ନୂଆଦିଲ୍ଲୀ: ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଗୁରୁବାର ତାଙ୍କୁ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତେବେ ତାଙ୍କ ନିକଟରେ କୋରୋନା ଲକ୍ଷଣ ଦେଖାଯିବା ପରେ ମେଦାନ୍ତ ହସ୍ପିଟାଲ ନିଆଯାଇଛି ।
ବିଶ୍ୱର ସର୍ବବୃହତ ଦଳର ଜାତୀୟ ମୁଖପାତ୍ର ହେବା ବ୍ୟତୀତ ପାତ୍ର ମଧ୍ୟ ଜଣେ ସର୍ଜନ। ସେ ହିନ୍ଦୁ ରାଓ ହସ୍ପିଟାଲରେ ମେଡିକାଲ ଅଫିସର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ପାତ୍ର ONGC ବୋର୍ଡରେ ଅଣ-ଅଫିସିଆଲ ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ମଧ୍ୟ ଜଣେ ।
ସମ୍ବିତ ପାତ୍ର 2019 ଲୋକସଭା ନିର୍ବାଚନରେ ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ । କିନ୍ତୁ ସେ ବିଜୁ ଜନତା ଦଳ ପ୍ରାର୍ଥୀ ପିନାକି ମିଶ୍ରଙ୍କ ଠାରୁ 11 ହଜାର 700 ଭୋଟରେ ହାରିଯାଇଥିଲେ ।
ତେବେ ପାତ୍ର ଡାକ୍ତରଖାନାରେ ଭର୍ତ୍ତି ହେବା ଖବର ଶୁଣିବା ମାତ୍ରେ ଶୁଭେଚ୍ଛୁମାନେ ତାଙ୍କୁ ଶୀଘ୍ର ସୁସ୍ଥ ହେବା ନେଇ କାମନା କରିଛନ୍ତି । ଦିଲ୍ଲୀ ବିଜେପି ମୁଖପାତ୍ର ତେଜିନ୍ଦର ପାଲ ସିଂ ବାଗ୍ଗା ଟ୍ୱିଟ କରି ଲେଖିଛନ୍ତି ତୁମେ କୋରୋନାକୁ ହରାଇ ଶୀଘ୍ର ଭଲ ହୁଅ ଭାଇ ।
ନିକଟରେ କଂଗ୍ରେସରୁ ବିଜେପି ଯାଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ସମ୍ବିତ ପାତ୍ରଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।