍ଥକଙ୍କ ଦ୍ବାରା ଜଣେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ଟିଏମସି ସମର୍ଥକଙ୍କ ଦ୍ବାରା 40 ବର୍ଷର ସୁଦର୍ଶନ ପ୍ରେମାନିକଙ୍କୁ ମାଡ ମାରି ହତ୍ୟା କରିଥିବା ବିଜେପି ଅଭିଯୋଗ କରିଛି । ସେପଟେ ଶାସକ ଦଳ ଏହି ଅଭିଯୋଗକୁ ଖଣ୍ଡନ କରିଛି। ତେବେ ଘଟଣା ପରେ ପୋଲିସ 8 ଜଣଙ୍କୁ ଅଟକ ରଖିଛି। ସଂଘର୍ଷ ପରେ ପଶ୍ଚିମ ଖାନକୁଲରେ ଉତ୍ତେଜନା ସୃଷ୍ଟି କରିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା ।
ଏନେଇ ହୁଗୁଳି ଜିଲ୍ଲାର ପୋଲିସ ଅଧୀକ୍ଷକ ତଥାଗତ ବସୁ କହିଛନ୍ତି, ଶନିବାର ସକାଳେ ଖାନକୁଲରେ ଜାତୀୟ ପତାକା ଉତ୍ତୋଳନ କରିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ବାଉଁଶ ବାଡ଼ିରେ ଆକ୍ରମଣ ହେବାପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ପଚରାଉଚରା ପାଇଁ ଆମେ ଆଠ ଜଣଙ୍କୁ ଅଟକ ରଖିଛୁ ବୋଲି ସେ କହିଛନ୍ତି ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଭୟ ଦଳର କର୍ମୀ ଏବଂ ସମର୍ଥକମାନେ ସମାନ ସ୍ଥାନରେ ଏକାଠି ହୋଇ ପତାକା ଉତ୍ତୋଳନ କରିଥିଲେ। ଏହାପରେ କିଛି କଥାକୁ ନେଇ ସେମାନଙ୍କ ମଧ୍ୟରେ ବାଦବିବାଦ ପରେ ସଂଘର୍ଷ ଆରମ୍ଭ ହୋଇଥିଲା ଏବଂ ପ୍ରତିଦ୍ବନ୍ଦ୍ବୀ ଦଳର ସମର୍ଥକମାନେ ପରସ୍ପର ଉପରେ ଆକ୍ରମଣ କରିଥିଲେ।
ତେବେ ଟିଏମସି କ୍ଷମତାରେ ରହିବା ପର୍ଯ୍ୟନ୍ତ ଏଭଳି ଘଟଣା ଜାରି ରହିବ । ଆଜି ପର୍ଯ୍ୟନ୍ତ 108 ବିଜେପି କର୍ମୀ ଏବଂ ନେତାଙ୍କ ମୃତ୍ୟୁ ଘଟିଛି ବୋଲି ବିଜେପିର ସାଧାରଣ ସମ୍ପାଦକ ସାୟନ୍ତାନ ବସୁ କହିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ