ପାଟନା: ଭାଙ୍ଗି ଯାଇପାରେ ବିହାରରେ ମେଣ୍ଟ ସରକାର । ଏକଥା ଆମେ ନୁହେଁ କେଉଁଠି ନା କେଉଁଠି ଆଭାସ ଦେଉଛି ବିଜେପି । କାରଣ ଆଜି ବିଜେପିର ବରିଷ୍ଠ ନେତା ସଞ୍ଜୟ ପାଶୱାନ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ବିହାରରେ ରାଜନୀତି ଜୋର ଧରିଲାଣି । ପାଶୱାନ ଏବେ ବିହାରର ମୁଖ୍ୟମନ୍ତ୍ରୀ ପଦ ବିଜେପି ହାତକୁ ଟେକି ଦିଅନ୍ତୁ ବୋଲି କହିଛନ୍ତି।
ସେ କହିଛନ୍ତି, ନୀତିଶ ସରକାର ଦୀର୍ଘ 15 ବର୍ଷ ହେଲା ସେହି ଆସନରେ ଅଛନ୍ତି ତେବେ ପ୍ରଥମ ସୁଯୋଗ ବିଜେପିକୁ ଦିଆଯାଉ ବୋଲି କହିଛନ୍ତି ବିଜେପି ନେତା ସଞ୍ଜୟ ପାଶୱାନ । 15 ବର୍ଷ ଧରି ଲୋକ ନୀତିଶ ସରକାର ଉପରେ ଭରଷା କରି ଆସିଛନ୍ତି ତେବେ ଏହାକୁ ପରିବର୍ତ୍ତନ କରାଯାଇ ବିଜେପିକୁ ଥରେ ସୁଯୋଗ ଦିଆଯାଉ ବୋଲି ସେ କହିଛନ୍ତି ।
କେବଳ ସେତିକି ନୁହେଁ ଲୋକେ ନୀତିଶ ସରକାରଙ୍କୁ ଦେଖି ନୁହେଁ ମୋଦିଙ୍କ କାମରେ ଅନୁପ୍ରାଣିତ ହୋଇ ଭୋଟ ଦେଉଛନ୍ତି ବୋଲି ସେ କହିଛନ୍ତି । ସେଥିପାଇଁ ନୀତିଶ ସରକାର ମୁଖ୍ୟମନ୍ତ୍ରୀ ଆସନ ବିଜେପି ପାଇଁ ଖାଲି କରିଦେବା ଉଚିତ ବୋଲି ସେ କହିଛନ୍ତି।
ତେବେ ଏହି ବୟାନ ପରେ ଚୁପ ବସିନି ଜେଡିୟୁ । ଦଳର ନେତା ନିଖିଲ ମଣ୍ଡଳ କହିଛନ୍ତି , "ମୁଖ୍ୟମନ୍ତ୍ରୀ ଆସନରେ କେବଳ ନୀତିଶ କୁମାର ହିଁ ବସିବେ । କାହାର କହିବାରେ କିଛି ଯାଏ ଆସେ ନାହିଁ । ବିହାର ବାସି ସର୍ବଦା ନୀତିଶ ସରକାର ଉପରେ ଆଶୀର୍ବାଦ ଦେଉଛନ୍ତି " ବୋଲି ସେ କହିଛନ୍ତି ।